• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜେଲ୍‌ରୁ ବାହାରୁ ବାହାରୁ ବିସ୍ଫୋରଣ । ଓକିଲ ଗେଟଅପ୍‌ରେ LAW ପରୀକ୍ଷା ଦେଲେ । ସମସ୍ତଙ୍କ ମୁଖା ଖୋଲିଦେବାକୁ ଧମକ ବି ଦେଲେ । ରାଜଧାନୀରେ ବହୁଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଦୀର୍ଘ ୧୪ମାସ ଧରି ଝାରପଡ଼ା ଜେଲ୍‌ରେ ରହିବା ପରେ ଆଜି ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି ଅର୍ଚ୍ଚନା ନାଗ । ଜେଲରୁ ବାହାରି ଆଇନ୍ ପରୀକ୍ଷା ଦେବାକୁ ସ୍ୱାମୀ ଜଗବନ୍ଧୁଙ୍କ ସହ କ୍ୟାପିଟାଲ ଲ’ କଲେଜ ଯାଇଥିଲେ ।

ଏକଜାମ୍ ହଲ୍‌ରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ବିଷୋଦଗାର କରିଥିଲେ ଅର୍ଚ୍ଚନା । କହିଥିଲେ, ସମସ୍ତଙ୍କ ମୁଖା ଖୋଲି ଦେବି, କିଛିଦିନ ଅପେକ୍ଷା କରନ୍ତୁ । ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି । ଜେଲ୍ ଯିବା ମୋ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା, ଅନେକ କିଛି ଶିଖିଲି । ଆଇନ୍ ଉପରେ ଭରସା ଅଛି, ନିଶ୍ଚିତ ନ୍ୟାୟ ମିଳିବ ।

ଆଜିର ଏଭଳି ଖୋଲାଖୋଲି ଚେତାବନୀ ପରେ ପ୍ରଶ୍ନ- କାହା ମୁଖା ଖୋଲିବେ ଅର୍ଚ୍ଚନା ? ତାଙ୍କ ପାଖରେ ଅଛି କେଉଁ ସବୁ ପ୍ରଭାବଶାଳୀଙ୍କ କଳା କାରନାମାର ଗୁମର ? କୋର୍ଟଙ୍କ ପାଖରେ କେଉଁ ସବୁ ନେତା, ବିଲଡର ଓ ପ୍ରଯୋଜକଙ୍କ ବିରୋଧରେ ଦେବେ ପ୍ରମାଣ ? ଏସବୁକୁ ନେଇ ପୁଣି ହଲଚଲ୍ ସୃଷ୍ଟି  ହୋଇଥିବା ବେଳେ ଆଇନଜୀବୀ କହିଛନ୍ତି- ଅର୍ଚ୍ଚନା ଯାହାଙ୍କ ବିରୋଧରେ ତଥ୍ୟ ପ୍ରମାଣ ଦେବେ, କୋର୍ଟ ତାକୁ ଗ୍ରହଣ କରିବେ । ମୋବାଇଲ୍, ପେନ୍ ଡ୍ରାଇଭ୍ ଓ ଡାଏରୀରେ କାହା କାହା ନାଁ ସବୁ ରହିଛି- ତାହା ମେଳ ଖାଇଲେ, ଦରକାର ପଡ଼ିଲେ ସେମାନଙ୍କୁ ବି କୋର୍ଟକୁ ଟଣାଯିବ ।

ତେବେ ମୁଁ ମୁହଁ ଖୋଲିଲେ, ଓଡ଼ିଶା ଦୋହଲିବ ବୋଲି ପୂର୍ବରୁ କହି ଆଣ୍ଟ ଦେଖାଇଥିବା ଅର୍ଚ୍ଚନା, ଇଡି ଓ ପୋଲିସ୍ ଆଗରେ କାହିଁକି କିଛି ତଥ୍ୟ ଓଗାଳିଲେନି ? ଯେହେତୁ ତାଙ୍କ ଗିରଫ ପରଠୁ କାହାରି ଜଣକୁ ବି ତଦନ୍ତକାରୀ ସଂସ୍ଥା ଜେରା କରିନି, ତେଣୁ ତାକୁ ନେଇ ବି ଉଠିଛି ପ୍ରଶ୍ନ ।

ଅକ୍ଟୋବର ୬- ୨୦୨୨ । ରାତି ଅଧିଆ ରେଡ୍ କରି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗଙ୍କୁ ବାନ୍ଧି ସିଧା ଜେଲ୍ ପଠାଇ ଦେଇଥିଲା ଖଣ୍ଡଗିରି ପୋଲିସ । ସୋସିଆଲ୍ ମିଡିଆରେ ବନ୍ଧୁତା ସ୍ଥାପନ କରି ନେତା, ପ୍ରଯୋଜକ ଓ ବିଲଡରଙ୍କ ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଖୋଦ୍ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ହୋଇଥିଲା ଆକ୍ସନ । ପରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ନାଗ ଓ ଷଡ଼ଯନ୍ତ୍ରକାରୀ ଖଗେଶ୍ୱର ପାତ୍ରକୁ ବି ଗିରଫ କରି ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ୍ ।

ଅର୍ଚ୍ଚନାଙ୍କ ଆଲିସାନ୍ ଘର, ଏକାଧିକ ଦାମୀ ଗାଡ଼ି ଓ ସ୍ୱାମୀ ଚଳାଉଥିବା ଫର୍ଣ୍ଣିଚର ସୋ ରୁମ୍ ଦେଖି ତାଜୁବ୍ ହୋଇଥିଲା ପୋଲିସ୍ । ଆୟ ଉତ୍ସର ସଠିକ୍ ତଥ୍ୟ ଦେଇନପାରିବାରୁ ଏସବୁକୁ ସିଜ୍ ବି କରି ଖୋଳତାଡ଼ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

  • Reported by:
  • DEBASHISH MOHANTY , CHANDAN PAIKRAY