Advertisment

କାହାର ଏ ମୃତଦେହ ? ଜଣେ ନଦୀରୁ ଉଦ୍ଧାର, ଆଉ ଜଣେ ଇଣ୍ଟରଭିୟୁ ଦେବାକୁ ଯାଇ ନିଖୋଜ

ଯୁବତୀଙ୍କର ପ୍ରକୃତ ପରିଚୟ ମିଳି ପାରିନଥିବା ବେଳେ ମୃତଦେହର ଡିଏନ୍‌ଏ ଟେଷ୍ଟ ପାଇଁ ଦାବି ଉଠିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Girl Deadbody Found From River In Niali

Girl Deadbody Found From River In Niali

କଟକ ନିଆଳି ଥାନା ତିହୁଡି ସ୍ଥିତ ଦେବୀ ନଦୀର ଆଠାମାଣିଆ ଘାଇ ନିକଟରୁ ମିଳିଥିବା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାର ନୂଆମୋଡ଼ ନେଇଛି। ଯୁବତୀଙ୍କର ପ୍ରକୃତ ପରିଚୟ ମିଳି ପାରିନଥିବା ବେଳେ ମୃତଦେହର ଡିଏନ୍‌ଏ ଟେଷ୍ଟ ପାଇଁ ଦାବି ଉଠିଛି।  ଗତକାଲି ଆଠମାଣିଆ ଘାଇ ନିକଟରୁ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। 

Advertisment

ଖବରପାଇ ନିଆଳି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତେବେ ଯୁବତୀଙ୍କ ପରିଚୟ ମିଳି ପାରିନଥିବା ବେଳେ ମୃତ୍ୟୁ କାରଣ ମଧ୍ୟ ଅସ୍ପଷ୍ଟ ରହିଛି।  ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନିଆଳି ଶ୍ମଶାନରେ ମୃତଦେହକୁ ନିଆଳି ପୋଲିସ ପୋତି ଦେଇଛି। ଏପଟେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବତୀ ନିଖୋଜ ଥିବାରୁ ସମ୍ପୃକ୍ତ ମୃତଦେହର ଡିଏନ୍‌ଏ ଟେଷ୍ଟ ପାଇଁ ଦାବି ଉଠିଛି।

ସୂଚନାଥାଉ କି, ଗତ ସେପ୍ଟେମ୍ବର ୧୨ ତାରିଖରେ ନିଆଳି ଥାନା ପୋଖରିଗା ଗଣ୍ଡକୁଲ ଗାଁର ସନ୍ତୋଷ ରାଉତଙ୍କ ଝିଅ ପ୍ରମୋଦିନୀ ସକାଳେ ଇଣ୍ଟରଭିୟୁ ଦେବାକୁ କଟକ ଯାଇଥିଲେ। ଦିନ ୨ଟାରେ ଘର ଲୋକଙ୍କୁ ଫୋନ୍ କରି କିଛି ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବେ ବୋଲି କହିଥିଲେ। ଘରକୁ ନ ଫେରିବାରୁ ସନ୍ଧ୍ୟାରେ ପରିବାର ଲୋକେ ଝିଅକୁ ଫୋନ୍ କରିଥିଲେ। ତା’ ପରଦିନ ନିଆଳି ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। 

Advertisment

ସେହି ଦିନଠାରୁ ପ୍ରମୋଦିନୀଙ୍କୁ ଖୋଜଖବର ମିଳୁନି। ସେପଟେ ଜଣେ ଅଜଣା ଯୁବତୀଙ୍କୁ ମୃତଦେହ ସ୍ଥାନୀୟ ଅଞ୍ଚଳରେ ମିଳିଥିବାରୁ ତା’ର ଡିଏନ୍‌ଏ ଟେଷ୍ଟ ପାଇଁ ପ୍ରମୋଦିନୀଙ୍କ ପରିବାର ଲୋକେ ଦାବି କରିଛନ୍ତି। ଖବର ଲେଖାଯିବା ସୁଦ୍ଧା  ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି।   

Deadbody Found
Advertisment
Advertisment