୧୬ ଡିସେମ୍ବର, ୨୦୧୨ । ଭାରତୀୟ ଇତିହାସର ଏକ କଳାଦିନ । ରାଜଧାନୀ ଛାତିରେ ଘଟିଥିଲା ଛାତିଥରା ଘଟଣା । ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସରେ ଜଣେ ପାରାମେଡ଼ିକାଲ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ୬ ଜଣ ନରରାକ୍ଷସଙ୍କ କାମନା ନିଆଁରେ ଜଳିଯାଇଥିଲେ ଛାତ୍ରୀ ଜଣକ । ଅର୍ଦ୍ଧମୃତ ଅବସ୍ଥାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ରାସ୍ତା କଡ଼କୁ ଫିଙ୍ଗି ଦେଇ ଚାଲିଯାଇଥିଲେ ଅଭିଯୁକ୍ତମାନେ । ପରେ ଏହି ଘଟଣାର ପୀଡିତାଙ୍କୁ ନିର୍ଭୟା ନାମକରଣ କରାଯାଇଥିଲା । ଘଟଣାରେ ଗୁରୁତର ଆହତ ଯୁବତୀ କିଛି ଦିନ ପର୍ୟ୍ୟନ୍ତ ଜୀବନ ଯୁଦ୍ଧ ଲଢି ଶେଷରେ ହାରିଯାଇଥିଲେ । ନିର୍ଭୟା ଘଟଣା ଦେଶର ପ୍ରଥମ ମାମଲା ଥିଲା, ଯେଉଁଥିରେ ୧୬୪ ଜଣଙ୍କର ବୟାନ ରେକର୍ଡ କରାଯାଇଥିଲା । ଏହି ଘଟଣା ପରେ ସରକାରଙ୍କୁ ଆଇନରେ ପରିବର୍ତ୍ତନ ଆଣିବାକୁ ପଡ଼ିଥିଲା ।
ଦୁଷ୍କର୍ମ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଥିଲା। ଏହି ମାମଲାରେ ଜଣେ ନାବାଳକଙ୍କ ସମେତ ସମୁଦାୟ ୬ ଜଣ ରାମ ସିଂହ, ମୁକେଶ ସିଂହ, ପବନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟ କୁମାର ସିଂହ ଦୋଷୀ ସାବ୍ୟସ୍ତ ହୋଇଥିଲେ। ନାବାଳକକୁ ୨୦୧୫ରେ ମାମଲାରୁ ମୁକ୍ତ କରି ଦିଆଯାଇଥିଲା । ସେହିପରି ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ୪ ଜଣଙ୍କୁ ୨୦ ମାର୍ଚ୍ଚ ୨୦୨୦ରେ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ୧୨ ବର୍ଷ ବିତିଗଲାଣି, ତଥାପି ପରିସଂଖ୍ୟାନ ଅନୁସାରେ ଦେଶରେ ଦୁଷ୍କର୍ମ ମାମଲାରେ ହ୍ରାସ ଦେଖିବା ପାଇଁ ମିଳିନି । ଅନେକ କଠୋର ନିୟମ ସତ୍ତ୍ୱେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବଢ଼ି ବଢ଼ି ଚାଲିଛି । କେନ୍ଦ୍ର ସରକାରଙ୍କ ଏଜେନ୍ସି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ତଥ୍ୟ ଦର୍ଶାଉଛି, ଭାରତରେ ପ୍ରତିବର୍ଷ ମହିଳାଙ୍କ ସହ ହେଉଥିବା ଅପରାଧର ଚାରି ଲକ୍ଷରୁ ଅଧିକ ମାମଲା ଦାଏର ହେଉଛି । କେବଳ ଦୁଷ୍କର୍ମ ନୁହେଁ, ଏଥିରେ ହତ୍ୟା, ଯୌନ ନିର୍ଯାତନା , ଯୌତୁକ ନିର୍ଯାତନା, ଅପହରଣ, ଏସିଡ ଆକ୍ରମଣ ଭଳି ମାମଲା ରହିଛି ।
ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା ‘ଅପରାଜିତା’ ବିଲ୍, ଦୁଷ୍କର୍ମକାରୀଙ୍କୁ ମିଳିବ କଡ଼ାଦଣ୍ଡ
କଠୋର ନିୟମ ପରେ ବି ସ୍ଥିତରେ ସୁଧାର ନାହିଁ
ନିର୍ଭୟା କାଣ୍ଡ ପରେ ଆଇନକୁ ଆହୁରି କଡ଼ାକଡ଼ି କରାଯାଇଥିଲା । ଦୁଷ୍କର୍ମର ପରିଭାଷାରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା, ଯଦ୍ୱାରା ମହିଳାଙ୍କ ପ୍ରତି ହେଉଥିବା ଅପରାଧ ହ୍ରାସ ହୋଇପାରିବ। ପୂର୍ବରୁ କେବଳ ଜୋର ଜବରଦସ୍ତି ଓ ଅସହମତିରେ ରଖୁଥିବା ସମ୍ମନ୍ଧକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ୨୦୧୩ ରେ ଆଇନରେ ସଂଶୋଧନ କରି ଏହାର ପରିସର ବିସ୍ତାର କରାଯାଇଥିଲା । କେବଳ ଏତିକି ନୁହେଁ, ଜୁଭେନାଇଲ ଆଇନରେ ମଧ୍ୟ ସଂଶୋଧନ କରାଯାଇଥିଲା । ଏହା ପରେ ୧୬ ବର୍ଷରୁ ଅଧିକ ଏବଂ ୧୮ ବର୍ଷରୁ କମ୍ ନାବାଳକ ଯଦି ଜଘନ୍ୟ ଅପରାଧ କରେ, ତେବେ ତାଙ୍କୁ ବୟସ୍କ ପରି ବ୍ୟବହାର କରାଯିବ ବୋଲି କୁହାଗଲା । ନିର୍ଭୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ତିନି ବର୍ଷ ମଧ୍ୟରେ ଜେଲରୁ ମୁକ୍ତ ହେବା ପରେ ଏହି ସଂଶୋଧନ କରାଯାଇଥିଲା ।
Also Read
ଏହା ବ୍ୟତୀତ ଦୁଷ୍କର୍ମ ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପୀଡ଼ିତା ଯଦି ଦୁଷ୍କର୍ମ ପରେ ମୃତ୍ୟୁବରଣ କରନ୍ତି କିମ୍ବା କୋମା ଭଳି ଅବସ୍ଥାରେ ପଡ଼ି ରହନ୍ତି, ତେବେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ । ଏତେ ସବୁ କଠୋର ନିୟମ କିଛି ବିକୃତ ମଣିଷଙ୍କ ମାନସିକତାରେ ପରିବର୍ତ୍ତନ ଆଣି ପାରିଲାନି । ପରିସଂଖ୍ୟାନ ଅନୁସାରେ ୨୦୧୨ ମସିହା ପୂର୍ବରୁ ପ୍ରତିବର୍ଷ ୨୫ ମାମଲା ଦୁଷ୍କର୍ମ ମାମଲା ଦାଏର ହେଉଥିଲା । କିନ୍ତୁ ନିର୍ଭୟା ମାମଲା ପରେ ଏହି ସଂଖ୍ୟା ୩୦ ହଜାରରେ ପହଞ୍ଚିଗଲା । ୨୦୧୩ରେ ୩୩ ହଜାରରୁ ଅଧିକ ଦୁଷ୍କର୍ମ ମାମଲା ଦାଏର ହୋଇଥିଲା । ୨୦୧୬ ରେ ଏହି ସଂଖ୍ୟା ପ୍ରାୟ ୩୯ ହଜାରରେ ପହଞ୍ଚିଥିଲା । ୨୦୨୨ ସୁଦ୍ଧା ଏହି ମାମଲାରେ ବୃଦ୍ଧି ଘଟିଛି ସିନା, ହ୍ରାସ ପାଇନି ।
୨୦୦୯ ---- ୨୧,୩୯୭
୨୦୧୦ ---- ୨୨, ୧୭୨
୨୦୧୧ ---- ୨୪,୨୦୯
୨୦୧୨ ---- ୨୪,୯୨୩
୨୦୧୩ ---- ୩୩, ୭୦୩
୨୦୧୪ ---- ୩୬,୭୩୪
୨୦୧୫ ---- ୩୪, ୬୫୧
୨୦୧୬ ---- ୩୮,୯୯୭
୨୦୧୭ ---- ୩୨,୫୫୯
୨୦୧୮ ---- ୩୩,୫୫୬
୨୦୧୯ ---- ୩୨,୦୩୨
୨୦୨୦ ---- ୨୮,୦୪୬
୨୦୨୧ ---- ୩୧,୬୭୭
୨୦୨୨ ---- ୩୧୫୧୬
ପରିସଂଖ୍ୟାନରେ ଭୟଙ୍କର ତଥ୍ୟ:
ମହିଳାଙ୍କ ପ୍ରତି ହୋଇଥିବା ଅପରାଧର ପରିସଂଖ୍ୟାନ ଡରେଇଲା ଭଳି । ୨୦୧୨ରେ ମହିଳାଙ୍କ ବିରୋଧରେ ଅପରାଧର ୨.୪୪ ଲକ୍ଷ ମାମଲା ଦାଏର ହୋଇଥିଲା । ୨୦୨୨ ମସିହାରେ ୪.୪୫ ଲକ୍ଷରୁ ଅଧିକ ମାମଲା ଦାଏର ହୋଇଥଲା । ଅର୍ଥାତ୍ ପ୍ରତିଦିନ ୧୨୦୦ରୁ ଅଧିକ ମାମଲା ଦାଏର ହେଉଥିଲା । ଏନସିଆରବି ରିପୋର୍ଟ ଅନୁଯାୟୀ, ୨୦୧୨ ରେ ୨୪ ହଜାର ୯୨୩ ଦୁଷ୍କର୍ମ ମାମଲା ଦାଏର ହୋଇଥିଲା । ଅର୍ଥାତ୍ ପ୍ରତିଦିନ ହାରାହାରି ୬୮ ଟି ମାମଲା ଦାଏର ହେଉଥିଲା । ୨୦୨୨ ମସିହାରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଥିଲା, ଏହି ବର୍ଷ ୩୧ ହଜାର ୫୧୬ ମାମଲା ପଞ୍ଜିକୃତ ହୋଇଥିଲା। ଅର୍ଥାତ୍ ପ୍ରତିଦିନ ହାରାହାରି ୮୬ ଟି ମାମଲା ପଞ୍ଜିକୃତ ହୋଇଥିଲା। ଏହାର ଅର୍ଥ ହେଉଛି, ପ୍ରତି ଘଣ୍ଟାରେ ୩ ଏବଂ ପ୍ରତି ୨୦ ମିନିଟରେ ୧ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ । ରାଜ୍ୟ ସମ୍ପର୍କରେ ଆଲୋଚନା କଲେ, ସବୁଠାରୁ ଅଧିକ ଦୁଷ୍କର୍ମ ମାମଲା ଆସେ ରାଜସ୍ଥାନରୁ । ୨୦୨୨ରେ ରାଜସ୍ଥାନରେ ୫,୩୯୯ ମାମଲା ଦାଏର ହୋଇଥିଲା । ଦ୍ୱିତୀୟ ସ୍ଥାନରେ ଥିବା ଉତ୍ତର ପ୍ରଦେଶରେ ୩,୬୯୦ ମାମଲା ଦାଏର ହୋଇଥିଲା ।
ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅନେକ ସମୟରେ ପୀଡ଼ିତାଙ୍କ ଚିହ୍ନା ପରିଚିତ ଥାଆନ୍ତି । ଦୁଷ୍କର୍ମର ୯୬ ପ୍ରତିଶତ ମାମଲାରେ ଆପଣାର ତଥା ପରିଚିତ ଲୋକ ହିଁ ଅଭିଯୁକ୍ତ ଅଟନ୍ତି । ୨୦୨୨ ମସିହାରେ ୩୧ ହଜାର ୫୧୬ ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା । ଏଥିମଧ୍ୟରୁ ୩୦ ହଜାର ୫୧୪ ମାମଲାରେ ଅଭିଯୁକ୍ତ ପୀଡିତାଙ୍କ ପରିଚିତ । ସେଥିମଧ୍ୟରୁ ୨,୩୨୪ ଅଭିଯୁକ୍ତ ପୀଡିତାଙ୍କ ପରିବାରର ସଦସ୍ୟ ଥିଲେ । ଅନ୍ୟପଟେ ୧୪ ହଜାର ୫୮୨ ମାମଲାରେ ଅଭିଯୁକ୍ତ ଅନଲାଇନ୍ ବନ୍ଧୁ, ଲିଭ ଇନ୍ ପାର୍ଟନର କିମ୍ବା ବିବାହର ପ୍ରତିଶୃତି ଦେଇଥିବା ବ୍ୟକ୍ତି ଥିଲେ । ଏଥି ସହିତ ୧୩ ହଜାର ୫୪୮ ମାମଲା ଥିଲା, ଯେଉଁଥିରେ ଅଭିଯୁକ୍ତ ଦୂର ସମ୍ପର୍କୀୟ , ପଡ଼ୋଶୀ କିମ୍ବା ପରିଚିତ ଥିଲେ।
ଦୁଷ୍କର୍ମର କେତୋଟି ମାମଲାରେ ଦଣ୍ଡ ?
ଦୁଷ୍କର୍ମର ମାମଲାରେ ମାତ୍ର ୨୭ ରୁ ୨୮ ପ୍ରତିଶତ ଅଭିଯୁକ୍ତ ଦଣ୍ଡ ପାଆନ୍ତି । ଅର୍ଥାତ ୧୦୦ରୁ ୨୭ ମାମଲାରେ ହିଁ ଦୋଷୀ ପ୍ରମାଣିତ ହୋଇପାରେ । ଆଉ ପ୍ରମାଣ ଅଭାବରେ ଅନ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି । ରିପୋର୍ଟରେ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଦେଶର ପ୍ରାୟ ଦୁଇ ଲକ୍ଷ ଦୁଷ୍କର୍ମ ମାମଲା ବିଚାରାଧୀନ ଥିଲା। ହେଲେ ଏଥିରୁ ମାତ୍ର ୧୮୦୦୦ ମାମଲାର ଟ୍ରାଏଲ ହୋଇ ପାରିଥିଲା । ଯେଉଁ ମାମଲାର ଶୁଣାଣି ଶେଷ ହୋଇଥିଲା, ସେଥିରୁ କେବଳ ୫ ହଜାର ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଥିଲା। ୧୨,୦୦୦ ରୁ ଅଧିକ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଦୁଷ୍କର୍ମ ମାମଲାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ସତ୍ତ୍ୱେ ୨୪ ବର୍ଷ ମଧ୍ୟରେ କେବଳ ପାଞ୍ଚଜଣ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ୨୦୦୪ ରେ ଧନଞ୍ଜୟ ଚାଟାର୍ଜୀଙ୍କୁ ୧୯୯୦ ଦୁଷ୍କର୍ମ ମାମଲାରେ ଫାଶୀ ଦିଆଯାଇଥିଲା । ମାର୍ଚ୍ଚ ୨୦୨୦ ରେ ଚାରି ନିର୍ଭୟା ଦୋଷୀ - ମୁକେଶ, ବିନୟ, ପୱନ ଏବଂ ଅକ୍ଷୟଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଥିଲା ।
ମହିଳାବିରୋଧୀ ଅପରାଧରେ କ’ଣ ନିୟମ ରହିଛି ?
ଦୁଇ ମାସ ପୂର୍ବରୁ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ହୋଇଛି । ଆଇପିସିର ସ୍ଥାନ ନେଇଛି ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) । ଆଇପିସି ଧାରା ୩୭୫ରେ ଦୁଷ୍କର୍ମର ବ୍ୟାଖ୍ୟା କରାଯାଇଥିବା ବେଳେ ଧାରା ୩୭୬ରେ ଏହାର ଦଣ୍ଡ ପାଇଁ ବ୍ୟବସ୍ଥା ରହିଥିଲା । ଅନ୍ୟପଟେ ଭାରତୀୟ ନ୍ୟାୟ ସଂହିତା ଧାରାରେ ଦୁଷ୍କର୍ମକୁ ୬୩ ରେ ବ୍ୟାଖ୍ୟା କରାଯାଇଛି ଏବଂ ୬୪ ରୁ ୭୦ରେ ଦଣ୍ଡ ପ୍ରାବଧାନ ରହିଛି । ଆଇପିସିର ଧାରା ୩୭୬ ଅନୁଯାୟୀ, ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଥିଲା । ଭାରତୀୟ ନ୍ୟାୟ ସଂହିତାରେ ମଧ୍ୟ ସମାନ ଦଣ୍ଡ ବିଧାନ ରହିଛି । ଭାରତୀୟ ନ୍ୟାୟ ସଂହିତାରେ ନାବାଳିକାଙ୍କୁ ଦୁଷ୍କର୍ମ କଲେ କଡ଼ା ଦଣ୍ଡବିଧାନ ରହିଛି ।
୧୬ ବର୍ଷରୁ କମ ବୟସର ଝିଅ ସହ ଦୁଷ୍କର୍ମ ହେଲେ, ଅଭିଯୁକ୍ତକୁ ୨୦ ବର୍ଷର ଜେଲ ଦଣ୍ଡ ରହିଛି । ଏହି ଦଣ୍ଡ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ । ଅନ୍ୟପଟେ ୧୨ ବର୍ଷରୁ କମ ବୟସ୍କଙ୍କ ସହ କୁକର୍ମ କଲେ, ଦୋଷୀକୁ ୨୦ ବର୍ଷରୁ ଆରମ୍ଭ କରି ଆଜୀବନ ଜେଲଦଣ୍ଡ ହୋଇପାରେ । ଦୋଷୀ ଯେବେ ପର୍ଯ୍ୟନ୍ତ ଜୀବନ୍ତ ରହିବ , ସେବେ ପର୍ଯ୍ୟନ୍ତ ଜେଲରେ ମଧ୍ୟ ରହିପାରେ । ଅନ୍ୟପଟେ ଏଥିରେ ମୃତ୍ୟୁଦଣ୍ଡ ଓ ଜୋରିମାନାର ମଧ୍ୟ ପ୍ରାବଧାନ ରହିଛି । ଗଣଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷରୁ ଆଜୀବନ କାରାଦଣ୍ଡ ଏବଂ ଜୋରିମାନା ପର୍ୟ୍ୟନ୍ତ ବ୍ୟବସ୍ଥା ରହିଛି । ବିଏନଏସର ଧାରା ୭୦ (୨) ଅନୁଯାୟୀ, ନାବାଳିକା ସହିତ ଗଣଦୁଷ୍କର୍ମ ହୋଇଥିଲେ, ଦୋଷୀକୁ ଅତି କମରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ, କିନ୍ତୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ। ଏଭଳି ମାମଲାରେ ଜରିମାନା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଆଇପିସିରେ ୧୨ ବର୍ଷରୁ କମ୍ ଝିଅକୁ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ, ମୃତ୍ୟୁଦଣ୍ଡର ବ୍ୟବସ୍ଥା ଥିଲା । ବିଏନଏସର ଧାରା ୬୬ ଅନୁସାରେ ଦୁଷ୍କର୍ମ ମାମଲାରେ ମହିଳାଙ୍କ ମୃତ୍ୟୁ ହେଲେ, କିମ୍ବା କୋମା ପରି ଅବସ୍ଥାକୁ ଗଲେ ୨୦ ବର୍ଷର ସଜା ମିଳିବ । ଏହି ଦଣ୍ଡକୁ ବଢ଼ାଇ ଆଜୀବନ କିମ୍ବା ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ । ଭାରତୀୟ ନ୍ୟାୟ ସଂହିତାରେ ଏକ ନୂଆ ଧାରା ଯୋଡ଼ାଯାଇଛି । ଏଥିରେ ବିବାହ, ଚାକିରି, ପ୍ରମୋସନ ଆଦିର ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ରଖୁଥିବା ଦୋଷୀଙ୍କ ପାଇଁ ୧୦ ବର୍ଷର ଜେଲଦଣ୍ଡ ବ୍ୟବସ୍ଥା ରହିଛି । ଏହାବ୍ୟତୀତ ପରିଚୟ ଲୁଚାଇ ବିବାହ କଲେ ମଧ୍ୟ ୧୦ ବର୍ଷ ଜେଲଦଣ୍ଡ ବିଧାନ କରାଯାଇଛି ।
ଅଧିକ ପଢ଼ନ୍ତୁ: ‘ହତ୍ୟାଠୁ ବି ଜଘନ୍ୟ ଅପରାଧ ହେଉଛି ଦୁଷ୍କର୍ମ, ପୀଡ଼ିତାଙ୍କ ଆତ୍ମାକୁ ମାରିଦିଏ ଦୁଷ୍କର୍ମ କାଣ୍ଡ’
ନାବାଳିକାଙ୍କ ପାଇଁ POSCO ଆକ୍ଟ
୨୦୧୨ ନିର୍ଭୟା କାଣ୍ଡ ପରେ ଯୌନ ହିଂସା ଦ୍ୱାରା ପୀଡ଼ିତ ନାବାଳିକାଙ୍କ ପାଇଁ ନିୟମ ଅଣାଯାଇଥିଲା । ଏହି ନିୟମ ଥିଲା Protection of Children from Sexual Offences(POSCO) । ୨୦୧୨ରେ ଆସିଥିଲା ଏ ଆଇନ୍ । ଏହି ନିୟମ ୧୮ ବର୍ଷରୁ କମ୍ ଉଭୟ ବାଳକ ଏବଂ ବାଳିକାଙ୍କ ପାଇଁ ପ୍ରଯୁଜ୍ୟ । ଏହାର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଅଶ୍ଳୀଳତା ସହ ଜଡିତ ଅପରାଧରୁ ରକ୍ଷା କରିବା । ଏହି ନିୟମ ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ଲୋକଙ୍କୁ ଶିଶୁ ଭାବରେ ବିବେଚନା କରାଯାଏ ଏବଂ ପିଲାମାନଙ୍କ ବିରୁଦ୍ଧରେ ହୋଇଥିବା ଅପରାଧ ପାଇଁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ପୂର୍ବରୁ POCSO ଆଇନରେ ମୃତ୍ୟୁଦଣ୍ଡ ନଥିଲା, କିନ୍ତୁ ୨୦୧୯ ରେ ଏହାକୁ ସଂଶୋଧନ କରାଯାଇଥିଲା ଏବଂ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯାଇଥିଲା। ଏହି ଆଇନ ଅନୁଯାୟୀ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଏ । ଏହାର ଅର୍ଥ ଦୋଷୀ ଜେଲରୁ ଜୀବନ୍ତ ବାହାରି ପାରିବେ ନାହିଁ।
NCRB ରିପୋର୍ଟରେ ଦର୍ଶାଯାଇଛି, ୨୦୨୧ ମସିହାରେ POSCO ନିୟମ ଅନୁଯାୟୀ ସମଗ୍ର ଦେଶରେ ପ୍ରାୟ ୫୪ ହଜାର ମାମଲା ପଞ୍ଜିକୃତ ହୋଇଥିଲା। ୨୦୨୦ ରେ ୪୭ ହଜାର ମାମଲା ଦାଏର ହୋଇଥିଲା । ୨୦୧୭ ରୁ ୨୦୨୧, ପାଞ୍ଚ ବର୍ଷ ମଧ୍ୟରେ ୨.୨୦ ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି । ତେବେ POSCO ନିୟମ ଅନୁସାରେ ଦୋଷୀ ସାବ୍ୟସ୍ତ ହାର ବହୁତ କମ୍ ଅଟେ । ପରିସଂଖ୍ୟାନ ଅନୁସାରେ , ପାଞ୍ଚ ବର୍ଷ ମଧ୍ୟରେ ୬୧,୧୧୭ ଅଭିଯୁକ୍ତଙ୍କ ଶୁଣାଣି ଶେଷ ହୋଇଛି । ସେଥିମଧ୍ୟରୁ କେବଳ ୨୧,୦୭୦ ଅର୍ଥାତ୍ ପ୍ରାୟ ୩୫% ଦଣ୍ଡିତ ହୋଇଛନ୍ତି । ଅବଶିଷ୍ଟ ୩୭,୩୮୩ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।