Police Encounter in Bhubaneswar: ପୋଲିସ୍ ଗୁଳିରେ ଘାଇଲା ହେଲେ ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା

ରାଜଧାନୀ ଉପକଣ୍ଠରେ ମଝିରାତିରେ ଏନକାଉଣ୍ଟର। ପ୍ରଥମଥର ପାଇଁ କମିଶନରେଟ୍ ପୋଲିସ୍ ଗୁଳିରେ ଘାଇଲା ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା । ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ରାଜ୍ୟ ଭିତରେ କାହା ସହ ଲିଙ୍କ୍ ଅଛି, ସେ ନେଇ ଖୋଳତାଡ଼ ଚାଲିଛି ।

ଏନକାଉଣ୍ଟର କଲା ପୋଲିସ୍ ।

ରାଜଧାନୀ ଉପକଣ୍ଠରେ ମଝି ରାତିରେ ଏନକାଉଣ୍ଟର କରିଛି ପୋଲିସ । ପ୍ରଥମଥର ପାଇଁ କମିଶନରେଟ୍ ପୋଲିସ୍ ଗୁଳିରେ ଘାଇଲା ହୋଇଛନ୍ତି ଅନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା । ଆପାର୍ଟମେଣ୍ଟ ଲୁଟେରାଙ୍କୁ ଆଉ ମିଳିବନି ରକ୍ଷା । ଏଭଳି କଡ଼ା ସଂକେତ ଦେଇ ଭୁବନେଶ୍ବର ଉପକଣ୍ଠରେ ଲୁଟ୍ ଯୋଜନା କରୁଥିବା ଏକ ଅନ୍ତରାଜ୍ୟ ଲୁଟେରା ଏନକାଉଣ୍ଟରରେ ଜଣଙ୍କୁ ଜଖମ କରିଛି କମିଶନରେଟ୍ ପୋଲିସ୍ । ଆହତ ଲୁଟେରାର ନାଁ ଅର୍ଜୁନ୍ । ଏହି ଗ୍ୟାଙ୍ଗ ହିଁ ବିଗତ କିଛି ମାସ ଧରି ଆପାର୍ଟମେଣ୍ଟରେ କଳାକନା ବୁଲେଇ ଫେରାର ମାରୁଥିଲେ ବୋଲି ପୋଲିସ୍ ସୂଚନା ଦେଇଛି ପୋଲିସ ।

ତେବେ ଗ୍ୟାଙ୍ଗର ଅନ୍ୟ ଚାରି ଜଣ ସଦସ୍ୟ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଫେରାର ଥିବା ଲୁଟେରାଙ୍କୁ ଗିରଫ କରିବା ପାଇଁ ପୋଲିସ ତନାଘନା ଜାରି ରଖିଛି । ବାଲିଅନ୍ତା ଥାନା ପୋଲିସର ପାଟ୍ରୋଲିଂ ବେଳେ ନଜରକୁ ଆସିଥିଲେ ଦୁଇଟି ବାଇକରେ ଥିବା କିଛି ସନ୍ଦିଗ୍ଧ ମୁଖା ପିନ୍ଧା ଯୁବକ । ସ୍ପେଶାଲ୍ ସ୍କ୍ବାଡକୁ ଖବର ଦିଆଯିବା ପରେ ମିଳିତ ଟିମ୍ ସହ ବାଲିଅନ୍ତା ଥାନା ପୁରୀ କେନାଲ ବନ୍ଧ ନିକଟରେ ଲୁଟେରା ଗ୍ୟାଙ୍ଗ ସହ ମୁଁହାମୁଁହିଁ ହୋଇଥିଲେ ।

ପ୍ରଥମେ ଲୁଟେରାଙ୍କ ପଟୁ ଖସିଯିବା ପାଇଁ ଗୁଳିମାଡ଼ କରାଯାଇଥିଲା । ଜବାବରେ ପୋଲିସ ଗୁଳିରେ ଘାଇଲା ହୋଇଛି ଦୁର୍ଦ୍ଦାନ୍ତ ଲୁଟେରା ଅର୍ଜୁନ ଅନାରେ । କିନ୍ତୁ ରାତିର ଅନ୍ଧାରରେ ଖସିଯିବାକୁ ସମର୍ଥ ହୋଇଛନ୍ତି ଅନ୍ୟ ୪ ସହଯୋଗୀ । ସେପଟେ ଆହତ ଅର୍ଜୁନକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ IAS ଓ IPS ଅଧିକାରୀଙ୍କ ମରୁଡ଼ି!

ପୋଲିସ ଗୁଳିରେ ଘାଇଲା ଅର୍ଜୁନ ମଧ୍ୟପ୍ରଦେଶର ଧାର ଜିଲ୍ଲାର ବୋଲି ଜଣାପଡିଛି । ତା ନାଁରେ ଆନ୍ଧ୍ର ଓ ତେଲେଙ୍ଗାନାରେ ଏକାଧିକ ମାମଲା ରହିଛି । ଏପରିକି ଭୁବନେଶ୍ବରରେ ହୋଇଥିବା ୧୫ ରୁ ଉର୍ଦ୍ଧ୍ବ ଆପାର୍ଟମେଣ୍ଟ ଲୁଟ ମାମଲାରେ ଅର୍ଜୁନ ଓ ତାର ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜଣାପଡ଼ିଛି । ଗତବର୍ଷ ଜୁଲାଇ ମାସରେ ପାହାଳ ଓ ବାଲିଅନ୍ତା ଅଞ୍ଚଳରେ ହୋଇଥିବା ସିରିଜ୍ ଆପାର୍ଟମେଣ୍ଟ ଲୁଟରେ ଏମାନଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି ।

ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ରାଜ୍ୟ ଭିତରେ କାହା ସହ ଲିଙ୍କ୍ ଅଛି, ସେ ନେଇ ଖୋଳତାଡ଼ ଚାଲିଛି । ସେପଟେ ସାଇଣ୍ଟିଫିକ୍ ଟିମ ଉପସ୍ଥିତିରେ ଖୋଲାଯାଇଛି ଏନକାଉଣ୍ଟର ବେଳେ ଲୁଟେରା ଛାଡ଼ି ଯାଇଥିବା ଏକ ବ୍ୟାଗ । ଯାହା ଭିତରେ ସୁନା, ରୁପା ସହ ନଗଦ ଟଙ୍କା ଥିବା ଦେଖିବାକୁ ମିଳିଛି । ସେହିଭଳି ଘଟଣାସ୍ଥଳରୁ ଅର୍ଜୁନ ହାତରୁ ଖସିପଡିଥିବା ବନ୍ଧୁକ ସହ ୪ ଟି ଖୋକା, ୩ ଟି ଅଫୁଟା ଗୁଳି ମଧ୍ୟ ଜବତ୍ କରାଯାଇଛି ।

ଲୁଟେରା ବ୍ୟବହୃତ କରୁଥିବା ଗାଡି ମଧ୍ୟ ଚୋରା ବୋଲି ଜଣାପଡିଛି । ଏହି ଘଟଣାରେ ୨ଟି ବାଇକ ଜବତ କରାଯାଇଛି । ଖସିଯାଇଥିବା ଅପରାଧୀଙ୍କୁ ଧରିବା ପାଇଁ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା କହିଛନ୍ତି ଡିସିପି । ସେପଟେ ଲୁଟେରାଙ୍କ ବିରୋଧରେ ପୋଲିସର ପଦକ୍ଷେପକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । କିଛିଦିନ ତଳେ ଆପାର୍ଟମେଣ୍ଟ ଲୁଟ୍ ରୋକିବାକୁ ଗଠନ ହୋଇଥିଲା ସ୍ପେଶାଲ ଆଣ୍ଟି ବର୍ଗଲାରୀ ଟିମ୍ । ଯେଉଁମାନେ ଏବେ ରାତିରେ ରାଜଧାନୀ ନିକଟରେ ପଇଁତରା ମାରୁଛନ୍ତି, ଆଉ ଅର୍ଜୁନ ଭଳି ଲୁଟେରାଙ୍କୁ ମାତ୍ ଦେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ଅଧିକ ପଢ଼ନ୍ତୁ: ବିବାହ ଉତ୍ସବରେ ନାଚି ନାଚି କାହିଁକି ଟଳିପଡ଼ିଲେ ଯୁବତୀ ?