Duplicate Cosmetics
ଏକ ନମ୍ବର ହାଟରେ ଦୋ ନମ୍ବରି କାରବାର ନେଇ ଚଢାଉ । ନାମଦାମୀ ବ୍ରାଣ୍ଡର କସମେଟିକର ଡୁପ୍ଲିକେଟ ପ୍ରଡକ୍ଟ ନେଇ ଖୋଳତାଡ଼ । ଆଜି ଭୁବନେଶ୍ୱର ୟୁନିଟ-୧ ହାଟରେ ଡ୍ରଗ କଣ୍ଟ୍ରୋଲର ଓ କ୍ରାଇମବ୍ରାଞ୍ଚ STF ମିଳିତ ଚଢାଉ କରିଛି । ରେଡ୍ ବେଳେ ବହୁ କସମେଟିକ ପ୍ରଡକ୍ଟ ଜବତ କରି ମାନ ନିର୍ଦ୍ଧାରଣ ପାଇଁ ପଠାଇଛି ଡ୍ରଗ କଣ୍ଟ୍ରୋଲର ବିଭାଗ । ସେପଟେ ଆଗକୁ ଆଉ କାହାର ପାଳି ପଡିବ ସେନେଇ ଚିନ୍ତାରେ ଅଛନ୍ତି ବ୍ୟବସାୟୀ ।
ଆପଣ ବର୍ଷ ବର୍ଷ ଧରି ନାମଦାମୀ ବ୍ରାଣ୍ଡର କସମେଟିକ୍ ବ୍ୟବହାର କରିବା ପରେ ବି ତ୍ବଚାରେ କୌଣସି ଫରକ ଅସୁନାହିଁ କି ? ଗୋରାପଣ ପାଇବା ଆଶାରେ ବ୍ୟବହାର କରୁଥିବା ଫେସ୍ କ୍ରିମ୍ ଆପଣଙ୍କ ମୁହଁ କଳା ପକାଇ ଦେଉଛି କି ? ତାହେଲେ ଆପଣ ଡୁପ୍ଲିକେଟ ପ୍ରଡକ୍ଟ ବ୍ୟବହାର କରୁଥାଇପାରନ୍ତି । କାରଣ ନାମୀଦାମୀ ବ୍ରାଣ୍ଡର କସମେଟିକ୍ ନାଁରେ, ମାର୍କେଟରେ ବିକ୍ରି ହେଉଛି ମାଳମାଳ ଡୁପ୍ଲିକେଟ ପ୍ରଡକ୍ଟ । ଯାହାକୁ ଆପଣ ଚିହ୍ନିବା କଷ୍ଟକର, ଯେଉଁଥିପାଇଁ ଗ୍ରାହକଙ୍କୁ ଜାଗ୍ରତ କରିବା ସହ ଭୁବନେଶ୍ବର ୟୁନିଟ ୱାନ ହାଟରେ ଥିବା ଷ୍ଟେସନାରୀ ଓ କସମେଟିକ ଦୋକାନରେ ଛାପା ମାରିଛି ଡ୍ରଗ କଣ୍ଟ୍ରୋଲର ବିଭାଗ ।
ଅଧିକ ପଢ଼ନ୍ତୁ: ସଭିଁଙ୍କୁ ଆଲୁଅ ଯୋଗାଉଥିବା ଗାଁ, ନିଜେ ପଡ଼ିଛି ଅନ୍ଧାରରେ...
ନାମିଦାମୀ ବ୍ରାଣ୍ଡ ପ୍ରଡକ୍ଟର ହୋଇଛି ମାନ ନିର୍ଦ୍ଧାରଣ । ଡକ୍ୟୁମେଣ୍ଟ ଓ ବିଲ୍ର ହୋଇଛି ଯାଞ୍ଚ । ଜଣେ ଗ୍ରାହକ କସମେଟିକ୍ ସପିଂ କଲା ବେଳେ ପ୍ରଥମେ ପ୍ରଡକ୍ଟର ସ୍କାନ କୋଡ଼ ଦେଖିବା ଦରକାର । "Next generation" ନାମକ ଆପ୍ଲିକେସନ ଦ୍ୱାରା ଅରିଜିନାଲ ଓ ଡୁପ୍ଲିକେଟ ମଧ୍ୟରେ ପାର୍ଥକ୍ୟ ସହ ପ୍ରଡକ୍ଟ ଡିଟେଲ୍ସ ପାଇପାଇବେ ଗ୍ରାହକ । ଏହାସହ ଆଜି ଚଢ଼ାଉ ବେଳେ ପ୍ରଡକ୍ଟଗୁଡିକ ସିଧା ଡିପୋରୁ ଆସୁଛି ନାଁ ଲୋକାଲ ଡିଷ୍ଟିବ୍ୟୁଟର ଯୋଗାଉଛନ୍ତି, ସେନେଇ ମଧ୍ୟ ହୋଇଥିଲା ତନାଘନା । କିଛି ଜବତ ସାମଗ୍ରୀର ମାନ ନିର୍ଦ୍ଧାରଣ ପାଇଁ ସେଣ୍ଟ୍ରାଲ ଲ୍ୟାବକୁ ପଠାଇଛନ୍ତି ବିଭାଗୀୟ ଅଧିକାରୀ ।
ନକଲି କସମେଟିକ୍ ପ୍ରଡକ୍ଟ ଦ୍ବାରା ବିଭିନ୍ନ ଚର୍ମରୋଗର ଶିକାର ହେଉଛନ୍ତି ବ୍ୟବହାରକାରୀ । ଅଧିକ ଲାଭ ଆଶାରେ, ନକଲି ସାମଗ୍ରୀ କରୁଥିବା ବ୍ୟବସାୟୀ ଓ ଉତ୍ପାଦକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଛନ୍ତି ଗ୍ରାହକ । ସେପଟେ ବ୍ୟବସାୟୀ କହିବା କଥା, ଆମେ ବୈଧ ବିଲ୍ ଦେଇ କଂପାନୀର ଅଧିକୃତ ବିକ୍ରେତାଙ୍କ ଠାରୁ ମାଲ ଆଣୁଛି । ଯେଉଁ ବ୍ୟବସାୟୀମାନେ ବିନା ବିଲରେ ନେଣଦେଣ କରୁଛନ୍ତି, ସେମାନେ ନକଲି ଜିନିଷ ବିକ୍ରି କରିଥାଇପାରନ୍ତି ।
ଡ୍ରଗ୍ସ କଣ୍ଟ୍ରୋଲରର ମାରାଥନ ରେଡ୍ ପରେ ଏବେ ନକଲି କାରବାର କରୁଥିବା ବ୍ୟବସାୟୀଙ୍କ ମନରେ ଛନକା ପଶିଛି । କସମେଟିକ ପରେ ଆଗକୁ କାହା ପାଳି ପଡିବ, ତାକୁ ନେଇ ଚିନ୍ତାରେ କଳାବଜାରୀ କରୁଥିବା ବ୍ୟବସାୟୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749139190.jpg)