• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଶାଚ ସ୍ୱାମୀର ବର୍ବରୋଚିତ କାଣ୍ଡ । ପ୍ରେମିକା ପାଇଁ ସ୍ତ୍ରୀର ନାକ କାଟି ଦେଲେ ଯୁବକ । ଏତିକିରେ ମନ ବୁଝିଲାନି ଯେ ପାଗଳଙ୍କ ପରି କଟାନାକକୁ ପକେଟରେ ରଖି ସେଠାରୁ ଫେରାର ମାରିଛି ଅଭିଯୁକ୍ତ । ଉତ୍ତରପ୍ରଦେଶର ଲଖୀମପୁର ଖେରୀ ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ମହିଳା ଜଣକ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌ । ଅନେକ ଖୋଜାଖୋଜି ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍‌ ।

ଖେରୀ ଜିଲ୍ଲାରେ ବାଂସତାଲି ଗାଁର ବିକ୍ରମ କିଛି ବର୍ଷ ପୂର୍ବେ ମହମ୍ମଦବାଦ ଗାଁର ସୀମା ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ସମୟ କ୍ରମେ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ବିକ୍ରମଙ୍କ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା । ସୀମାଙ୍କୁ ଉଭୟଙ୍କ ସମ୍ପର୍କ ବିଷୟରେ ଜଣାପଡ଼ିବା ପରେ ସେ ଏହାକୁ ବିରୋଧ କରିଥିଲେ । ଏହି କଥାକୁ ନେଇ ପ୍ରତିଦିନ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ପୀଡିତାଙ୍କ ପତ୍ନୀଙ୍କ ଅନୁଯାୟୀ, ଶନିବାର ରାତି ପ୍ରାୟ ୮ଟାରେ ବିକ୍ରମ ପ୍ରଥମେ ତାଙ୍କୁ ଖାଇବା ମାଗିଥିଲେ । ତାଙ୍କ ମନ ମୁତାକବ ସୀମା ରୋଷେଇ କରି ଖାଇବା ବାଢ଼ି ଦେଇଥିଲେ । ଏହା ପରେ ପୁଣି ସେହି ମହିଳାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହେଲା । ଆଉ ଏଥିପାଇଁ ବିକ୍ରମ ନିଜ କୁନି ଝିଅକୁ ମାଡ଼ ମାରି ରାଗ ଶୁଝାଇବାରେ ଲାଗିଥିଲା ।

ଏହା ଦେଖି ସୀମା ଦଉଡ଼ି ଆସିଥିଲେ । ଆଉ ବିକ୍ରମ୍‌ ଠାରୁ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏଥିରେ ଆହୁରି ରାଗି ଯାଇ ବିକ୍ରମ ଏକ ତୀକ୍ଷ୍ଣ ଅସ୍ତ୍ରରେ ସ୍ତ୍ରୀର ନାକ କାଟି ଦେଇଥିଲା । ତା’ପରେ କଟାନାକକୁ ପକେଟରେ ରଖି ସେଠାରୁ ଫେରାର ମାରିଥିଲା ।

ଲହୁଲୁହାଣ ଅବସ୍ଥାରେ ଥାନାରେ ପହଞ୍ଚି ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ସୀମା । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ୱାମୀ ବିକ୍ରମଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହା ପରେ ପୋଲିସ ସୀମା ଦେବୀଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ​​ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି ।

ଏଥିସହ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପରେ ପରେ ଅଭିଯୁକ୍ତକୁ ଜେଲ ପଠାଇ ଦିଆଯାଇଛି ।