• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଧୂ ନିର୍ଯାତନା ଅଭିଯୋଗରେ ଅଡୁଆରେ କେନ୍ଦ୍ରାପଡ଼ାର ବିଜେଡି ବିଧାୟକ ଶଶିଭୂଷଣ ବେହେରା । କଟକ ବାଙ୍କୀ ଥାନାରେ ମାମଲା ରୁଜୁର ୨ ମାସ ପରେ ଆଜି ସାମ୍ନାକୁ ଆସି ନିର୍ଯାତନାର କାହାଣୀ ବଖାଣିଛନ୍ତି ବୋହୂ ରୋନାଲି ବେହେରା । କହିଛନ୍ତି ବାହାଘରର ଦଶ ବାର ଦିନ ପରଠୁ ୪୦ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଛନ୍ତି ।

୨୦୨୧ ମାର୍ଚ୍ଚ ୩ ତାରିଖରେ ବଡ଼ ଧୁମ୍ଧାମରେ ଶଶିଭୂଷଣଙ୍କ ପୁଅ ସତ୍ୟପ୍ରକାଶଙ୍କ ହାତ ଧରିଥିଲେ କଟକ ବାଙ୍କୀର ଗୋଖା ବେହେରାଙ୍କ ଝିଅ ରୋନାଲି । ଧୁମ୍‌ଧାମ୍‌ରେ ହୋଇଥିଲା ରିଙ୍ଗ ସେରିମନି ଏବଂ ବିବାହ । ହେଲେ ରୋନାଲିଙ୍କ ଅଭିଯୋଗ ବିବାହର ଏ ଖୁସି ୧୦, ୧୨ ଦିନ ବି ଗଲାନି। ଯୌତୁକ ଦାବିରେ ଶାଶୁ ଘର ପକ୍ଷରୁ ତାଙ୍କ ଉପରେ ଆରମ୍ଭ ହୋଇଗଲା ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା । କେତେବେଳେ ଟଙ୍କା ପାଇଁ ତ କେତେବେଳେ ସୁନା ପାଇଁ ।

ଏମିତିକି, ସ୍ୱାମୀ ସତ୍ୟପ୍ରକାଶଙ୍କର ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସଂପର୍କ ଥିବା ଏବଂ ଏସଂପର୍କରେ ଜାଣି ସେ ଶାଶୁ ଶ୍ୱଶୁରଙ୍କ କହିବା ପରଠୁ ତାଙ୍କ ଉପରେ ନିର୍ଯାତନା ବଢ଼ିଯାଇଥିଲା । ବାପଘରୁ ୪୦ ଲକ୍ଷ ଟଙ୍କା ଆଣିଲେ କଥା ବୁଝିବା ବୋଲି ଶାଶୁ ଶ୍ୱଶୂର ତାଙ୍କୁ କହିଥିବାର ଅଭିଯୋଗରେ ଦର୍ଶାଇଛନ୍ତି ରୋନାଲି ।

ତେବେ ନିର୍ଯାତନା ଅସହ୍ୟ ହେବାରୁ ରୋନାଲି ବାପ ଘର ଆସି ଗତ ମାର୍ଚ୍ଚ ୩ ତାରିଖ ଅର୍ଥାତ ଦ୍ୱିତୀୟ ବିବାହ ବାର୍ଷିକୀରେ ବାଙ୍କୀ ଥାନାରେ ଏତଲା ଦେବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ।

ରୋନାଲିଙ୍କ ଅଭିଯୋଗ ଆଧାରରେ ପୋଲିସ ଶ୍ୱଶୁର ଶଶି ଭୂଷଣ, ପୁଅ ସତ୍ୟପ୍ରକାଶ, ପତ୍ନୀ ସୁପ୍ରଭା ମହାନ୍ତି, ମାଉସୀ ଶାଶୁ ପ୍ରତିଭା ମହାନ୍ତିଙ୍କ ସହ ପରିବାର ଅନ୍ୟ ୫ ଜଣଙ୍କ ନାଁରେ ଯୌତୁକ ନିରୋଧ ଆଇନ୍ ୧୯୬୧ର ସେକ୍ସନ୍ ୪ ଏବଂ ଦଫା ୪୯୮ (କ), ୨୯୪, ୫୦୬ ଓ ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବାଙ୍କୀ ଏସଡିପିଓ କହିଛନ୍ତି ।

ସେପଟେ ଶଶିଭୂଷଣ କିନ୍ତୁ ତାଙ୍କ ନାଁରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଓଟିଭି ସହ ଫୋନରେ ପ୍ରତିକ୍ରିୟାରେ ଶଶିଭୂଷଣ କହିଛନ୍ତି-ପୁଅ-ବୋହୂ ଭିତରର କଥା, ମନୋମାଳିନ୍ୟ ଥାଇପାରେ । ଆମ ଘରେ ମାସେ ୧୧ ଦିନ ରହିବା ପରେ ବୋହୂ ତାଙ୍କ ଘରକୁ ଯାଇଛି । ନିଜେ ତାଙ୍କ ବାପା ଆସି ବୋହୂକୁ ଘରକୁ ନେଇ ଯାଇଛନ୍ତି। ଅର୍ଥ ଓ ଯୌତୁକ ନେଇ ମୋ ବିଷୟରେ ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି ଏବଂ ନିମନ୍ତ୍ରଣ କାର୍ଡରେ କିଛି ଗିଫ୍ଟ ନଆଣିବାକୁ ବି ସେତେବେଳେ ଲେଖିଥିବା କହି ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶଶିଭୂଷଣ ।

ତେବେ ଶଶିଭୂଷଣଙ୍କ ସଫେଇ ସତ୍ତ୍ୱେ ବିଜେଡିର ଜଣେ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ବଧୂ ନିର୍ଯାତନା ଭଳି ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । 

  • Reported by:
  • ATULYA BOUT , Sanjeeb Nayak