• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଏକ ଫ୍ଲାଟର ବନ୍ଦ କୋଠରୀ। ଆଉ ସେହି କୋଠରୀ ଭିତରେ ଏକ ରହସ୍ୟମୟ ସୁଟକେସ୍। ସୁଟକେସ୍ ଖୋଲିବା ପରେ ସେଥିରେ ଯାହା ଥିଲା ତାକୁ କେହି ସୁସ୍ଥ ମସ୍ତିସ୍କଧାରୀ ଦେଖିପାରିବେନି। ଭିତରେ ଥିଲା ଝିଅଟିଏ। ଦୁନିଆ ଜାଣିବା ପୂର୍ବରୁ ରାକ୍ଷସ ତାକୁ ଘର ଭିତରେ ଦୁଷ୍କର୍ମ କଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅତି ଅମାନବୀୟ ଢଙ୍ଗରେ ସୁଟକେସରେ ପୁରାଇ ବନ୍ଦ କରିଦେଇଥିଲା। ଏଭଳି ଘଟଣା କେଉଁଠି ଓ କେମିତି ଘଟିଲା ଜାଣିଲେ ଚକିତ ହେଇଯିବେ।

ଗୋଟିଏ କୁଆଁରୀ ଝିଅର ସ୍ବପ୍ନ ମରିଗଲା

୭ ତାରିଖ ଶନିବାର ରାତି। ଦିଲ୍ଲୀ ଦୟାଲପୁର ଥାନା ଅନ୍ତର୍ଗତ ନେହେରୁ ବିହାର ଅଞ୍ଚଳ। ଝିଅଟି ବରଫ ଦେବା ପାଇଁ ତା'ର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲା। ତା'ପରେ ସେ ଅନ୍ଧାର ରାସ୍ତାରେ ହଠାତ୍ ନିଖୋଜ ହୋଇଗଲା। ସମ୍ପର୍କୀୟଙ୍କ ଘରେ ପହଞ୍ଚିପାରିଲା ନାହିଁ। ପରିବାର ଲୋକ ତାକୁ ଖୋଜିବା ଆରମ୍ଭ କଲେ। ଅନ୍ଧାର ରାତିରେ ଝିଅଟି କେଉଁଆଡ଼େ ଗଲା ଏକଥା ଭାବି ଘରେ କାନ୍ଦ ବୋବାଳି ପଡ଼ିଲା।

ପାଞ୍ଚ ମହଲା କୋଠାରେ…

ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ଆଖପାଖ ଲୋକଙ୍କୁ ପଚାରିଥିଲେ। ବଡ଼ ସୁରାଗ୍ ମିଳିଥିଲା। ଘରଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ପାଞ୍ଚ ମହଲା କୋଠାର ଦ୍ୱିତୀୟ ମହଲାରେ ନୌଶାଦ ଫ୍ଲାଟ ଆଡ଼କୁ ଝିଅ ଯାଇଥିବା ଖବର ମିଳିଥିଲା। ସମସ୍ତେ ନୌଶାଦର ଫ୍ଲାଟ ଆଡ଼କୁ ଦୌଡ଼ିଥିଲେ।

କିଟିକିଟି ଅନ୍ଧାର ଭିତରେ ସେଇ ସୁଟକେସ୍

ପରିବାର ଲୋକେ ସେହି ଫ୍ଲାଟରେ ପହଞ୍ଚିଲେ। ଉକ୍ତ ବଖରାଟି ବାହାର ପଟୁ ବନ୍ଦ ଥିଲା। ଚାବିଟି ଭଡ଼ାଟିଆର ଭାଇଙ୍କ ନିକଟରେ ଥିବା ଜଣାପଡ଼ିଥିଲା। ଘରର ତାଲା ଭଙ୍ଗାଗଲା। ଘର ଭିତର ଅନ୍ଧାର ଥିଲା। ମୋବାଇଲ ଲାଇଟ୍ ମାରି ସମସ୍ତେ ଘର ଭିତରେ ଖୋଜାଖୋଜି କରିଥିଲେ। ଝିଅଟି ଏକ ସୁଟକେସ ଭିତରେ ମିଳିଥିଲା। ଝିଅଟି ଏକ ପ୍ରକାର ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡ଼ିଥିଲା। ଶରୀର ରକ୍ତ ଜୁଡୁଥିଲା। ତା ମୁହଁରେ ଗଭୀର କ୍ଷତ ଚିହ୍ନ ଥିଲା।

ଶବକୁ କୋଳେଇନେଲେ

ସୁଟକେସରୁ ଝିଅକୁ ପାଇବା ପରେ ତୁରନ୍ତ ନିକଟରେ ଥିବା ଏକ କ୍ଲିନିକ୍ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କହିଥିଲେ। ତୁରନ୍ତ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ଝିଅକୁ ପ୍ରବେଶ ଚନ୍ଦ୍ର ହସ୍ପିଟାଲକୁ ନେଇଯାଇଥିଲେ। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆରମ୍ଭରୁ ହିଁ ଡାକ୍ତର ଦୁଷ୍କର୍ମ ସମ୍ପର୍କରେ ସ୍ପଷ୍ଟ କରିଦେଇଥିଲେ। ଡାକ୍ତରଙ୍କ ମୁହଁରୁ ଏକଥା ଶୁଣି ବାପା ମା ଶ୍ବାସରୁଦ୍ଧ ପରି ମନେ କରୁଥିଲେ। ସେମାନଙ୍କ ଆଖପାଖର ଦୁନିଆ ଯେମିତି ଅନ୍ଧାର ଲାଗୁଥିଲା।

ନୃଶଂସ ନୌଶାଦ

ଘର ଭିତରେ ନରସଂହାର କରିଥିବା ସେହି ହତ୍ୟାକାରୀ ଥିଲା ନୌଶାଦ। ଯିଏ ସେହି କୋଠାରେ ରୁହେ। ଦୁଷ୍କର୍ମ ସହିତ ହତ୍ୟା କରିବା ପରେ ସେ ନାବାଳିକାର ମୃତଦେହକୁ ଏକ ସୁଟକେସରେ ଲୁଚାଇ ଦେଇଥିଲା। ପୁଲିସ ଅଭିଯୁକ୍ତ ନୌଶାଦକୁ ଚିହ୍ନଟ କରିଛି। ତା' ଫଟୋ ମଧ୍ୟ ସାମନାକୁ ଆସିଛି। ମୃତ ନାବାଳିକାର ପରିବାର ଏବଂ ସ୍ଥାନୀୟ ଲୋକଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ତାକୁ ଫାଶି ଖୁଣ୍ଟରେ ଚଢ଼ାଇବାକୁ ସମସ୍ତେ ଅଡ଼ି ବସିଛନ୍ତି।

କେମିତି ଖସିଗଲା ନୌଶାଦ

ଘର ଭିତରେ ନାରକୀୟ କାଣ୍ଡ ଘଟାଇଥିବା ନୌଶାଦ ଘରର ତାଲା ନିଜେ ଦେଇଥିଲା। କିନ୍ତୁ ପଡ଼ୋଶୀଙ୍କ ସାମନାରେ ମିଛ ଡ୍ରାମା କରିଥିଲା। ଘରର ଚାବି ତା ଭାଇ ନିକଟରେ ଥିବା କହିଥିଲା। ଚାବି ଆଣିବାକୁ କହି ସେଠାରୁ ଫେରାର ହୋଇଯାଇଥିଲା। ଏହି ଘଟଣା ଜଣାପଡ଼଼ିବା ପରେ ଅସନ୍ତୋଷ ତୀବ୍ର ଭାବେ ବଢ଼ିଯାଇଛି। କରାୱାଲ ନଗର ମେନ୍ ରୋଡରେ ଲୋକେ ରାସ୍ତାକୁ ଓହ୍ଲାଇଲେଣି। ଅଭିଯୁକ୍ତର ହାପୁରରେ ଥିବା ଭଉଣୀଙ୍କ ଘର ସମେତ ଅନେକ ସ୍ଥାନରେ ପୁଲିସ ଘଣ୍ଟାଚକଟା କରିସାରିଲାଣି।

ମାଲବାହୀ ଅଟୋ ଚଲାଏ ନୌଶାଦ

ନୌଶାଦ ଏକ ମାଲବାହୀ ଅଟୋ ଚଲାଏ। ସେ ସେହି ଫ୍ଲାଟରେ ଏକୁଟିଆ ରହୁଥିଲା। ତା ପ୍ରଥମ ସ୍ତ୍ରୀ ତାକୁ ଛଅ ବର୍ଷ ତଳେ ଛାଡ଼ପତ୍ର ଦେଇଥିଲେ। ଦୁଇ ବର୍ଷ ତଳେ ସେ ପୁଣି ଦ୍ବିତୀୟ ବିବାହ କରିଥିଲା। ଦ୍ବିତୀୟ ପତ୍ନୀଙ୍କ ଏକ ମାସର ଶିଶୁପୁତ୍ର ଅଛି। ଘଟଣା ଘଟିବାର ଦୁଇ ଦିନ ପୂର୍ବରୁ ପତ୍ନୀ ନିଜ ପୁଅକୁ ଧରି ବାପ ଘରକୁ ଯାଇଥିଲେ।

ପର୍ବ ପାଇଁ ଘରେ ଥିଲା ଉତ୍ସବର ପରିବେଶ

ଝିଅଟିର ପରିବାର ନେହେରୁ ବିହାର ଅଞ୍ଚଳରେ ରୁହନ୍ତି। ତାଙ୍କ ବାପା ଅଟୋ ଚଲାନ୍ତି। ଘରେ ବାପା, ମାଙ୍କ ସମେତ ଦୁଇ ଭାଇ ଅଛନ୍ତି। ଝିଅଟି ମ୍ୟୁନିସିପାଲ କର୍ପୋରେସନ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲା। ବକ୍ରିଇଦ୍ ପାଇଁ ପରିବାରରେ ଖୁସିର ମାହୋଲ ଥିଲା। ରାତିରେ ତା ମାମୁ ମୁସ୍ତାଫାବାଦରେ ଏକ ଇଦ୍ ଭୋଜି ଆୟୋଜନ କରିଥିଲେ। ସେ ଭୋଜିକୁ ଯିବା ପାଇଁ ପ୍ରସ୍ତୁତ ବି ହୋଇଥିଲା। କିନ୍ତୁ ତା ପୂର୍ବରୁ ସବୁ କିଛି ଓଲଟି ଯାଇଥିଲା ଏହି ପରିବାର ପାଇଁ।