• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପର ହୋଇଗଲା ମଥାର ସିନ୍ଦୂର । ଅବୈଧ ପ୍ରେମରେ ପଡ଼ି ନିଜ ସୁନାର ସଂସାରକୁ ଛାରଖାର କରିଦେଲା ସ୍ତ୍ରୀ । ଅଜୟ ଦେବଗନ୍‌ ଅଭିନୀତ ଦୃଶ୍ୟମ୍‌ ସିନେମା ପରି ସ୍ୱାମୀକୁ ହତ୍ୟା କରି ପୋତିଦେଲା ସ୍ତ୍ରୀ । ଗାଜିଆବାଦରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ମହିଳା ନିଜ ପ୍ରେମିକ ଏବଂ ବନ୍ଧୁ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ଏହା ପରେ ସ୍ୱାମୀ ମୃତଦେହକୁ ନିର୍ମାଣାଧୀନ ଘରେ ପୋତି ଦେଇଥିଲେ । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଶନିବାର ଦିନ ନୀତୁ ଏବଂ ତାଙ୍କ ପ୍ରେମିକା ହରପାଲଙ୍କୁ ପୋଲିସ ଗିରଫ କରିଛି । ଏହାସହ ତୃତୀୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ୍‌ । ଅନ୍ୟପଟେ ନିର୍ମାଣାଧୀନ କୋଠାରୁ ମୃତଦେହ ଉଦ୍ଧାର କରାଯାଇଛି ।

ହତ୍ୟାକାଣ୍ଡର ପର୍ଦ୍ଦାଫାଶ କିପରି ହେଲା ?

ଗାଜିଆବାଦ ନିବାସୀ ଛୋଟେଲାଲ ନିଜ ଭାଇ ସତୀଶ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏକ ସପ୍ତାହ ହେଲାଣି ଭାଇ ଘରକୁ ଫେରିନଥିବା ଏତଲାରେ ଦର୍ଶାଇଥିଲେ । ଅଭିଯୋଗ ଆଧାରରେ ଜାନୁଆରୀ ୧୦ରୁ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିଲା । ହେଲେ ସେ ପର୍ଯ୍ୟନ୍ତ ଅଭିଯୋଗ କରି ନଥିବାରୁ ସତୀଶଙ୍କ ସ୍ତ୍ରୀ ନୀତୁଙ୍କୁ ପୋଲିସ ପ୍ରଥମେ ପଚରାଉଚରା କରିଥିଲା ।

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ମର୍ଡର ପରେ ଦ୍ୱିତୀୟ ବିବାହ ପାଇଁ ପ୍ଲାନ୍‌, ଦେଢ଼ ବର୍ଷ ଯାଏ ଭୁଆଁ ବୁଲାଉଥିଲା...

ଯାଂଚ ବେଳେ ହରପାଲ ସମ୍ପର୍କରେ ଜାଣିବାକୁ ପାଇଥିଲା ପୋଲିସ୍ । କାରଣ ହରପାଲ ପ୍ରାୟ ସମୟରେ ନୀତୁ ଏବଂ ସତୀଶଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଆସ କରୁଥିଲା । ସନ୍ଦେହ ହେବା ପରେ ହରପାଲକୁ ପଚରାଉଚରା ପରେ ସେ ସବୁ କଥା କହିଥିଲା । ନୀତୁ, ହରପାଲ ଓ ତୃତୀୟ ଅଭିଯୁକ୍ତ ଗୌରବଙ୍କ ସାହାଯ୍ୟରେ ମିଶି ସତୀଶଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।

ପୋଲିସର ସୂଚନାନୁସାରେ, କିଛି ଦିନ ପୂର୍ବରୁ ନୀତୁ ଏବଂ ହରପାଲ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ସେ କ୍ଷଣିକ ମୋହରେ ବାନ୍ଧି ହୋଇ ଉଭୟେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ପ୍ରଥମେ ସତୀଶଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ବୃତ୍ତିରେ ହରପାଲ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ଯୋଜନା ଅନୁସାରେ ପଡ଼ୋଶୀଙ୍କ ନିର୍ମାଣାଧିନ କୋଠାରେ ସତୀଶଙ୍କୁ ମାରି ପୋତି ଦେଇଥିଲେ ତିନି ଅଭିଯୁକ୍ତ ।

ହତ୍ୟାକାଣ୍ଡ ଦିନର ଘଟଣା:

ଜାନୁଆରୀ ୨ରେ ସତୀଶ ଘରକୁ ଫେରିବା ପରେ ନୀତୁ ତାଙ୍କୁ ମଦ ମିଶ୍ରିତ ପାନୀୟ ପିଇବାକୁ ଦେଇଥିଲେ । ଆଉ ସତୀଶ ଶୋଇବାକୁ ଯିବାପରେ ନୀତୁ, ହରପାଲ ଏବଂ ଗୌରବ ତାଙ୍କ ଗଳା କାଟି ହତ୍ୟା କରିଥିଲେ । ସତୀଶଙ୍କ ମୃତ୍ୟୁ ପରେ ମଧ୍ୟ ଆଉ ଥରେ ସ୍ପଷ୍ଟ ହେବା ପାଇଁ ଅଭିଯୁକ୍ତମାନେ ପୁଣି ଥରେ ତାଙ୍କ ତଣ୍ଟି ଚିପି ଦେଇଥିଲେ ।

ଆଉ ତା’ପରେ ଅଭିଯୁକ୍ତ ସତୀଶଙ୍କ ମୃତଦେହକୁ ନିର୍ମାଣାଧୀନ ଘରକୁ ନେଇ ଯାଇଥିଲେ । ଏଠାରେ ହରପାଲ ଏବଂ ଗୌରବ ମୃତଦେହକୁ ପୋତି ଦେଇଥିଲେ ଏବଂ ଏହା ଉପରେ ଏକ ସେପଟିକ୍ ଟ୍ୟାଙ୍କ ନିର୍ମାଣ କରିଥିଲେ ।

ହେଲେ ପୋଲିସ୍‌ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପରେ ଘର ମାଲିକଙ୍କ ଠାରୁ ଅନୁମତି ନେଇ ସେଠାରେ ସେପ୍ଟିକ୍ ଟ୍ୟାଙ୍କକୁ ଖୋଳାଯାଇଥିଲା ଏବଂ ଶନିବାର ରାତିରେ ସେଠାରେ ମୃତଦେହ ମିଳିଥିଲା । ଆଉ ତା’ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ।

ହତ୍ୟାକାଣ୍ଡ ଘଟଣାରେ ଶନିବାର ଦିନ ହରପାଲ ଏବଂ ନୀତୁଙ୍କୁ ଗିରଫ କରାଯାଇଛି । ଆଇପିସି ଧାରା ୩୦୨ (ହତ୍ୟା),୨୦୧ (ଅପରାଧର ପ୍ରମାଣ ନଷ୍ଟ କରିବା), ୧୨୦(ଅପରାଧିକ ଷଡଯନ୍ତ୍ର) ଟି ବି ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେପଟେ ତୃତୀୟ ଅଭିଯୁକ୍ତ ଗୌରବ ଫେରାର ଥିବାବେଳେ ତାକୁ ଖୋଜୁଛି ପୋଲିସ୍‌ ।