• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ବେପାର । ଯାହାର ମୁଖ୍ୟ ଗ୍ରାହକ ଛାତ୍ର ଓ ଯୁବ ଗୋଷ୍ଠୀ । କୋଡ୍ ୱାର୍ଡରେ ଚାଲୁଛି ଏହି ନୀଳ ଜହରର କାରବାର । କିଏ ମାଗୁଛି ବାବା ସିଗାରେଟ୍ ନାଁରେ ତ ଆଉ କିଏ ମାଗୁଛି ତୋପ ନାଁରେ । ଏକାଧିକ ଅଜବ କୋଡୱାର୍ଡରେ ଗଂଜେଇ ସିଗାର୍ କିଣି ମାତାଲ୍ ହେଉଛନ୍ତି ସ୍ମାର୍ଟସିଟିର ସ୍ମାର୍ଟ କଷ୍ଟମର୍ । ବଡ଼ କଥା ହେଉଛି, ଏହି ହ୍ୟାଣ୍ଡମେଡ୍ ନିଶାଦ୍ରବ୍ୟର ମେକର୍ ସାଜିଛନ୍ତି ମହିଳା । ଦେଖନ୍ତୁ ଏହି ରିପୋର୍ଟ । କ୍ୟାପିଟାଲରେ ନୂଆ ଟ୍ରେଣ୍ଡର ନିଶା ।

ଉଡୁଛି ହାତ ତିଆରି ଗଂଜେଇ ସିଗାରେଟର ଧୂଆଁ । ଗଂଜେଇ ଧୂଆଁରେ କଲବଲ ସ୍ମାର୍ଟସିଟିର ଜନତା । ନୀଳ ଜହରର ଏହି କଳା କାହାଣୀ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । ପ୍ୟାକେଟ୍ ପ୍ୟାକେଟ୍ ସିଗାରେଟ୍, ବସ୍ତା ଭର୍ତ୍ତି ଗଂଜେଇ। ସ୍ୱାସ୍ଥ୍ୟ ପାଇଁ ହାନୀକାରକ ଏହି ଅବକାରୀ ଦ୍ରବ୍ୟକୁ ଜବତ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ବାନ୍ଧିଛି ପୁରୁଣା ଭୁବନେଶ୍ୱର କପିଳେଶ୍ୱର ଅଞ୍ଚଳର ଜଣେ ମହିଳାଙ୍କୁ । ଯାହା ନାଁ କମଳା ସାହୁ । ତା’ଠୁ ୧୨ କେଜିରୁ ଅଧିକ ଗଞ୍ଜେଇ ଏବଂ ପୁଳା ପୁଳା ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କହିବା କଥା, କନ୍ଧମାଳରୁ ଗଂଜେଇ ଆଣି, ଘରେ ସ୍ୱାମୀ ସହ ମିଶି ତିଆରି କରୁଥିଲେ ଗଂଜେଇ ସିଗାରେଟ୍‌ । ଆଉ ସେସବୁକୁ ମାର୍କେଟକୁ ଛାଡୁଥିଲେ ।

ଏ ତ ଥିଲା ଭାତହାଣ୍ଡିରୁ ଗୋଟିଏ । ୧୯ ଜୁଲାଇ, ୨୦୨୩ । ଆଚାର୍ଯ୍ୟବିହାର ବିଶ୍ୱେଶ୍ୱର ବସ୍ତିରୁ ରଙ୍ଗବତୀ ଦାସକୁ ରଙ୍ଗେହାତ ଧରିଥିଲା ଅବକାରୀ ବିଭାଗ । ଯିଏ ରାସ୍ତା କଡ଼ରେ ପାନ ଦୋକାନ କରି ବିକୁଥିଲା ଗଞ୍ଜେଇ ସିଗାରେଟ୍ ।

ଯାହାଠୁ ମିଳିଥିଲା ୫ ହଜାର ଗଞ୍ଜେଇ ସିଗାରେଟ୍ ସହ ୨୪ କେଜି ଗଞ୍ଜେଇ । ୧୫ ଡିସେମ୍ବର, ୨୦୨୩ । କନ୍ଧମାଳରୁ ଅଟୋରେ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକ୍ରିବେଳେ ଜଣେ ଯୁବତୀଙ୍କୁ ଗିରଫ କରିଥିଲା ଭରତପୁର ପୋଲିସ । ଗତ ୧୫ ତାରିଖରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ଘରୋଇ ସାଇନ୍ସ କଲେଜ ନିକଟ ପାନ ଦୋକାନରୁ ମିଳିଥିଲା ୮ କେଜି ଗଞ୍ଜେଇ ସହ ବସ୍ତାଏ ଗଞ୍ଜେଇ ସିଗାରେଟ୍ । ଏସବୁ ତଥ୍ୟ ହିଁ ବୟାନ କରୁଛି, ରାଜଧାନୀରେ କେମିତି ଚାଲିଛି ନୀଳ ଜହରର କଳା କାରବାର ।

ସୂଚନା ଅନୁଯାୟୀ, ଏହି ନିଶା ବେପାରୀଙ୍କ ଟାର୍ଗେଟ ହେଉଛନ୍ତି ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ । କୋଡ୍ ୱାର୍ଡରେ ସ୍ପେଶାଲ, ବାବା, ଶୁଖା, ରକେଟ୍, ଚାଇନିଜ୍, ଚାମ୍ବା, ତୋପ ମାଗିଲେ ହାତକୁ ବଢେଇ ଦିଆଯାଉଛି ଗଞ୍ଜେଇ ଭର୍ତ୍ତି ସିଗାରେଟ । ଯାହାର ମୂଲ୍ୟ ୧୦ରୁ ଶହେ ଟଙ୍କା ଯାଏଁ । ଶିକ୍ଷାନୁଷ୍ଠାନ ଓ ମନ୍ଦିର ନିକଟ ପାନ ଦୋକାନ ପାଲଟିଛି ଏହି ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଭିନ୍ନ ବର୍ଗ ।

ମାଲକାନଗିରିରୁ ନବରଙ୍ଗପୁର, କୋରାପୁଟରୁ କନ୍ଧମାଳ । ଯେଉଁଠି ବେଆଇନ ଭାବେ ଉତ୍ପାଦିତ ହେଉଛି ଗଂଜେଇ । ଆଉ ସେସବୁକୁ ଗଳାବାଟ ଦେଇ ଭୁବନେଶ୍ୱରକୁ ଆସୁଛି ଏଭଳି । ସେହି ଗଂଜେଇରୁ ତିଆରି ହେଉଛି ସିଗାରେଟ । ୨୦୨୩ରେ କ୍ରାଇମବ୍ରାଞ୍ଚ ଏସଟିଏଫ ପାଖାପାଖି ୪୫୬ କେଜି ଗଞ୍ଜେଇ ଜବତ କରିଥିବାବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ଭୁବନେଶ୍ୱରରୁ ୩୯୦ କେଜି ଗଞ୍ଜେଇ ଜବତ କରିଛି ।

  • Reported by:
  • ATULYA BOUT , CHANDAN PAIKRAY