• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପାଠୁଆ ବାବୁଙ୍କ ଅଜବ ସଉକ୍‌ । ଆଉ ସେହି ସଉକ ହେଲା କାଳ । ଏବେ ବାବୁ ଗଲେ ଜେଲ୍‌ । ବାସ୍‌ ବାବୁ ଏମିତି କାଣ୍ଡ ଭିଆଇଛନ୍ତି ଯେ ତାଙ୍କୁ ନେଇ ପୂରା ରାଉରକେଲାରେ ବଢିଲାଣି ଚର୍ଚ୍ଚା । କାରଣ ସିଏ ଆନ୍ତଃରାଜ୍ୟ ବେଆଇନ ଚଢେଇ ବେପାରରେ କୁଆଡେ ସଂପୃକ୍ତ ଥିଲେ । ଆଉ ପୂର ଘଟଣାର ପୋଲିସ କଲା ପର୍ଦ୍ଦାଫାଶ ।

ପାଠୁଆ ବାବୁ ସରୋଜ ବଡାଇକ ଚୋରି ବିଦ୍ୟାରେ ପୂରା ମାହିର ଥିଲେ । ସୋସିଆଲ ମିଡିଆ ୟୁଟ୍ୟୁବ୍‌ରେ ଓ୍ୱାଲର୍ଡ ଅଫ୍‌ ଫାର୍ମ ଆଣ୍ଡ ପେଟସ ନାଁରେ ତାଙ୍କର ଆକାଉଣ୍ଟ ବି ଥିଲା । ଆଉ ସେହି ଆକାଉଣ୍ଟ ମାଧ୍ୟମରେ ଚୋରା ବେପାର କରି ମାଲେମାଲ ହେଉଥିଲେ ।

ଜୁଲାଇ ୨୬ ତାରିଖ, ସଂନ୍ଧ୍ୟା ପ୍ରାୟ ୭ ଟା ହେବ । ରାଉରକେଲା ବିଷାର୍ମୁଣ୍ଡା ଛକରେ ଆନ୍ତରାଜ୍ୟ ପକ୍ଷୀ ବେପାରୀ ଦୁଇଟି ଶାରୀ ଆଣି ବିକିବାକୁ କରିଥିଲେ ଯୋଜନା । ହେଲେ ପୂର୍ବରୁ ଖବର ପାଇ ବାବୁଙ୍କୁ ବାନ୍ଧିବାକୁ ପୂରା ତୟାର ଥିଲା ବନବିଭାଗ । ସେଇଥି ଲାଗି ତ ଚଢେଇ କିଣିବା ଲାଗି ଛଦ୍ମ ବେଶରେ ଆସିଥିଲେ ବନକର୍ମଚାରୀ । ଆଉ ଦୁଇଟି ଶାରୀକୁ ୧୪ ହଜାର ଟଙ୍କାରେ କିଣିବାକୁ ଡିଲ୍‌ ଫାଇନାଲ ହୋଇଥିଲା । ପ୍ରଥମେ ଅନଲାଇନ୍‌ ପେମେଣ୍ଟ ଆପ୍‌ରେ ୫ ହଜାର ଆଉ ପରେ ବାକି ଟଙ୍କା ଦେବାକୁ କଥାବାର୍ତ୍ତା ହୋଇଥିଲା । ହେଲେ ସରୋଜଙ୍କୁ ବାନ୍ଧିଲା ବନବିଭାଗ । ଗିରଫ ହେବା ପରେ ଦୋଷକୁ ସ୍ୱୀକାର କରିଛନ୍ତି ସରୋଜ ।

ଗିରଫ ହେବା ପରେ ଅଭିଯୁକ୍ତଙ୍କଠାରୁ ଦୁଇଟି ଶାରୀ, ବାଇକ ଓ ମୋବାଇଲ ମଧ୍ୟ ଜବତ ହୋଇଛି । ହେଲେ ଏଠାରେ ପ୍ରଶ୍ନ ଉଠୁଛି ବେଧଡକ ଆନ୍ତଃରାଜ୍ୟ ଚଢେଇ ବେପାର ହେଉଥିବା ପରେ ବି କିଏ କେମିତି କିଛି ଜାଣିପାରିଲେ ନାହିଁ ? ଯାହାକୁ ନେଇ ଏବେ ପୂରା ରାଉରକେଲାରେ ଚର୍ଚ୍ଚା ।

ତେବେ ଏମିତି ଘଟଣା ସାମ୍ନାକୁ ଆସିଛି ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ଉଡୁସୁ ଗାଁରୁ । ଗାଁର ଯୁବ ମେକାନିକାଲ ଇଂଜିନିୟର ସରୋଜ ବଡାଇକ ଆନ୍ତଃରାଜ୍ୟ ଚଢେଇ ବେପାରରେ ଓସ୍ତାଦ ଥିଲେ । ଏବେ ନୁହେଁ ପୂର୍ବରୁ କଇଁଛ, ପେଚା, ଶାରୀ, ଶୁଆ ଭଳି ପଶୁପକ୍ଷୀଙ୍କୁ ବେଆଇନ ଭାବେ ବିକ୍ରି କରି ମାଲେମାଲ ହେଉଥିବା ଜଣାପଡ଼ିଛି । ସେପଟେ ଉଚ୍ଚ ଶିକ୍ଷିତ ଯୁବକ ସୋସିଆଲ ମିଡିଆ ଦେଖି ଏମିତି ବେଆଇନ କାରବାର କରୁଥିବାରୁ ଏବେ ଚିନ୍ତାରେ ପରିବେଶବିତ୍‌ ।

 

  • Reported by:
  • PAWAN TIWARI