ସାଲିଆସାହିରେ ବଡ଼ ଧରଣର ଚଢ଼ାଉ : ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ ସ୍ୱତନ୍ତ୍ର ସ୍କ୍ୱାଡ୍

ଚଢ଼ାଉରେ ସାମିଲ ହୋଇଛନ୍ତି ନିଜେ DCP ଓ ସ୍ୱତନ୍ତ୍ର ସ୍କ୍ୱାଡ୍

ସାଲିଆସାହିରେ ଚଢ଼ାଉ

ଭୁବନେଶ୍ୱର ସାଲିଆ ସାହି ବସ୍ତିରେ ଚାଲିଛି ବଡ଼ ଧରଣର ରେଡ୍ । ଡିସିପିଙ୍କ ନେତୃତ୍ୱରେ ଏହି ରେଡ୍ ଚାଲିଛି । ପୂଜା ପାର୍ବଣକୁ ଆଖିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଉଛି । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ରେଡ୍ ବେଳେ ବିପୁଳ ପରିମାମର ଦେଶୀମଦ ପୋଚ ନଷ୍ଟ କରିଛି ପୋଲିସ । ଏହାସହ ମଦ ପ୍ରସ୍ତୁତି ଲାଗି ଲାଗି ଅନ୍ୟ ସଂରଜାମ ମଧ୍ୟ ଭାଙ୍ଗି ନଷ୍ଟ କରିଛି ପୋଲିସ ।

ତେବେ ରେଡ୍‌ ସମୟରେ ଘର ଭିତରେ ଗୁପ୍ତ ଘର ଥିବା ଦେଖିବାକୁ ମିଳିଛି । ଆଜି ସାଲିଆ ସାହିରେ ଚଢ଼ାଉ କରିବା ପରେ ପୋଲିସ୍ ହାତରେ ଲାଗିଛି ଗୁପ୍ତ ଠିକଣା । ଘର ଭିତରେ ଚୋରା ବାଟ ରହିଛି । ସୁଢ଼ଙ୍ଗ ଭଳି ରାସ୍ତା ଆଉ ଏକ ଘରକୁ ସଂଯୋଗ କରାଉଛି । ଯେଉଁଠି ପ୍ରସ୍ତୁତ ହେଉଛି ଶହ ଶହ ଲିଟର ଦେଶୀ ମଦ । ବ୍ୟାରେଲ୍ ଅଛି, ଦେଶୀ ମଦ ବି ଅଛି । ଏସବୁକୁ ବେଶ୍ ଚାଲାକର ସହ ଲୁଚାଇ ବିକ୍ରି କରାଯାଉଥିଲା । ପୋଲିସ୍ କିମ୍ବା ଆଉ କେହି ଯେପରି ଜାଣି ପାରିବେନି ସେ ନେଇ ସମସ୍ତ ପ୍ରସ୍ତୁତି କରିଥିଲେ ମଦ ସ୍ମଗଲର ।

ପୂର୍ବରୁ ମଧ୍ୟ ସାଲିଆସାହିରେ ପୂର୍ବରୁ ମଧ୍ୟ ଅନେକ ଥର ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ବାରମ୍ବାର ରେଡ୍‌ ସତ୍ତ୍ୱେ ବେଆଇନ୍‌ ଭାବେ ଏଠାରେ ମଦ କାରବାର ଚାଲିଛି । ତେବେ ସାଲିଆସାହିର ଗୋଟିଏ ଘର ନୁହେଁ ଏକାଧିକ ଘରେ ରେଡ୍ ପଡ଼ିଛି ।

ତେବେ ଚଢ଼ାଉ ପରେ ଭୁବନେଶ୍ୱର ସାଲିଆସାହିରେ ସ୍ପେଶାଲ ଡ୍ରାଇଭ ନେଇ DCP ପ୍ରତୀକ ସିଂ ସୂଚନା ଦେଇଛନ୍ତି । ପାର୍ବଣ ଋତୁକୁ ନେଇ ସ୍ପେଶାଲ ଡ୍ରାଇଭ୍ ଚାଲିଛି । ୨ ବର୍ଷ ପରେ ପୂଜା ପାଳନ ହେଉଥିବାରୁ ଅସୁବିଧା ନହେବା ଲକ୍ଷ୍ୟ ଚଢ଼ାଉ କରାଯାଉଛି । ଅପମିଶ୍ରିତ କରି ମଦ ପ୍ରସ୍ତୁତ କରାଯାଉଥିବାରୁ ସ୍ୱାସ୍ଥ୍ୟ ଖରାପ କରୁଛି । ତେଣୁ ଯେଉଁସବୁ ଘରେ ରେଡ୍ ହେଉଛି ଭାଙ୍ଗିବା ପାଇଁ BMC କୁ ଲେଖିବା ପାଇଁ ସେ କହିଛନ୍ତି ।

ସେହିପରି ହ୍ୱାଟଆପ୍ ଜରିଆରେ ପୋଲିସକୁ ଜଣାଇବାକୁ କମିଶନରେଟ ପୋଲିସ ନମ୍ବର ଜାରି କରିଥିବା ସେ କହିଛନ୍ତି । ପାର୍ବଣରେ ଦାଦାବଟି ମୁଖ୍ୟ ସମସ୍ୟା ହୋଇଥିବାବେଳେ ଏହାକୁ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଏହି ନମ୍ବର ଜାରି ହୋଇଛି ।  ହ୍ୱାଟଆପ୍ ନଂ ୭୦୭୭୭୯୮୧୧୧ରେ ସୂଚନା ଦେବାକୁ ଭୁବନେଶ୍ୱର ଡିସିପି ପରାମର୍ଶ ଦେଇଛନ୍ତି । ଦାଦାବଟି ସହ ଡ୍ରଗ୍ସ କାରବାର ଏବଂ ଅନ୍ୟ ଅପରାଧ ନେଇ ସୂଚନା ଥିଲେ ମଧ୍ୟ ପୋଲିସକୁ ସାଧାରଣ ଲୋକ ଜଣାଇବାକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।