• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଡ଼ୋଶୀ ଦେଶ ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ନୂଆ ନୁହେଁ । କେଉଁଠି ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଉଛି ତ କେଉଁଠି ହିନ୍ଦୁ ଯୁବତୀ ତଥା ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ବିଗତ ଦିନରେ ପାକିସ୍ତାନର ପଞ୍ଜାବ ଓ ସିନ୍ଧରେ ହିନ୍ଦୁଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବାର ଅନେକ ମାମଲା ମଧ୍ୟ ଆସିଛି । ପାକିସ୍ତାନରେ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କ ଉପରେ ଏପରି ଅତ୍ୟାଚାର ହେବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ସରକାର ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ବଢ଼ିଚାଲିଛି ନିର୍ଯାତନା । ଏବେ ପୁଣି ସିନ୍ଧ ପ୍ରଦେଶରେ ଜଣେ ହିନ୍ଦୁ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ବିଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି, ଯାହା ଶୁଣିଲେ ଛାତି ଥରି ଉଠିବ ।

ପାକିସ୍ତାନର ସିନ୍ଧ ପ୍ରଦେଶ ଅନ୍ତର୍ଗତ ସିଂଝୋରୋ ସହରରେ ଜଣେ ୪୦ ବର୍ଷିୟା ବିଧବାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ମହିଳାଙ୍କ ନାମ ଦୟା ଭୀଲ । ସେ ହିନ୍ଦୁ ହୋଇଥିବା ବେଳେ ଭୀଲ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ଦିୟାଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା କରିଦିଆଯାଇଛି । କେବଳ ପୀଡିତାଙ୍କ ମୁଣ୍ଡରୁଗଣ୍ଡି ଅଲଗା କରାଯାଇନି ବରଂ ବେଳେ ଛାତି ଓ ମୁହଁରୁ ମାଂସ ବାହାର କରାଯାଇ ରକ୍ତ ଜୁଡୁବୁଡୁ ମୃତଦେହକୁ ଏକ ବିଲରେ ଫିଙ୍ଗି ଦେଇଥିବା କହିଛନ୍ତି ପାକିସ୍ତାନ ପ୍ରଥମ ହିନ୍ଦୁ ମହିଳା ସିନେଟର କ୍ରିଷ୍ଣା କୁମାରୀ ।

 

ସ୍ଥାନୀୟ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, କୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ଦୟାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରାଯାଇଥିଲା । ମୁହଁରୁ ଚମଡା ଉତାରି ଦେବା ଫଳରେ ଖପୁରୀ ଦେଖାଯାଉଛି । ସେହିପରି ସ୍ତନକୁ କାଟି ଦେଇଥିବା ବେଳେ ଛାତିରୁ ଏକ ବଡ ଖଣ୍ଡ ମାଂସ କାଟି ଦିଆଯାଇଛି । ଫଳରେ ମୃତକଙ୍କ ପଞ୍ଜରା ହାଡ ମଧ୍ୟ ଦେଖାଯାଉଛି । ସିଂଝୋରୋ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଜ୍ଞାତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ନାଇପର ଡଗର ସହାୟତା ନେଉଛି ପୋଲିସ୍‌ । ତେବେ ଦିୟା ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି ।

ଦିୟାଙ୍କୁ ନ୍ୟାୟ ପାଇଁ ସିନ୍ଧ ପ୍ରଦେଶରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ପାକିସ୍ତାନ ପିପୁଲସ୍ ପାର୍ଟିର ସିନେଟର କ୍ରିଷ୍ଣା କୁମାରୀ, ମୃତ ଦୟା ଭୀଲଙ୍କ ଗାଁକୁ ଯାଇ ପୀଡିତ ପରିବାରକୁ ଭେଟିଛନ୍ତି ।  କ୍ରିଷ୍ଣା ଟ୍ୱିଟରରେ ଲେଖିଛନ୍ତି, "୪୦ ବର୍ଷିୟା ଦୟା ଭୀଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ଓ ତାଙ୍କର ମୃତଦେହକୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଉଦ୍ଧାର କରାଯାଇଥିଲା । ସିଂଝୋରୋ ଓ ସାହାପୁରଚକର ପୋଲିସ ଟିମ ମିଳିତ ଭାବେ ଘଟଣାର ତଦନ୍ତ ଚଳାଇଛନ୍ତି ।"  

ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଥିବା ଲଗାତର ଅଭିଯୋଗ ହେଉଛି । କିଛି କଟ୍ଟର ଗୋଷ୍ଠୀଙ୍କ ଦ୍ୱାରା କେତେବେଳେ ହିନ୍ଦୁ ବିରୋଧି ମନ୍ତବ୍ୟ ଦିଆଯାଉଛି ତ କେତେବେଳେ ହିନ୍ଦୁ ନାବାଳିକା ଓ ମହିଳାଙ୍କୁ ଅପହରଣ କରି ସେମାନଙ୍କୁ ଯୌନ ନିର୍ଯାତନା ଦେବା ସହ ବଳ ପୂର୍ବକ ଧର୍ମ ପରିବର୍ତ୍ତନ କରି ବିବାହ କରାଯାଉଛି । ଗତ ମାର୍ଚ୍ଚ ୧୮ରେ ପୂଜା ନାମକ ଜଣେ ୧୮ ବର୍ଷିୟା ହିନ୍ଦୁ ଯୁବତୀଙ୍କୁ ସିନ୍ଧରେ ଗୁଳି କରି ହତ୍ୟା କରାଯାଇଥିଲା । ଧର୍ମ ପରିବର୍ତ୍ତନ ଓ ବିବାହ କରିବାକୁ ମନା କରିବାରୁ ପୂଜାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ରିପୋର୍ଟ ଅନୁସାରେ କେବଳ ସିନ୍ଧ ପ୍ରଦେଶରେ ବାର୍ଷିକ ପ୍ରାୟ ହଜାରେ ସଂଖ୍ୟାଲଘୁ ଯୁବତୀ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ।

(ରିପୋର୍ଟ - ଶଙ୍କର୍ଷଣ ବାଘ)