ଲୋକଙ୍କ ଠାରୁ ବାୟୋମେଟ୍ରିକ୍ ଚୋରାଇ ଏକାଧିକ ସିମ୍ କାର୍ଡ ଆକ୍ଟିଭେସନ କରି କିପରି ଭାବେ ଜଣେ ଦୋକାନୀ ଏହାକୁ ବିକ୍ରି କରୁଥିଲେ, ତାହାର ଏକ ଘଟଣା ସାମ୍ନାକୁ ଆସିଛି । ସିମ୍ କାର୍ଡ ଦୋକାନୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବା ସହ ଏହି ରାକେଟର ଗୁମର ଖୋଲିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ, ଟେଲି କମ୍ୟୁନିକେସନ ବିଭାଗ ପକ୍ଷରୁ ସିଆଇଡି କ୍ରାଇମବ୍ରାଞ୍ଚ ସହ ଭଦ୍ରକ ଏସ୍ପିଙ୍କୁ ଏକ ଚିଠି ହୋଇଥିଲା । ଯେଉଁଥିରେ ଏକ ଡୁପ୍ଲିକେଟ ସିମ୍ କାର୍ଡ ଆକ୍ଟିଭେସନ ରାକେଟ ସଂପର୍କରେ ଦର୍ଶାଯାଇଥିଲା ।
ଏହି ସୂଚନା ପରେ ବାସୁଦେବପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ରିଟେଲର ତଥା ବାସୁଦେବପୁର ଥାନା ଆରୁହା ଭାଗପୁର ଅଞ୍ଚଳର ବିଦ୍ୟାଧର ସାହୁଙ୍କ ପାଖରେ ପୋଲିସ୍ ପହଞ୍ଚିଥିଲା ।
ନିଜର ସିମ୍ କାର୍ଡ ଟାର୍ଗେଟ୍ ପୂରଣ ପାଇଁ ଇଚ୍ଛୁକ ଗ୍ରାହକଙ୍କ ଠାରୁ ଏକାଧିକ ଥର ବାୟୋମେଟ୍ରିକ୍ ନେଇ ବିଦ୍ୟାଧର ସିମ୍ କାର୍ଡ ଆକ୍ଟିଭେସନ କରି ଏହାକୁ ବିକ୍ରି କରୁଥିଲା । ଏହା ପ୍ରମାଣିତ ହେବା ପରେ ବିଦ୍ୟାଧରଙ୍କୁ ବାସୁଦେବପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଭଦ୍ରକ ଏସ୍ଡିପିଓ ସୂଚନା ଦେଇଛନ୍ତି ।