• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨ମାସର ଶିଶୁ ସହ ପତ୍ନୀକୁ ଜୀଅନ୍ତା ଜାଳିଦେଲେ ଯବାନ । ଉଭୟଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପରି ଏକ ଦୁଃଖଦ ଘଟଣା ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଘରର ତାଲା ପଡିଥିବାରୁ ପରିବାର ଲୋକଙ୍କୁ ଖୋଜୁଛି ପୋଲିସ ।

ସୂଚନା ମୁତାବକ ମୃତ ମହିଳା ୩୦ ବର୍ଷିୟ ସୋନାଲ ପ୍ରିୟା ଏବଂ ତାଙ୍କର ଦୁଇ ମାସର ପୁଅ ଅଖତାମ ରୂପ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଛି । ଏହି ଘଟଣା ଅହିୟାପୁର ପୋଲିସ ଷ୍ଟେସନ ଅଧୀନ ପ୍ରଗତି ନାଗରର ବୋଲି ଜଣାପଡ଼ିଛି । ପରେ ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଘଟଣାକୁ ନେଇ ମୃତ ମହିଳାଙ୍କ ଭାଇ ପ୍ରକାଶ କୁଞ୍ଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ତାଙ୍କ ଭଉଣୀ ୧୦ ବର୍ଷ ପୂର୍ବେ ହିମାଂଶୁଙ୍କୁ ବିବାହ କରିଥିଲେ । ବିବାହ ସମୟରେ ସେ କୌଣସି କାମ କରୁନଥିଲେ । ଫଳରେ ତାଙ୍କ ବାପା ଏବଂ ଭାଇ ଘରର ଖର୍ଚ୍ଚ ବହନ କରୁଥିଲେ । ବିବାହ ପରେ ସେ ସେନାରେ ଚାକିରି ପାଇଥିଲେ । ତେଣୁ ରାଜସ୍ଥାନର ଯୋଦ୍ଧପୁରକୁ ଚାଲିଯାଇଥିଲେ ।

ବୁଧବାର ଦିନ ହିମାଂଶୁ ଛୁଟିରେ ଘରକୁ ଆସିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ହିମାଂଶୁ ଏପରି କାଣ୍ଡ ଘଟାଇଥିବା ସେ ପୋଲିସ ଆଗରେ କହିଛନ୍ତି । ଖାଲି ସେତିକି ନୁହେଁ, ତାଙ୍କର ଏକ ଭଣଜା ରତିରେ ଏ ସମ୍ପର୍କରେ ତାଙ୍କ ଘରକୁ ଆସି କହିଥିଲେ । ଯାହା ଶୁଣିବା ପରେ ସେ ଭଉଣୀର ଘରକୁ ଦୌଡ଼ିଯାଇଥିଲେ । ହେଲେ କବାଟ ଖୋଲି ଦେଖିବାବେଳକୁ ତାଙ୍କ ଭଉଣୀ ଜଳିଯାଇଥିଲେ । ତାହା ସହ ତାଙ୍କ ଛୋଟ ପୁଅର ମଧ୍ୟ ମୃତ୍ୟୁ ଘଟିଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଅନ୍ୟପଟେ ତାଙ୍କ ଭିଣୋଇକୁ ନେଇ ସେ ଆହୁରି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ହିମାଂଶୁ ପୂର୍ବରୁ ବାରମ୍ବାର ୧୦ ଲକ୍ଷ ଟଙ୍କା ଆଣିବାକୁ ତାଙ୍କ ଭଉଣୀକୁ କହିଥିଲେ । ଆଉ ଏଥିପାଇଁ ନିର୍ଯାତନା ମଧ୍ୟ ଦେଉଥିଲେ । ହିମାଂଶୁଙ୍କ ଆନ୍ୟ ଏକ ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା । ତାଙ୍କୁ ବିବାହ କରିବାକୁ ହିଂମାଶୁ ଚାହୁଁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଯାହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି ।