• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭରତପୁର ଥାନା ବିବାଦର ସମାଧାନ ପାଇଁ ସରକାରଙ୍କ କସରତ । ଗୋଟିଏ ପଟେ ବିଳମ୍ବିତ ରାତି ଯାଏଁ ଖୋଦ୍ ମୁଖ୍ୟମନ୍ତ୍ରୀ ବୈଠକ କରି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ, ଆଉ ଅନ୍ୟପଟେ ପୀଡ଼ିତା, ତାଙ୍କ ବାପା ଓ ଆର୍ମି ମେଜରଙ୍କ ସହ ଲୋକସେବା ଭବନରେ ଆଲୋଚନା ବି କରିଛନ୍ତି । ନ୍ୟାୟ ପାଇଁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଆଶ୍ୱସ୍ତ ହୋଇଛନ୍ତି ପୀଡ଼ିତା ।

ସେହିପରି ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାସ କହିଛନ୍ତି, ଖୁବ୍ ଶୀଘ୍ର ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ନ୍ୟାୟ ପ୍ରଦାନ କରାଯିବ । ଭରତପୁର ଥାନାରେ ୧୪ ତାରିଖ ବିଳମ୍ବିତ ରାତିର ବିବାଦ, ଆଉ ଲୋକସେବା ଭବନରେ ୨୨ ତାରିଖ ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ଗତ ୮ ଦିନ ହେଲା ଭରତପୁର ଥାନା ଘଟଣାକୁ ନେଇ ନିଆଁ ତେଜୁଥିବା ବେଳେ ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର ।

କେନ୍ଦୁଝରରୁ ଫେରି ଗତକାଲି ରାତି ୧୨ଟା ଯାଏଁ ଉଚ୍ଚସ୍ତରୀୟ ବୈଠକ କରି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ସହ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ହାଇକୋର୍ଟଙ୍କ ମନିଟରିଂରେ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଆଉ ଆଜି ଲୋକସେବା ଭବନରେ ନିଜେ ମୁଖ୍ୟମନ୍ତ୍ରୀ ପୀଡ଼ିତା, ତାଙ୍କ ବାପା, ଆର୍ମି ମେଜରଙ୍କ ସହ କିଛି ପୂର୍ବତନ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ ମଧ୍ୟ ଆଲୋଚନା କରିଛନ୍ତି । ଆଲୋଚନା ପରେ ପୀଡ଼ିତା କହିଛନ୍ତି, ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ କଲେ ମୋହନ ମାଝୀ । ଅନୁରୋଧ ରକ୍ଷା କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପୀଡ଼ିତାଙ୍କ ବାପା ।

ଅନ୍ୟ ପଟେ ଏହି ମାମଲାରେ ନିଯୁକ୍ତ ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାଶ କହିଛନ୍ତି, ନ୍ୟାୟ ନିଶ୍ଚିତ ମିଳିବ । ରୋଡ୍ ରୋମିଓ, ପୋଲିସ୍ ଏବଂ ଆର୍ମି ଅଫିସରଙ୍କ ସମେତ ପୀଡ଼ିତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଆର୍ମି ଅଫିସରଙ୍କ ବିରୋଧରେ ବିଶେଷ କ୍ଷେତ୍ର ବିନା ଫୌଜଦାରୀ ମାମଲା ମନା ରହିଛି ବୋଲି ମଧ୍ୟ ଜଷ୍ଟିସ୍ ଦାଶ ସୂଚନା ଦେଇଛନ୍ତି ।

୬୦ ଦିନ କାର୍ଯ୍ୟକାଳ ଥିବା ବେଳେ ସପ୍ତାହକ ଭିତରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହି ମାମଲାରେ ହସ୍ତକ୍ଷେପ ପାଇଁ ଗତ ୧୮ ତାରିଖରେ ସ୍ଥଳ ସେନା ମଧ୍ୟ ଭାରତ ଏରିଆ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍. ଶେଖାୱତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ । ଘଟଣାକୁ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି କିଛି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ ।

ଏହି ଘଟଣାରେ ପୀଡ଼ିତା ଏବଂ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି । ସେହିପରି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ମନିଟରିଂ ପାଇଁ ମନା କରିଛନ୍ତି ହାଇକୋର୍ଟ । ତେବେ ଭରତପୁର ଥାନାରେ ସିସିଟିଭି ଲାଗିନଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ସମସ୍ତ ଥାନାରେ ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଘଟଣାରେ ସରକାରଙ୍କ ତ୍ୱରିତ ପଦକ୍ଷେପକୁ ହାଇକୋର୍ଟ ପ୍ରଂଶସା କରିଥିବା ଜଣାପଡିଛି ।

  • Reported by:
  • GAUTAM PANDA , DEBASHISH MOHANTY , JAGDISH DAS , SOUMYA RANJAN SAHOO , CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now