/odishatv-khabar/media/post_attachments/uploadimage/library/16_9/16_9_0/eow__1649318362.jpg)
eow
କୃଷି ଉପକରଣ ସବସିଡ ବାବଦ ୬ କୋଟି ୮୧ ଲକ୍ଷ ଠକେଇ ମାମଲାରେ ୨ ଭାଇ ଗିରଫ । ଜଗତସିଂହପୁର ତାରଡ଼ପଡ଼ାରେ ଶିତଳ ଆଗ୍ରୋ ଇନପିଟ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀ ଖୋଲି ସବସିଡି ଟଙ୍କା ଠକେଇ କରିଥିବା ୨ ଭାଇ ମାନସ ରଂଜନ ଦାଶ ଓ ତାପସ ରଂଜନ ଦାଶଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଦୁଇ ଭାଇ କରିଥିବା କଂପାନିରେ ନା ପ୍ରସ୍ତୁତ ହେଉଥିଲା କୃଷି ଉପକରଣ ମେସିନ, ନା ବିକ୍ରି ହେଉଥିଲା ।
କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଦୁଇଭାଇ । କିଛି ଚାଷୀଙ୍କ ନାଁରେ ବିଲ୍ କରି ମିଛରେ କୃଷି ଉପକରଣ ବିକ୍ରି କରୁଥିଲେ । ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ DBT ଜରିଆରେ ଯାଉଥିବା ସବସିଡି ଅର୍ଥ ସଂପୂର୍ଣ୍ଣ ଉଠାଇବାକୁ କହିବା ସହ ତାଙ୍କୁ କିଛି ଟଙ୍କା ଦେଇ ବାକି ଟଙ୍କା ନେଇଯାଉଥିଲେ ୨ ଭାଇ । ତଦନ୍ତ ବେଳେ ଏସବୁ ତଥ୍ୟ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।
ରାଜ୍ୟର ୧୯ଟି ଜିଲ୍ଲାରେ ଚାଷୀଙ୍କୁ ୫୦୪ଟି ଟ୍ରାନ୍ସପ୍ଲାଣ୍ଟର ଯୋଗାଇଥିବା କହି କୃଷି ଉପକରଣର ସବସିଡି ଟଙ୍କା ଏମାନେ ଠକିଥିବା ଅଭିଯୋଗ ରହିଛି । ଏହି ଦୁଇ ଭାଇ ଛଡ଼ା ୮ ଜଣ ଡିଲର ମଧ୍ୟ ଏଥିରେ ସାମିଲ ଅଛନ୍ତି । ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର ଆଦି ଜିଲ୍ଲାରେ ଜାଲ କାଗଜପତ୍ର ଓ ରସିଦ ଦେଇ ଏମାନେ ଠକେଇ କରୁଥିଲେ । ଜଗତସିଂହପୁରରୁ ୨ ଭାଇଙ୍କୁ ଗିରଫ କରିଛି ଇଓଡବ୍ଲୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)