ଏକ ପରିତ୍ୟକ୍ତ ଗାଡି ଭିତରୁ ଆୟକର ବିଭାଗର କର୍ମଚାରୀମାନେ ୫୨ କିଲୋଗ୍ରାମ ସୁନା ଓ ନଗଦ ୧୦ କୋଟି ଟଙ୍କା ଠାବ କରିଛନ୍ତି । ଭୋପାଳ ନିକଟରେ ଏକ ଜଙ୍ଗଲିଆ ସ୍ଥାନରେ ଏହା ଠାବ ହୋଇଛି । ବିଭିନ୍ନ ରିଅଲ୍ ଇଷ୍ଟେଟ୍ କଂପାନିରେ ରେଡ୍ କରିବା ବେଳେ ଏହି ସୁନା ଓ ଟଙ୍କା ଠାବ କରାଯାଇଛି । ୩ଟି ଜିଲ୍ଲାର ୫୨ଟି ସ୍ଥାନରେ ଚଢାଉ କରାଯାଇଛି ।
ପୂର୍ବତନ ଆରଟିଓ କନଷ୍ଟେବଲ୍ ସୌରଭ ଓ ତାଙ୍କ ସହଯୋଗୀ ଚନ୍ଦନ ସିଂହ ଗୌରଙ୍କ ବ୍ୟବସାୟ ପ୍ରତିଷ୍ଠାନ ଓ ବାସଭବନରେ ଲୋକାୟୁକ୍ତ ପକ୍ଷରୁ ରେଡ୍ କରାଯିବା ପରେ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଏହି ଦୁଇଜଣଙ୍କ ନାଁରେ ପୂର୍ବରୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ଘଟଣାରେ ତଦନ୍ତ ଚାଲିଛି । ଏହି ଦୁଇଜଣଙ୍କ ଘରେ ଚଢାଉ କରି ଲୋକାୟୁକ୍ତଙ୍କ ପୋଲିସ ଟିମ୍ ନଗଦ ଅଢେଇ କୋଟି ଟଙ୍କା, ସୁନା ରୁପା ଗହଣା ଓ ବହୁ କାଗଜପତ୍ର ଜବତ କରିଛି । ଏହି ସଂପତ୍ତି ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
Also Read
ଅଧିକ ପଢ଼ନ୍ତୁ: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍
ପରିବହନ ବିଭାଗରେ ଚାକିରି କରିଥିବା ସୌରଭ ଶର୍ମା ବର୍ଷକ ତଳେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଏବେ ସେ ସକ୍ରିୟ ଭାବେ ରିଅଲ୍ ଇଷ୍ଟେଟ ବ୍ୟବସାୟରେ ଅଛନ୍ତି । ସେ ହୋଟେଲ ଓ ସ୍କୁଲରେ ମଧ୍ୟ ପୁଞ୍ଜି ବିନିଯୋଗ କରିଥିବା ତଦନ୍ତ ବେଳେ ଜଣାପଡିଛି । ଦୁର୍ନୀତି ଓ ବେଆଇନ ଭାବେ ଜମି ଜବରଦଖଲ ଅଭିଯୋଗ ପରେ ଚଢାଉ କରାଯାଇଛି ।
ବାପାଙ୍କ ଦେହାନ୍ତ ପରେ ସୌରଭ ପରିବହନ ବିଭାଗରେ ଅନୁକମ୍ପାମୂଳକ ଚାକିରି ପାଇଥିଲେ । ସେ ୧୨ ବର୍ଷ ସରକାରୀ ଚାକିରି କରିବା ପରେ ହଠାତ୍ ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ଚାକିରି ସମୟରେ ତାଙ୍କର ରଙ୍ଗଢଙ୍ଗ ପୂରା ବଦଳି ଯାଇଥିଲା । ଦାମୀ ଜିନିଷ ବ୍ୟବହାର କରୁଥିଲେ ସେ । ଏପରିକି ବିପୁଳ ସଂପତ୍ତି ଉପାର୍ଜନ କରିଥିଲେ । ଏଇଥି ପାଇଁ ସେ ଲୋକଙ୍କ ନଜରକୁ ଆସି ଯାଇଥିଲେ । ତାଙ୍କ ନାଁରେ ବିଭାଗକୁ ଅନେକ ଅଭିଯୋଗ ମଧ୍ୟ ଆସିଥିଲା । ହାତରେ ପଇସା ହୋଇଯିବାରୁ ସେ ଇନ୍ଦ୍ରଚନ୍ଦ୍ର ମାନୁନଥିଲେ । ଏପରିକି ତାଙ୍କ ଉପରିସ୍ଥ ଅଫିସରଙ୍କୁ ମଧ୍ୟ ମାନୁନଥିଲେ । ସେ ନିଜକୁ ଜଣେ ପ୍ରତିପତ୍ତିଶାଳୀ ଓ ପ୍ରଭାବଶାଳୀ ବୋଲି ଭାବୁଥିଲେ । ଉପରିସ୍ଥ ଅଧିକାରୀଙ୍କ ସହ ବଚସା ହେବାରୁ ସେ ବାଧ୍ୟ ହୋଇ ଚାକିରି ଛାଡିଦେଇଥିଲେ । ସେ ଏକ ବେଆଇନ ଜମିରେ ଏକ ସ୍କୁଲ ଚଲାଉଥିବାର ଅଭିଯୋଗ ତାଙ୍କ ନାଁରେ ମଧ୍ୟ ଆସିଥିଲା । ଦୁର୍ନୀତି ନିବାରଣ ଆଇନ ବଳରେ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ ପରିତ୍ୟକ୍ତ ଗାଡିରୁ ଜବତ ହୋଇଥିବା ୫୨ କିଲୋ ସୁନା ଓ ୧୦ କୋଟି ଟଙ୍କା ଏହି ଦୁଇଜଣଙ୍କର ହୋଇଥାଇପାରେ ବୋଲି ଲୋକାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି ।