• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନକଲି ସାର୍ଟିଫିକେଟର ଅସଲି ସତ ସବୁ ଜାଣିଥିଲେ ସରକାର ! ଆଜି ନୁହେଁ ୨୦୧୯ ମସିହାରୁ ବ୍ୟବସ୍ଥା ପାଖେ ଖବର ଥିଲା, ତା ସତ୍ତ୍ୱେ କଟିବା ଅପେକ୍ଷା ରାଜ୍ୟ ବ୍ୟାପୀ ମଜଭୁତ ହୋଇ ଚାଲିଥିଲା ନକଲି ଚେର । ଓଟିଭି ହାତରେ ଲାଗିଛି ଶିକ୍ଷା ବିଭାଗର ତିନିଟି ଏକ୍ସକ୍ଲୁସିଭ୍ ଚିଠି । ଯାହା ପ୍ରମାଣ କରୁଛି ସରକାରଙ୍କ ପାଖରେ ପୂର୍ବରୁ ଥିଲା ସୂଚନା ।

ପ୍ରଥମ ଚିଠି । ୬ ଜୁନ ୨୦୧୯ । ସବୁ ଜିଲ୍ଳାର ଶିକ୍ଷା ଅଧିକାରୀଙ୍କୁ ତତ୍କାଳୀନ ପ୍ରମୁଖ ଶାସନ ସଚିବ ପି.କେ. ମହାପାତ୍ରଙ୍କ ଚିଠିରେ ସ୍ପଷ୍ଟ ଭାବରେ ଲେଖାଥିଲା, ନକଲି ଶିକ୍ଷାଗତ ଓ ଅଭିଜ୍ଞତା ସାର୍ଟିଫିକେଟ ଦେଇ କିଛି ଶିକ୍ଷକ ଚାକିରି ପାଇଥିବାରୁ, ବିଭାଗ ବଦନାମ ହେଉଛି । ତେଣୁ ସ୍ପେସାଲ ଡ୍ରାଇଭ କରି ନିଯୁକ୍ତି ପାଇଥିବା ସବୁ ଶିକ୍ଷକଙ୍କର ଶିକ୍ଷାଗତ ଓ ଅଭିଜ୍ଞତା ସାର୍ଟିଫିକେଟ ଯାଞ୍ଚ କରି ନକଲିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅ । ତିନିମାସ ଭିତରେ ପୂରା ପ୍ରକ୍ରିୟା ସାର ।

ଦ୍ୱିତୀୟ ଚିଠି । ୨୮ ଅଗଷ୍ଟ ୨୦୨୧ । ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ତତ୍କାଳୀନ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପଠାଇଥିଲେ । ସେଥିରେ ନକଲି ସାର୍ଟିଫିକେଟ୍ ନେଇ ହାଇକୋର୍ଟରେ ଦାଖଲ ହୋଇଥିବା ପିଆଇଏଲ୍‌ରେ କୋର୍ଟ କ୍ଷୋଭ ପ୍ରକାଶ କରିଥିବାରୁ ନକଲି ସାର୍ଟିଫିକେଟ୍‌ଧାରୀଙ୍କୁ ତୁରନ୍ତ ଚିହ୍ନଟ କରି ୨୦୨୧ ଅଗଷ୍ଟ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଥିଲା ନିର୍ଦ୍ଦେଶ ।

ତୃତୀୟ ଚିଠି । ୧୫, ସେପଟେମ୍ବର, ୨୦୨୧ । ନକଲି ସାର୍ଟିଫିକେଟ୍ ତଦନ୍ତରେ ଶିଥିଳତା ପାଇଁ ହାଇକୋର୍ଟଙ୍କ ଉଦବେଗକୁ ଉଲ୍ଲେଖ କରି ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକଙ୍କୁ ତୁରନ୍ତ ଏଦିଗରେ କରିଥିବା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଜଣାଇବାକୁ ଏ ଚିଠିରେ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା । ୧୭ ସେପଟେମ୍ବର ୨୦୨୧ ସୁଦ୍ଧା ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ଥିଲା। ତିନି ତିନିଟି ଚିଠି ପରେ ବି ଶିକ୍ଷାଧିକାରୀ ମାନେ କାହିଁକି ଚୁପ୍ ରହିଥିଲେ ତାହା ହିଁ ରହସ୍ୟ ।

ଏପଟେ ଡାକ ବିଭାଗରେ ନକଲି ସାର୍ଟିଫିକେଟ୍ ମାମଲାରେ ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତର ଗତିକୁ ନେଇ ପ୍ରଶ୍ନ ଉଠିଛି । ତଦନ୍ତକୁ ୧୨ ଦିନ ବିତିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦମ୍ଭୋକ୍ତି ସତ୍ତ୍ୱେ ଜଣଙ୍କୁ ବି ଗିରଫ କରିବାରେ ସଫଳ ହୋଇନି କ୍ରାଇମବ୍ରାଞ୍ଚ । ଅପରପକ୍ଷେ ଅଟକ ରଖିଥିବା ୭ ଜଣଙ୍କୁ ନୋଟିସ କରି ଛାଡ଼ିଦେଇଛି । ତଦନ୍ତକାରୀ ଟିମର ନେତୃତ୍ୱ ନେଉଥିବା ଡି.ଏସ.ପି କହୁଛନ୍ତି, ଉପରୁ ନିର୍ଦେଶ ଆସିଲେ ଗିରଫଦାରୀ ହେବ । ତେବେ ପ୍ରଶ୍ନ ଉଠୁଛି ଯଦି ଆପାତ ପ୍ରମାଣ ମିଳିଛି, ତାହେଲେ ଉପରୁ କାହା ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ।