Case Against Bobby Das Brother: ବବି ଦାସଙ୍କ ଭାଇଙ୍କ ନାଁରେ ଏତଲା, ଜଣେ ବ୍ୟବସାୟୀଙ୍କୁ ଧମକ ସହ ମାଡ଼ ମାରିବା ଅଭିଯୋଗ

ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ BNS ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ କରାଯାଇଛି ।

ବବିଙ୍କ ଭାଇ ନାଁରେ ଏତଲା

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା । ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବଙ୍କ ନାଁରେ ଏତଲା ଦିଆଯାଇଛି । ଯାଜପୁର ଥାନାରେ ଜଣେ ବ୍ୟବସାୟୀ ଏତଲା ଦେଇଛନ୍ତି । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗ ହୋଇଛି । ଏମିତି କି ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ବ୍ୟବସାୟୀ ଜଣକ ଏତଲାରେ ଦର୍ଶାଇଛନ୍ତି । ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ BNS ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ କରାଯାଇଛି ।

ସୂଚନ ଅନୁସାରେ ନଭେମ୍ବର ୨୦ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀଙ୍କ ଆତଙ୍କରାଜ...ଠେଙ୍ଗାବାଡ଼ି ଧରି ବିଧାୟକଙ୍କ ଗାଡ଼ି ଉପରେ ହମଲା, ଭଙ୍ଗାରୁଜା କରିଥିଲେ । ଗାଡ଼ି ଭିତରେ ଆତଙ୍କିତ, ଅସହାୟ ହୋଇପଡ଼ିଥିଲେ ବିଧାୟକ । ୨୦ରୁ ୨୫ ମିନିଟ୍ ଧରି ଯେମିତି ଅସୁରକ୍ଷିତ ଥିଲା ପୂରା ଅଞ୍ଚଳ । ପୋଲିସ୍ ପହଞ୍ଚିବାରେ ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା ।

ଅଧିକ ପଢ଼ନ୍ତୁ: ହିମାଂଶୁଙ୍କ ଉପରେ ଆକ୍ରମଣକୁ ନେଇ ହଇଚଇ, ପୁଣି ବବିଙ୍କୁ ଦାୟୀ କଲେ ଧର୍ମଶାଳା ବିଧାୟକ

ନଭେମ୍ବର ୨୦ରେ ହୋଇଥିବା ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ ସାହୁ । ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଥିଲେ ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ, ଆଇନ ତା ବାଟରେ ଯିବ ବୋଲି କହିଥିଲେ ହିମାଂଶୁ ।

ଏପଟେ ବିଧାୟକଙ୍କ ଉପରକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରତିକ୍ରିୟାରେ ବବି କହିଥିଲେ, ସେ ଘଟଣାସ୍ଥଳରେ ନଥିଲେ । ବିରଜା ପ୍ରକଳ୍ପକୁ ନେଇ ପ୍ରଶାସନର ନିଷ୍ପତ୍ତି ବିରୋଧରେ ରାସ୍ତାରୋକ ହୋଇଥିଲା । ବିଧାୟକ ସେପଟେ ଯାଉଥିଲେ, ବଚସା ହୋଇଥିବା ଶୁଣିବାକୁ ପାଇଛି । କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବନି ବୋଲି କହିଥିଲେ ବବି । ବିଧାୟକଙ୍କୁ ତାଙ୍କ ଭାଇ ଆକ୍ରମଣ କରିଥିବା ପ୍ରଶ୍ନରେ ସେ କହିଛନ୍ତି, ଭାଇକୁ କହିଛି ଥାନାରେ ଯାଇ ବସିବାକୁ । ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଜେଲ୍ ଗଲେ ୧୦ ଅଭିଯୁକ୍ତ

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ, ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ଓରଫ୍ ଲଲ । ଆକ୍ରମଣ ଘଟଣାକୁ ସ୍ବୀକାର କରିବା ସହ କହିଥିଲେ, ମା’ ବିରଜାଙ୍କ ପ୍ରକଳ୍ପକୁ ନେଇ ଆନ୍ଦୋଳନ ଚାଲିଥିବାବେଳେ ଧର୍ମଶାଳା ବିଧାୟକ ଆସିଥିଲେ । ଆନ୍ଦୋଳନକାରୀଙ୍କୁ ଆକ୍ରୋଶମୂଳକ ଭାବେ କହିବାରୁ ଲୋକେ କ୍ଷୁବ୍ଧ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ବିଧାୟକ ହିମାଂଶୁ ସାହୁଙ୍କ ସହ ମୁଁ ବ୍ୟକ୍ତିଗତ ଭାବେ କଥା ହୋଇଥିଲି । ତା’ସହ ଏଭଳି ଘଟଣା ପାଇଁ କ୍ଷମା ପ୍ରାର୍ଥନା ବି କରିଛି । ତେବେ ଏହା କୌଣସି ସୁଚିନ୍ତିତ ଯୋଜନା ନାହିଁ କି ସେଥିରେ ମୋର କୌଣସି ସଂପୃକ୍ତି ନାହିଁ ବୋଲି କହିଥିଲେ ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ତଥା ଲଲ ।

ଅନ୍ୟପକ୍ଷରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି । ବିଧାୟକଙ୍କ ପିଏସ୍‌ଓଙ୍କ ଏତଲା ଆଧାରରେ ୧୦ ଜଣ ଗିରଫ ହୋଇଛନ୍ତି । ଗିରଫ ପରେ ଯାଜପୁର SDJM କୋର୍ଟରେ ହାଜର ହୋଇଥିଲେ । ଜାମିନ ନାମଞ୍ଜୁର ହେବା ପରେ ଜେଲ୍ ଯାଇଛନ୍ତି ୧୦ ଅଭିଯୁକ୍ତ ।