• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚୋରା ବାଲିରେ ମହଲ ତୋଳୁଛନ୍ତି ଶିଳ୍ପମନ୍ତ୍ରୀ? ଖରସ୍ରୋତାରୁ ବେଧଡ଼କ ଚାଲିଛି ବେଆଇନ ବାଲି ଉତ୍ତୋଳନ । ଚୋରାରେ ବାଲି ଉତ୍ତୋଳନର ତରିକା ବି ଟିକେ ଅଲଗା । ମଝି ନଈରେ ବୋଟ୍ ଜରିଆରେ ଲଗାଯାଇଛି ସକ୍ସନ୍ ପମ୍ପ । ଆଉ ସେଇ ପମ୍ପ ମାଧ୍ୟମରେ ନଦୀ ଭିତରୁ ସିଧା ବାଲି ଯାଇ ପହଞ୍ଚୁଛି ଆଳି ପ୍ୟାଲେସ୍‌ରେ । ଯିଏ ବି ୟା ବିରୋଧରେ ସ୍ୱର ଉଠାଉଛି, ତାକୁ ଶିଳ୍ପମନ୍ତ୍ରୀ ରାଜାଗିରି ଦେଖାଉଥିବା ଅଭିଯୋଗ ଆସିଛି ।

ନିକଟରେ ବେଆଇନ୍ ବାଲି ଚୋରି ନେଇ ମୁଖ୍ୟ ସଚିବ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଇ-ମେଲ ଜରିଆରେ ଜଣାଇଛନ୍ତି କେନ୍ଦ୍ରାପଡ଼ାର ଦୁଇ ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ ଓ ପ୍ରତାପ ମହାନ୍ତି । ସେମାନେ କହିଛନ୍ତି, ଆଳି ପ୍ୟାଲେସ୍ ନିକଟରେ ଖରସ୍ରୋତା ନଦୀରୁ ଖାଲି ବେଆଇନ୍ ବାଲି ଖନନ ଚାଲିନି, ବରଂ ୨୦୨୦ ପରଠୁ ନଦୀକୂଳ ବି ଜବରଦଖଲ ହୋଇଛି ।

ଖରସ୍ରୋତାର ଚୋରା ବାଲିରେ ନିର୍ମାଣ ହେଉଛି ଆଳି ପ୍ୟାଲେସର ନୂଆ ବିଲ୍ଡିଂ । ଖାଲି ସେତିକି ନୁହେଁ, ଖରସ୍ରୋତା ନଦୀକୂଳରେ ଥିବା ପ୍ଲଟ୍ ନମ୍ବର ୩୮୫, ଯାହାକି ଆଳି ରାଜାଙ୍କ ପ୍ୟାଲେସ୍, ତା ଭିତରେ ଓ ଉଭୟ ପାର୍ଶ୍ୱରେ ନଦୀ କୂଳରେ ବେଆଇନ ଭାବେ ଇଟା ଭାଟି ଚାଲିଥିବା ଅଭିଯୋଗ ହୋଇଛି ।

କେବଳ ଲିଖିତ ଅଭିଯୋଗରେ ଏହି ମାମଲା ସୀମିତ ନାହିଁ । ପ୍ରମାଣ ସ୍ୱରୂପ ବିଭିନ୍ନ ସମୟର ସାଟେଲାଇଟ୍ ଚିତ୍ର ବି ଦେଇଛନ୍ତି ଦୁଇ ସୂଚନା ଅଧିକାର କର୍ମୀ । ସାଟେଲାଇଟ୍ ଇମେଜ୍‌ରେ ଆଳି ରାଜବାଟି ଭିତରେ ପୋଖରୀ ନିକଟରେ ତିଆରି ଚାଲିଛି ଏକ ବିଲ୍ଡିଂ ।  ଖରସ୍ରୋତା ନଦୀରୁ ସକ୍ସନ୍ ପମ୍ପ ଜରିଆରେ ବାଲି ଉଠାଯାଇ ରାଜବାଟୀକୁ ଅଣାଯାଉଛି । ସେପ୍ଟେମ୍ବର ୨୨ରେ ଆର୍‌ଟିଆଇ ଆକ୍ଟରେ ମଗାଯାଇଥିବା ଏକ ତଥ୍ୟରେ ଆଳି ତହସିଲଦାର କହିଛନ୍ତି, ତହସିଲରେ ୬ଟି ବାଲି ଖାଦାନ ଅଛି । ସବୁ ବାଲି ଖାଦାନର ଅବଧି ୨୦୨୧ ଜୁଲାଇ ୧୮ରେ ସରିଥିଲା ।

ଅକ୍ଟୋବର ୪ରେ ଖାଦାନଗୁଡ଼ିକ ପୁନଃ ନିଲାମ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ଖାଦାନରୁ ବାଲି ଉଠିନି । ତେବେ ତହସିଲଦାର ସ୍ୱୀକାର କରିଛନ୍ତି, ବାଲି ଚୋରି ନେଇ ମିଛ ଅଭିଯୋଗ ଆସିଛି ବୋଲି କହୁନୁ । ଏଥିରେ ସତ୍ୟତା ଥାଇପାରେ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ । ତେବେ ଏ ସଂପର୍କରେ ମନ୍ତ୍ରୀ ପ୍ରତାପ ଦେବଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

ବାଲି ଚୋରା ଚାଲାଣରେ କେବଳ ମନ୍ତ୍ରୀ ନୁହନ୍ତି, ସାଲେପୁର ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ନାଁରେ ଆସିଛି ହତ୍ୟା ଭଳି ସଙ୍ଗୀନ ଅଭିଯୋଗ । ବିଧାୟକଙ୍କ ଇଙ୍ଗିତରେ ବେଆଇନ୍ ବାଲିଘାଟ ଚାଲିଥିବା ଅଭିଯୋଗ କରିଛି ବିଜେପି । ହତ୍ୟା ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ବେହେରା ଓରଫ ମିଟୁ, ବିଧାୟକଙ୍କ ଖାସ୍ ଲୋକ ବୋଲି ଦଳ କହିଛି । କେବଳ ସେତିକି ନୁହେଁ, ଏଥିରେ ବହୁ ପ୍ରଭାବଶାଳୀ ନେତା ସାମିଲ ଥିବା ଅଭିଯୋଗ ହୋଇଛି । ଏନେଇ ବିଧାୟକ ପ୍ରଶାନ୍ତ ବେହରାଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଚୌଦାର ଏସ୍‌ଡିପିଓ କହିଛନ୍ତି ଘଟଣାର ତଦନ୍ତ ଚାଲିଛି ।

ମନ୍ତ୍ରୀ ଓ ବିଧାୟକଙ୍କ ବାଲି ଚୋରି ଘଟଣା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି, ଏବେ ତାହା ଉପରେ ରହିଛି ନଜର ।