• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀର ଏକ ହୋଟେଲରୁ ଶୁଭଲକ୍ଷ୍ମୀ ସାହୁଙ୍କ ମରଶରୀର ଉଦ୍ଧାର ଘଟଣାକୁ ବିତିଲାଣି ୪ ଦିନ । ତଥାପି ହତ୍ୟା ନା ଆତ୍ମହତ୍ୟା ? ମୃତ୍ୟୁପଛର ରହସ୍ୟ କ’ଣ ? ସାମ୍ନାକୁ ଆସିପାରୁନି ସତ । ଏସବୁ ଭିତରେ ଆଜି ଆସିଛି ବ୍ୟବଛେଦ ରିପୋର୍ଟ । ଯେଉଁଥିରେ ଶ୍ୱାସରୁଦ୍ଧରୁ ଶୁଭଲକ୍ଷ୍ମୀ ପ୍ରାଣ ହରାଇଥିବା ଦର୍ଶାଯାଇଛି । ତା’ସହ ସେ ନିଶାସକ୍ତ ଥିଲେ ନା ବିଷକ୍ରିୟାଜନିତ ମୃତ୍ୟୁ,ତାର ଯାଞ୍ଚ ପାଇଁ ଫୋରେନସିକ୍ ଲ୍ୟାବକୁ ଭିସେରା ପଠାଯାଇଛି । ତେଣେ ପରିବାରର ୩ ସଦସ୍ୟଙ୍କ ସମେତ ହୋଟେଲ ମ୍ୟାନେଜର ଏବଂ ପୁରୁଷ ବନ୍ଧୁଙ୍କଠାରୁ ତଥ୍ୟ ଆଦାୟ କରୁଛି ପୋଲିସ ।

କେତେବେଳେ ନିଜ ମନଲାଖି ଗୀତରେ ରିଲ୍ କରୁଥିଲେ..ତ ଆଉ କେତେବେଳେ ନୃତ୍ୟରେ ରହୁଥିଲେ ବିଭୋର..ସୋସିଆଲ୍ ମିଡ଼ିଆରେ ରିଲ୍ ପୋଷ୍ଟ କରୁଥିଲେ ଖୁସ୍ ମିଜାଜର ଅଳ୍ପ ବୟସର ଯୁବତୀ ଶୁଭଲକ୍ଷ୍ମୀ । ରାଜଧାନୀର ଛାତି ଉପରେ ରହସ୍ୟଜନକ ଭାବେ ପ୍ରାଣ ହରାଇବେ, ନା କେହି କଳ୍ପନା କରିଥିବେ ନା କେହି ଭାବିଥିବେ । କିନ୍ତୁ ଘଟିଗଲା ଅଘଟଣ, ସୁଦୂର ଭଦ୍ରକ ଅଞ୍ଚଳର ଶୁଭଲକ୍ଷ୍ମୀ ସାହୁଙ୍କ ଚାଲିଗଲା ଜୀବନ ।

କଳ୍ପନା ଛକ ନିକଟ ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲରୁ ମିଳିଥିଲା ଶୁଭଲକ୍ଷ୍ମୀ ମୃତଦେହ । ଇତିମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଛି । କିନ୍ତୁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଉପରୁ ହଟୁନି ସସପେନ୍ସ । ଏସବୁ ଭିତରେ ଆଜି ଆସିଛି ବ୍ୟବଛେଦ ରିପୋର୍ଟ । ଯେଉଁଥିରେ ଦର୍ଶାଯାଇଛି, ଶ୍ୱାସରୁଦ୍ଧରୁ ଶୁଭଲକ୍ଷ୍ମୀଙ୍କ ପ୍ରାଣହାନୀ ହୋଇଛି । ତେବେ ମୃତ୍ୟୁପୂର୍ବରୁ ସେ ନିଶାସକ୍ତ ଥିଲେ ନା ଏହା କୌଣସି ବିଷକ୍ରିୟାଜନିତ ମୃତ୍ୟୁ, ତାହା ଜାଣିବା ପାଇଁ ଫୋରେନସିକ୍ ଲ୍ୟାବକୁ ଭିସେରା ପଠାଯାଇଥିବା ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଶୁଭଲକ୍ଷ୍ମୀ ସାହୁଙ୍କ ବୟସ ମାତ୍ର ୧୮ ବର୍ଷ । ହୋଟେଲ କର୍ମଚାରୀଙ୍କ ପୂର୍ବ ବୟାନ ଅନୁଯାୟୀ, ଗତ ଶୁକ୍ରବାର ରାତି ୩ଟା ୨୦ରେ ହୋଟେଲ ଦୀପାଲି ଇଣ୍ଟରନ୍ୟାସନାଲରେ ଶୁଭଲକ୍ଷ୍ମୀ ଚେକଇନ୍ କରିଥିଲେ । ରହିଥିଲେ ୨୦୫ ନମ୍ବର ରୁମରେ । କିନ୍ତୁ ରହଣୀର କେଇ ସମୟ ମଧ୍ୟରେ ଏମିତି କ’ଣ ଘଟିଗଲା କେଜାଣି, ଶନିବାର ମିଳିଥିଲା ତାଙ୍କର ଡେଡବଡ଼ି । ସକାଳେ ଓ ମଧ୍ୟାହ୍ନରେ କବାଟ ନଖୋଲିବାରୁ ହୋଟେଲ୍ କର୍ମଚାରୀଙ୍କ ସନ୍ଦେହ ବଢ଼ିଥିଲା ଏବଂ ରୁମ୍ କବାଟ ଭାଙ୍ଗିବା ପରେ ଦେଖାଯାଇଥିଲା ତାଙ୍କର ଝୁଲନ୍ତା ମୃତଶରୀର ।

ଏଠି ପ୍ରଶ୍ନ, ଭୁବନେଶ୍ୱରରେ ରହୁଥିବା ଶୁଭଲକ୍ଷ୍ମୀ କାହିଁକି ଯାଇ ରହିଥିଲେ ହୋଟେଲରେ ? ତାଙ୍କ ରୁମକୁ ଆଉ କିଏ ଯାଇଥିଲେ କି ? ଯଦି ଏହା ଆତ୍ମହତ୍ୟା, ତେବେ ହୋଟେଲକୁ ଆସି ସୁଇସାଇଡର ରହସ୍ୟ କ’ଣ ? ଆଉ ଯଦି ହତ୍ୟା, ତେବେ କିଏ ଓ କାହିଁକି କଲା ହତ୍ୟା ? ତେଣେ ଶୁଭଲକ୍ଷ୍ମୀଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଯାଇଥିବାବେଳେ ସଞ୍ଜୟ ନାମକ ଜଣେ ଯୁବକଙ୍କ ନାଁ ସାମ୍ନାକୁ ଆସିଛି । କୁହାଯାଉଛି, ସଞ୍ଜୟ ହେଉଛନ୍ତି ଶୁଭଲକ୍ଷ୍ମୀଙ୍କ ପୁରୁଷବନ୍ଧୁ । ତାଙ୍କ ସହ ବି ଶୁଭଲକ୍ଷ୍ମୀ କିଛି ରିଲ୍ କରିଥିବା ଦେଖିବାକୁ ମିଳିଛି ସୋସିଆଲ୍ ମିଡ଼ିଆରେ । ଏପରିକି ଶୁଭଲକ୍ଷ୍ମୀଙ୍କ ବାପା ଆଜି ସଞ୍ଜୟଙ୍କ ନାଁ ବି ନେଇଛନ୍ତି । ତେବେ ଏନେଇ ସଞ୍ଜୟଙ୍କୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରିନି ।

ଏହି ମାମଲାରେ ଏଯାଏଁ ଥଳକୂଳ ପାଇନଥିବା କମିଶନରେଟ୍ ପୋଲିସ ୬ ଜଣଙ୍କୁୁ ପଚରାଉଚରା ଚଳାଇଛି । ଶୁଭଲକ୍ଷ୍ମୀଙ୍କ ବାପା, ମା, ହୋଟେଲ୍ ଦୀପାଲି ଇଣ୍ଟରନ୍ୟାସନାଲର ମ୍ୟାନେଜର ଏବଂ ପୁରୁଷ ବନ୍ଧୁ ସଞ୍ଜୟଙ୍କ ଠାରୁ ପୋଲିସ ତଥ୍ୟ ସଂଗ୍ରହ କରୁଛି । ତା’ସହ ଫରେନସିକ ଲ୍ୟାବକୁ ପଠାଯାଇଥିବା ଶୁଭଲକ୍ଷ୍ମୀଙ୍କ ମୋବାଇଲର କଲ୍ ଡିଟେଲସକୁ ଅପେକ୍ଷା କରିଛି । କୁହାଯାଉଛି, ଏହି CDR ହିଁ ଗୁମର ଖୋଲିପାରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ ।

  • Reported by:
  • ATULYA BOUT , Partha Sarathi nayak