• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖୋର୍ଦ୍ଧା ଜିଲ୍ଲାରେ ବଢୁଛି ପଥର ମାଫିଆଙ୍କ ରାଜୁତି । ରାତି ତ ରାତି, ଦିନରେ ବି ବେଧଡ଼କ ଚାଲିଛି ବେଆଇନ ପାହାଡ଼ ଖନନ ସହ ଖଣିଜ ସଂପଦ ଲୁଟ୍ । କେଉଁଠି ବେଆଇନ ବ୍ଲାଷ୍ଟିଂ କରି, ତ କେଉଁଠି ପାୱାର ଟିଲର୍ ଲଗାଇ ପଥରକାଟି ଚୋରାଚାଲାଣ ହେଉଛି । ସରକାରୀ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଦୌରାତ୍ମ୍ୟ ଚଳାଇଛନ୍ତି ପଥର ମାଫିଆ । ଇତିମଧ୍ୟରେ ଜିଲ୍ଲାର ବହୁ ଅଫିସର ମାଫିଆଙ୍କ ଆକ୍ରମଣର ଶୀକାର ହୋଇ ଲହୁଲୁହାଣ ହେଲେଣି । ତଥାପି ମାଫିଆଙ୍କ ବିରୋଧରେ ନା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉଛି ନା ପଥର ଚୋରାଚାଲାଣକୁ ରୋକାଯାଇପାରୁଛି ।

ଖୋଳା ଚାଲିଛି ମାଙ୍କଡା ପଥର ଖଣି । ଦିନ ଦ୍ୱିପହରେ ନିୟୋଜିତ ହୋଇଛି ପାୱାର ଟିଲର । ବେଧଡ଼କ କଟା ଚାଲିଛି ପଥର । ଏଭଳି ପଥର ଖୋଳା ଯୋଗୁଁ ସୃଷ୍ଟି ହେଲାଣି ବିରାଟ ବିରାଟ ଖାଲ । କେବଳ ମାଙ୍କଡ଼ା ପଥର ନୁହଁ, ଜାତୀୟ ରାଜପଥ କଡ଼ର କେଉଁ ପାହାଡ଼ରୁ ମୁଗୁନି ପଥର ତ ଆଉ କେଉଁଠି ମୋରମ ଖୋଳି ଚାଲାଣ ହେଉଛି । ଖୋର୍ଦ୍ଧା ଜିଲ୍ଲାର ଏକାଧିକ ସ୍ଥାନରେ ପାହାଡ଼ରେ ଜେସିବି ଲଗାଇ ପଥର ମାଫିଆ ଖୋଳ କରୁଛନ୍ତି ପ୍ରାକୃତିକ ସମ୍ପଦ । ଖୋର୍ଦ୍ଧା ହେଉ କି ଟାଙ୍ଗୀ , ଜଟଣୀ ହେଉ କି ବେଗୁନିଆ ଅବା ବୋଲଗଡ । ଏସବୁ ଅଞ୍ଚଳରେ ରାତି ତ ରାତି ଦିନରେ ବି ରାଜୁତି ଚଳାଇଛନ୍ତି ପଥର ମାଫିଆ । କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେଉଛି ସରକାରଙ୍କର । ଏସବୁ ଜାଣୁଛି ସ୍ଥାନୀୟ ପ୍ରଶାସନ, କିନ୍ତୁ ମାଫିଆଙ୍କ ଆକ୍ରମଣ ଭୟ ସହ ଜୀବନ ପ୍ରତି ବିପଦ ରହୁଥିବା କହୁଛନ୍ତି ଅଧିକାରୀ ।

ଏଭଳି ବେଆଇନ ଚୋରା ଚାଲାଣକୁ ରୋକିବାକୁ ଯାଇ ଆକ୍ରମଣର ଶୀକାର ହୋଇଛନ୍ତି ଏକାଧିକ ଅଫିସର । ଟାଙ୍ଗିର ତତ୍କାଳୀନ ମହିଳା ତହସିଲଦାର ଲୋପାମୁଦ୍ରା ମହାନ୍ତିଙ୍କ ଉପରେ ଟ୍ରାକ୍ଟରରେ ବୋଝେଇ ପଥରକୁ ଅନଲୋଡ୍ କରିବାକୁ ଉଦ୍ୟମ କରିଥିଲେ ମାଫିଆ । ତତ୍କାଳୀନ ଜଟଣୀ ତହସିଲଦାର ତପନ ମହାପାତ୍ରଙ୍କ ଉପରେ ଗତ ୩୦ ଜାନୁୟାରୀରେ ବେଣାପଞ୍ଜୁରୀ ପାଖରେ ଆକ୍ରମଣ କରାଯାଇଥିଲା । କେବଳ ଲୋପାମୁଦ୍ରା କିମ୍ବା ତପନ ନୁହଁନ୍ତି, ଗତ ୩ ବର୍ଷ ଭିତରେ ଟାଙ୍ଗୀର ୨ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ କରାଯାଇଥିଲା । ସେହିପରି ଗତ ୨ ମାସ ମଧ୍ୟରେ ବେଗୁନିଆ ତହସିଲ ଅନ୍ତର୍ଗତ ବାଘମାରି ଆରଆଇ ମନୋଜ ଦାସଙ୍କୁ ତିନି ତିନି ଥର ଆକ୍ରମଣ କଲେଣି ମାଫିଆ । ତାସହ ଜବତ ଗାଡିକୁ ଛଡାଇ ନେଇଥିବା ଅଭିଯୋଗ ହୋଇଛି ।  

ଏଠି ପ୍ରଶ୍ନ ଉଠୁଛି ଯେ, କାହିଁକି ପଥର ଚୋରାଚାଲାଣକୁ ରୋକାଯାଇପାରୁନି ? କାହା ଛତ୍ରଛାୟାରେ ରହି ଏଭଳି ରାଜୁତି ଚଳାଇଛନ୍ତି ମାଫିଆ? ଜିଲ୍ଲାର କୌଣସି ପ୍ରଭାବଶାଳୀ ରାଜନେତାଙ୍କଠୁ ଅଭୟବର ପାଇ ପଥର ମାଫିଆ ଏଭଳି ଦୌରାତ୍ମ୍ୟ ଚଳାଇଛନ୍ତି କି ? ତେବେ ଏହି ମାଫିଆଙ୍କୁ ଦମନ ପାଇଁ ନୂଆ କୌଶଳ ଅବଲମ୍ବନ କରାଯାଉଥିବା ଖୋର୍ଦ୍ଧା ଉପ- ଜିଲ୍ଲାପାଳ କହିଥିବାବେଳେ ପୋଲିସ ଆଗକୁ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଏସ୍‌ପି କହିଛନ୍ତି ।