• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚୋରିର ନୂଆ ଫଣ୍ଡା । ୨୦ଟଙ୍କା ତଳେ ପଡ଼ିଥିବା କହି ୧୦ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସ୍ପଷ୍ଟ ଦିବାଲୋକରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୨୦ଟଙ୍କା ପାଇଁ ଜଣେ କିରାଣୀ ଲୁଟେରାଙ୍କ ଶିକାର ହେବା ସହ ୧୦ଲକ୍ଷ ହରାଇଛନ୍ତି । ଜଣେ ଗୋଲମରିଚ ବ୍ୟବସାୟୀଙ୍କ ପାଖରେ କାମ କରୁଥିବା କିରାଣୀ ହରିବାବୁଙ୍କୁ ତାଙ୍କ ମାଲିକ ବ୍ୟାଙ୍କରୁ ୧୦ଲକ୍ଷ ଟଙ୍କା ଉଠାଇବାକୁ କହିଥିଲେ ।

ହରିବାବୁ ଟଙ୍କା ବାହାର କରିବା ପାଇଁ ଗୁଣ୍ଟୁରର ଲକ୍ଷ୍ମୀପୁରମ୍ HDFC ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ବ୍ୟାଗରେ ରଖି ନିଜ ବାଇକ ପାଖକୁ ଆସିଥିଲେ । ତେବେ ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ । ଜଣେ ଚୋର ପ୍ରଥମେ ହରିବାବୁଙ୍କ ନିକଟକୁ ଆସି ତଳେ ତାଙ୍କ ୨୦ ଟଙ୍କିଆ ନୋଟ୍‌ ପଡ଼ିଥିବା କହିଥିଲା । ଏଭଳି କଥା ଶୁଣି ନୋଟ ଉଠାଇବା ପାଇଁ ହରିବାବୁ ବାଇକରୁ ଓହ୍ଲାଇବା ମାତ୍ରେ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ବାଇକ ଉପରେ ଥିବା ଟଙ୍କା ଉଠାଇ ନେଇଥିଲେ । ଆଉ ଆଗରୁ ପ୍ରସ୍ତୁତ ଥିବା ସହଯୋଗୀ ବାଇକରେ ଆସି ଟଙ୍କା ନେଇ ଫେରାର ହୋଇଗଲେ ।

ସିସିଟିଭି ଫୁଟେଜ୍‌ରେ ଅପରାଧୀ:

ଘଟଣା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି, ହରିବାବୁ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ବ୍ୟାଗରେ ଆଣୁଛନ୍ତି ଏବଂ ତାଙ୍କ ବାଇକ୍ ହ୍ୟାଣ୍ଡେଲ‌ରେ ଟାଙ୍ଗି ଦେଉଛନ୍ତି । ଏହା ପରେ ଜଣେ ଯୁବକ ଆସି ତଳେ ୨୦ଟଙ୍କିଆ ନୋଟ ପଡ଼ିଥିବା କହି ଟଙ୍କା ଲୁଟି ନେଇଯାଇଛନ୍ତି ।

ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣକୁ ଚିହ୍ନଟ କରିଛି ପୋଲିସ:

ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣାର ଜଣେ ଅପରାଧୀ ହେଉଛନ୍ତି ଚାକା ନାମକ ଜଣେ ବ୍ୟକ୍ତି । ସେ ଚୋରି ହୋଇଥିବା ନଗଦ ସହିତ ଗାଡ଼ିରେ ବସି ଫେରାର ମାରିଥିଲା । ଅପରାଧୀଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।