/odishatv-khabar/media/post_attachments/uploadimage/library/16_9/16_9_0/IT_Raid_1702216791.jpg)
IT Raid
ଟଙ୍କାର ଏଭଳି ଦୁର୍ଲଭ ଦୃଶ୍ୟ ଦେଖି ଦେଖି ସେହି ଟଙ୍କା ଆଉ ଟଙ୍କା ଭଳି ଲାଗୁନି । ଯୁଆଡ଼େ ଚାହିଁବେ ସେଆଡ଼େ ଗଦା ଗଦା ନୋଟ୍, ଯାହାକୁ କ୍ରମାଗତ ଗଣିବା ପରେ ଓ ଦେଖିଲା ପରେ ଆଉ ଟଙ୍କା ନୁହେଁ, ବରଂ କାଗଜ ଭଳି ଫିଲ୍ ହେଉଛି । ଏଭଳି କହିଛନ୍ତି ବ୍ୟାଙ୍କ କର୍ମଚାରୀ । ଆଜିକୁ ୫ ଦିନ ହୋଇଗଲା। ନା ସରୁଛି ଟଙ୍କା ଗଣା, ନା ଫୁରସତ ପାଉଛନ୍ତି ବଲାଙ୍ଗିର SBI କର୍ମଚାରୀ।
ଗତକାଲି ଏବଂ ଆଜି ଦୁଇଦିନ ଛୁଟିଥିବା ସତ୍ତ୍ବେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କା ଗଣି ହାଲିଆ ହୋଇଗଲେଣି। ଆଲମାରିରେ ଦୀର୍ଘଦିନ ଧରି ଟଙ୍କା ସବୁ ଗଚ୍ଛିତ ଥିବାରୁ ଏବେ ଗଣିଲା ବେଳକୁ ସେଥିରୁ ବାହାରୁଥିବା ଧୂଳି ଓ ଗନ୍ଧ ନାକେଦମ୍ କରୁଛି ସମସ୍ତଙ୍କୁ। ତେଣୁ ମାସ୍କ ଲଗାଇ ଟଙ୍କା ଗଣିବାକୁ ପଡୁଥିବା କହିଛନ୍ତି ବ୍ୟାଙ୍ଗ କର୍ମଚାରୀ।
ବଲାଙ୍ଗିର ସୁଦପଡ଼ା ମଦଭାଟିରୁ ମିଳିଥିବା ଟଙ୍କା ଆଜି ଅପରାହ୍ନ ସୁଦ୍ଧା ୨ ଶହ ୨୦ କୋଟି ପାର୍ କରିଛି। ୧୪୫ରୁ ଅଧିକ ବ୍ୟାଗର ନୋଟ୍ ଗଣତି ସରିଥିବାବେଳେ ଆଉ ପ୍ରାୟ ୨୦/୨୧ଟି ବ୍ୟାଗର ଗଣତି ବାକି ଥିଲା। ୨୫ଟି ମେସିନ୍, ୫୦ କର୍ମଚାରୀ ଅହରହ ଗଣିଛନ୍ତି ଟଙ୍କା । ଟଙ୍କା ଗଣତି ମେସିନରେ ବେଳେବେଳେ ଯାନ୍ତ୍ରିକ ସମସ୍ୟା ଯୋଗୁ ଗଣତି କାର୍ଯ୍ୟ ପ୍ରଭାବିତ ;ହୋଇଥିଲା। ତେଣୁ ଆହୁରି କିଛି ମେସିନକୁ ବ୍ୟାକଅପରେ ରଖାଯାଇଥିଲା।
ଡିସେମ୍ବର ୬ରୁ ୧୦। ୫ଦିନ ହୋଇଗଲା ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧିରଜ ସାହୁଙ୍କ ସହ ଓଡ଼ିଶାରେ ମଦ ବେପାରର ସାମ୍ରାଜ୍ୟ ବିଛାଇଥିବା ବ୍ୟବସାୟୀଙ୍କ ଲିଙ୍କ୍ ପରଠୁ ଜାରି ରହିଛି ନନଷ୍ଟପ୍ ରେଡ୍, ଚାଲିଛି ନୋଟ୍ ଗଣତି। ଗତକାଲି ସୁଦ୍ଧା ଟିଟିଲାଗଡ଼ରୁ ଜବତ ନୋଟର ପରିମାଣ ୧୧ କୋଟି ଓ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ୩୭ କୋଟି ୫୦ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।
ଏହି ୨ଟି ସ୍ଥାନ ସହ ସୁନ୍ଦରଗଡ଼ରେ ବି ଟଙ୍କା ଗଣତି ସରିଛି। କିନ୍ତୁ ଏହି ଟଙ୍କାର ଉତ୍ସ କ’ଣ ? ଏତେ ପରିମାଣର ଟଙ୍କା କାହାର? ସେନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରହିଛି। ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଧରି ଲଗାତର ତଥ୍ୟ ଆଦାୟ କରୁଛି IT ଟିମ୍। ଅପେକ୍ଷା, କୋଟି କୋଟି ଟଙ୍କା ପଛର ସତ କେବେ ସାମ୍ନାକୁ ଆସୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)