• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା । ଗୁଜରାଟର ବଲସାଡ଼ ଜିଲ୍ଲାରେ ଜଣେ ଟାଣୁଆ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସୋମବାର ଦିନ ସକାଳେ ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଛି । ସ୍ତ୍ରୀଙ୍କ ସହିତ ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ମାରିଥିବା ବେଳେ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବିଜେପି ଉପାଧ୍ୟକ୍ଷ ଶୈଲେଶ ପଟେଲ ଆଜି ସକାଳୁ ସକାଳୁ ପରିବାର ସହିତ ଶିବ ମନ୍ଦିରକୁ ଯାଇଥିଲେ । ମହାଦେବଙ୍କ ଦର୍ଶନ ପରେ ଫେରିବା ସମୟରେ ଏକ ବାଇକରେ ସବାର ଥିବା ଚାରିଜଣ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଚାରି ରାଉଣ୍ଡର ଗୁଳି ମାରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ଶୈଳେଶ ପଟେଲଙ୍କୁ ଗୁଳି ମାରିବା ସମୟରେ ତାଙ୍କ ପରିବାର ମଧ୍ୟ ତାଙ୍କ ସହ ଥିଲେ । ତେବେ ବର୍ତ୍ତମାନ ବିଜେପି ନେତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଶବ ନେବାକୁ ରାଜି ନୁହଁନ୍ତି । ଯେପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ି ନାହିଁ ତଥା ସେମାନଙ୍କୁ ନ୍ୟାୟ ନମିଳିଛି, ସେପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି କହିଛନ୍ତି । ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ସ୍ପଷ୍ଟ ଦିବାଲୋକରେ ଏପରି ହତ୍ୟା ହେଲେ, ୟୁପି ଏବଂ ଗୁଜୁରାଟ ମଧ୍ୟରେ ପାର୍ଥକ୍ୟ କ’ଣ ରହିବ ।

ପୂରା ଘଟଣାକ୍ରମ . .

ବିଜେପି ନେତା ଶୈଲେଶ ପଟେଲ ଗାଡ଼ିରେ ବସି ନିଜ ସ୍ତ୍ରୀକୁ ଅପେକ୍ଷା କରିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଅଚାନକ୍‌ ଜଣେ ବ୍ୟକ୍ତି ତାଙ୍କ ପାଖରେ ପହଞ୍ଚିଥିଲା । ଆଉ ତା’ପରେ ଶୈଲେଶ କିଛି ବୁଝିବା ପୂର୍ବରୁ ତାଙ୍କ ପାଖରେ ପହଞ୍ଚିଥିଲା ଏକ ବାଇକ୍ । ସେଥିରେ ଚାରି ଜଣ ବ୍ୟକ୍ତି ସବାର ଥିବାବେଳେ ବିଜେପି ନେତାଙ୍କୁ ଲକ୍ଷ୍ୟ କରି ଗୋଟିଏ ପରେ ଗୋଟିଏ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ ଅଭିଯୁକ୍ତ । ଆଉ ତା’ପରେ ଫେରାର ମାରିଥିଲେ ଚାରି ଜଣ ।

ଶୈଲେଶଙ୍କ ସ୍ତ୍ରୀ ଦର୍ଶନ ସାରି ଗାଡ଼ି ପାଖରେ ପହଞ୍ଚିବା ପରେ ଦେଖିଲେ ଚାରିଆଡେ ରକ୍ତର ଛିଟା । ସ୍ୱାମୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ସେ ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ଆଖପାଖର ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବର୍ତ୍ତମାନ ପୋଲିସ ଚାରିଆଡ଼େ ନାକାବନ୍ଦି କରିବା ସହ ସିସିଟିଭି ଫୁଟେଜ ମାଧ୍ୟମରେ ହତ୍ୟାକାରୀଙ୍କୁ ଖୋଜୁଛି ।