• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମିଛରେ କଷ୍ଟମ ଅଧିକାରୀ କହି ଲୁଟି ନେଲେ ୪ ଲକ୍ଷରୁ ଅଧିକ ଟଙ୍କା। ତା’ବି ପୁଣି ଜଣେ ଶ୍ରମିକଙ୍କ ଠାରୁ। ସାଉଦ ଆରବରେ ଶ୍ରମିକ ଭାବେ କାମ କରୁଥିବା ଜଣେ ୫୩ ବର୍ଷୀୟ ଶ୍ରମିକଙ୍କ ଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ୨ ଜଣ ବ୍ୟକ୍ତି ମିଛରେ କଷ୍ଟମ ବିଭାଗର ଅଧିକାରୀ କହି ସମ୍ପୃକ୍ତ ଶ୍ରମିକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। 

ଅଧିକ ପଢ଼ନ୍ତୁ: ‍ବନ୍ଧୁକ ମୁନରେ କାର ଅଟକାଇ ୨ଲକ୍ଷ ଲୁଟିନେଲେ

ଏଫ୍‌ଆଇଆର୍‌ ଅନୁସାରେ, ରବିବାର ସକାଳେ ରାଜସ୍ଥାନ ଅଜେମର୍‌ର ମହମ୍ମଦ ସୁଲେମାନ ସାଉଦ ଆରବରୁ ଆସି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲେ। ଏହି ସମୟରେ ବିମାନବନ୍ଦର ବାହାରେ ୨ ଅଭିଯୁକ୍ତ ମିଛରେ ନିଜକୁ କଷ୍ଟମ ଅଧିକାରୀ ଭାବେ ପରିଚୟ ଦେଇ ପାର୍କିଂ ଏରିଆରେ ସୁଲେମାନଙ୍କୁ ଭେଟିଥିଲେ। ସେମାନେ ସୁଲେମାନଙ୍କ ଠାରୁ ପାସ୍‌ପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ନେଇ କାର୍‌ରେ ତାଙ୍କୁ ମହିପାଲ୍‌ପୁର୍‌କୁ ନେଇ ଯାଇଥିଲେ।

ବାଟରେ ଏକ ନିଛାଟିଆ ସ୍ଥାନରେ ଗାଡ଼ି ଅଟକାଇ ଅଭିଯୁକ୍ତମାନେ ସୁଲେମାନଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେବା ସହ ସାଉଦି ରିୟାଦ ୧୯,୦୦୦(ଭାରତୀୟ ମୁଦ୍ରା ଅନୁସାରେ ୪ ଲକ୍ଷ ୧୫ ହଜାର ଟଙ୍କା) ଓ ଭାରତୀୟ ମୁଦ୍ରା ୨ ହଜାର ଟଙ୍କିଆ ନେଇ ଯାଇଥିଲେ। ଏପରିକି କେଉଁଠୁ ସେ ମୋବାଇଲ୍‌ ଓ ବୈଦେଶିକ ମୁଦ୍ରା ଆଣିଲେ ବୋଲି ଅଭିଯୁକ୍ତମାନେ ସୁଲେମାନଙ୍କୁ ପଚରାଉଚରା କରିଥିଲେ। 

ଶେଷରେ ଅଭିଯୁକ୍ତମାନେ ସୁଲେମାନଙ୍କୁ କାର୍‌ରୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ ଓ ବରିଷ୍ଠ ଅଧିକାରୀଙ୍କ ସହ ଫେରିବେ ବୋଲି କହିଥିଲେ। ହେଲେ ପରେ ଜଣାପଡ଼ିଥିଲା ସେମାନେ କଷ୍ଟମ ଅଧିକାରୀ ନଥିଲେ। ବରଂ ମିଛରେ କହି ଲୁଟ୍‌ କରିଥିଲେ। ଏନେଇ ପୋଲିସ୍‌ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।