Advertisment

ବିଜେଡି ବିଧାୟକ ଶଶିଭୂଷଣଙ୍କ ନାଁରେ ବୋହୂଙ୍କ ଏତଲା

ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଥାନାରେ ଏତଲା ଦେଇଛନ୍ତି ଶଶିଭୂଷଣଙ୍କ ବୋହୂ ।

author-image
Manoranjan Behera
ଅଦ୍ୟତନ ହୋଇଛି
Dowry Harassment Case Against BJD Minister

Dowry harassment

ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାଁରେ ଏତଲା । ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ନାଁରେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି ବୋହୂ ରୋନାଲି ବେହେରା । ଯୌତୁକ ନିର୍ଯାତନା ଓ ମାରପିଟ ନେଇ ଏତଲା ଦେଇଛନ୍ତି ଶଶିଭୂଷଣଙ୍କ ବୋହୂ । ବାହାଘର ପରେ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଶଶିଭୂଷଣଙ୍କ ପୁଅ ୪୦ ଲକ୍ଷ ମାଗି ମାରପିଟ କରୁଥିବା ଅଭିଯୋଗ କରିଛନ୍ତି । ୪୦ ଲକ୍ଷ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲାରେ କୁହାଯାଇଛି ।

Advertisment

ଏନେଇ ଶ୍ୱଶୁର ଶଶିଭୂଷଣଙ୍କୁ କହିବାରୁ ସେ ଗାଳିଗୁଲଜ କରିଥିବା କୁହାଯାଉଛି । ବୋହୂଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ବାଙ୍କୀ ଥାନା ପୋଲିସ । ଶଶିଭୂଷଣ, ପୁଅ ସତ୍ୟପ୍ରକାଶ, ପତ୍ନୀ ସୁପ୍ରଭାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ଦଫା ୪୯୮(କ), ୨୯୪, ୫୦୬, ୩୪ ଆଇପିସିରେ ମାମଲା ରୁଜୁ କରାଯାଇଛି । ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ମଧ୍ୟ ମାମଲା ରୁଜୁ ହୋଇଛି । ବୋହୂଙ୍କ ଅଭିଯୋଗ ନେଇ ଶଶିଭୂଷଣଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ରୋନାଲି ତାଙ୍କ ଏତଲାରେ ଦର୍ଶାଇଛନ୍ତି, ନିର୍ବନ୍ଧ ସମୟରେ ମୋ ଶ୍ୱଶୁର ଶଶିଭୂଷଣ ବେହେରା, ଶାଶୁ ସୁପ୍ରଭା ମହାନ୍ତି ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତି ମୋ ବାପାମା’ଙ୍କୁ ବାହାଘର ବେଳେ କାଠର କୌଣସି ଘରକରଣା ଜିନିଷ ନ ଦେବା ପାଇଁ କହିଥିଲେ । ତା’ ବଦଳରେ ସୁନା ଜିନିଷ ଓ ଟଙ୍କା ଦେବା ପାଇଁ କହିଥିଲେ। ତା’ ସହିତ ଦୁଇଟି ନଣଦ ପୁଟୁଳି ଦେବାକୁ କହିଥିଲେ । ନଣଦ ପୁଟୁଳିରେ ସୁନା ଜିନିଷ ଦେବାକୁ କହିଥିଲେ । ଏହା ସହିତ ରୁପାର ଥାଳି ଦେବାକୁ କହିଥିଲେ। ସେମାନଙ୍କ ଦାବି ମୁତାବକ ମୋ ବାପା ସବୁ ଜିନିଷ ଦେଇଥିଲେ।

Advertisment

ବାହାଘର ପରେ ୧୦/୧୨ ଦିନ ପର୍ଯ୍ୟନ୍ତ ଭଲରେ ରହିଲି । ତା’ପରେ ମୋ ଶାଶୁ, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ମୁଁ ପିନ୍ଧିଥିବା ସୁନା ଅଳଙ୍କାର ଶାଶୁଙ୍କୁ ଦେବା ପାଇଁ କହିଥିଲେ। ମୁଁ ଏକ ସୁନା ଚେନ୍ ଓ ମୁଦି ବ୍ୟତୀତ ଆଉ ସବୁ ଗହଣା ଶାଶୁଙ୍କୁ ଦେଇଦେଲି ।

ବାହାଘରର ପ୍ରଥା ଅନୁସାରେ ମୁଁ ମୋ ସ୍ୱାମୀଙ୍କ ସହିତ ପ୍ରଥମ ଥର ବାପଘରକୁ ଯାଇଥିଲି । ସେହି ସମୟରେ ମୋ ଶାଶୁ, ନଣଦ ଓ ଶ୍ୱଶୁର ମୋତେ କହିଥିଲେ ଯେ ବାହାଘର ପୂର୍ବରୁ ଯେଉଁ ସୁନା ଜିନିଷ ବ୍ୟବହାର କରୁଥିଲ, ସେଗୁଡ଼ିକୁ ନେଇ ଆସିବ । ତା’ ସହିତ ସ୍ୱାମୀଙ୍କୁ ପ୍ରଣାମି ସ୍ୱରୂପ ସୁନା ଜିନିଷ ଓ ଟଙ୍କା ଦେବା ପାଇଁ କହିଥିଲେ। ମୁଁ ବିବାହ ପୂର୍ବରୁ ଯେଉଁ ସୁନା ଜିନିଷ ବ୍ୟବହାର କରୁଥିଲି, ବାହାଘର ସମୟରେ ସେଗୁଡ଼ିକୁ ବଦଳାଇ ନୂଆ ଜିନିଷ କିଣିଥିଲି ।

ଶାଶୁ ଘରକୁ ଫେରିବା ପରେ ସେମାନେ ଯେତେବେଳେ ସେହି ପୁରୁଣା ସୁନା ଜିନିଷ ମାଗିଲେ, ମୁଁ ସେମାନଙ୍କୁ ସତ କଥା କହି ଦେଇଥିଲି । ପୁରୁଣା ଗୁଡ଼ିକୁ ବଦଳାଇ ନୂଆ କିଣି ଦେଇଥିଲି ବୋଲି କହିଥିଲି । ଏହା ଶୁଣି ମୋ ଶାଶୁ ଓ ନଣଦ ମୋତେ ଛୋଟ ଲୋକ, ଭିକାରୀ ପିଲା କହିଥିଲେ ଏବଂ ଅଭଦ୍ର ଭାଷାରେ ଗାଳି କରିଥିଲେ । ମୁଁ ପ୍ରତିବାଦ କରିବାରୁ ମୋ ସହିତ ମାରପିଟ କରିଥିଲେ। ଭବିଷ୍ୟତରେ ସବୁ ଠିକ ହୋଇଯିବ ବୋଲି ଭାବି ସହି ଯାଇଥିଲି।

ଏହାର କିଛି ଦିନ ପରେ ସେମାନେ ମୋତେ ବ୍ୟାଙ୍କକୁ ନେଇ ମୋ ନାଁରେ ଗୋଟିଏ ଆକାଉଣ୍ଟ ଖୋଲିଥିଲେ । ପାସ୍‌ବକୁ ଓ ଏଟିଏମ କାର୍ଡ ମୋ ଶାଶୁ ତାଙ୍କ ପାଖରେ ରଖିଲେ । ମୁଁ ପାଉଥିବା ରାଜୀବ ଗାନ୍ଧି ଫେଲୋଶିପ ଟଙ୍କା ଡିପୋଜିଟ କରିବା ପାଇଁ ମୋତେ କହିଥିଲେ। ହେଲେ ସେ ଟଙ୍କା ମୁଁ ଖର୍ଚ୍ଚ କରି ଦେଇଥିବା କହିଥିଲି। ଫଳରେ ପୂର୍ବଭଳି ମୋତେ ଭିକାରୀ, କାଙ୍ଗାଳ ପିଲା କହି ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିଲେ।

ଏହାର କିଛି ଦିନ ପରେ ବାହାଘର ବେଳେ ଭିଡିଓ ପାଇଁ ଖର୍ଚ୍ଚ ହୋଇଥିବା ୨ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମୁଁ ଏକଥା ବାପାଙ୍କୁ କହିବାରୁ ସେ ମୋ ବଡ଼ ଭଉଣୀଙ୍କୁ କହି ୬୦ ହଜାର ଟଙ୍କା ମୋ ନଣଦଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଅବଶିଷ୍ଟ ଟଙ୍କା ପରେ ଦେବା ପାଇଁ କହିଥିଲେ। ବାକି ଟଙ୍କା ନଦେଇ ପାରିବାରୁ ସେମାନେ ପୁଣି କାଙ୍ଗାଳିଆ ଝିଅଟା ଆମ ଭାଗ୍ୟରେ ପଡ଼ିଲା ବୋଲି କହି ମୋତେ ଗାଳି କରିଥିଲେ। ଆମକୁ ୟା’ଠୁ ଭଲ ଯୌତୁକ ଦବାବାଲା ମିଳିଥା’ନ୍ତେ ବୋଲି କହି ମୋତେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ। ଏପରିକି ମୋତେ ଖାଇବାରେ ଅସୁବିଧା କଲେ। ମୋତେ ରୋଷେଇ ଘରକୁ ଛାଡ଼ି ଦେଲେ ନାହିଁ।

BJD Sashi Bhusan Behera Dowry Harassment Case
Advertisment
Advertisment