• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ଡବଲମର୍ଡର । ସଇତାନ ସ୍ୱାମୀର ବିଜୟ କେତନ ସେଠୀ ଯିଏ ଅତି ଅମାନୁଷିକ ଭାବେ ହତ୍ୟା କରିଛି ନିଜ ପତ୍ନୀ ଗାୟତ୍ରୀ ସେଠୀ ଓ ମାତ୍ର ଦୁଇ ମାସ ତଳେ ବିବାହ କରିଥିବା ଶାଳୀ ସରସ୍ୱତୀ ସେଠୀଙ୍କୁ । ଘଟଣା ଗୁରୁବାର ରାତିରୁ ଘଟିଥିଲେ ବି କେହି କିନ୍ତୁ କିଛି ବି ଟେର ପାଇନଥିଲେ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସରକାରୀ ମେଡିକାଲ ନିକଟ EWS ବ୍ଲକ୍ ୨୩/୨ର ଭଡ଼ା ଘରେ ହତ୍ୟା ପରେ ଦୁଇ ଦିନ ଧରି ଶବ ପଡ଼ିଥିଲେ ବି କେହି ସୁରାଗ ପାରିନଥିଲେ । ହେଲେ ଆଜି ସକାଳେ ହତ୍ୟାକାରୀ ବିଜୟ କିଛି ଘରକରଣା ସାମଗ୍ରୀ ଧରି ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ତାକୁ କାବୁ କରିଥିଲେ ଶ୍ୱଶୁର ସୁଦାମ ସେଠୀ । ଆଉ ତାପରେ ପଦାକୁ ଆସିଥିଲା ହତ୍ୟାକାଣ୍ଡର ସତ୍ୟାସତ୍ୟ ।

ସୂଚନା ଅନୁସାରେ ହତ୍ୟାକାରୀ ବିଜୟ, ଗତ ଗୁରୁବାର ଦିନ ନର୍ସ ଭାବେ ରାଜଧାନୀର ଏକ ଘରୋଇ ମେଡିକାଲରେ କାମ କରୁଥିବା ଶାଳୀ ସରସ୍ୱତୀଙ୍କୁ ଅପରାହ୍ନ ସାଢ଼େ ୩ଟାବେଳେ ନିଜ ଘରକୁ ଆଣିଥିଲା । ହେଲେ ତାପରଠୁ ସରସ୍ୱତୀ ଓ ଗାୟତ୍ରୀଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ଦୁଇ ଝିଅଙ୍କ ସହ ଯୋଗାଯୋଗ ନହେବାରୁ ଶେଷରେ ବାପା ସୁଦାମ ଜ୍ୱାଇଁ ବିଜୟଙ୍କୁ ବି ବାରମ୍ବାର ଫୋନ୍ କରିଥିଲେ । ହେଲେ ତାଙ୍କଠୁ କୌଣସି ସ୍ପଷ୍ଟ ଉତ୍ତର ନପାଇବା ସହ ଘର ତାଲା ପଡ଼ିଥିବା ଦେଖିଥିଲେ । ଏହାପରେ ଗତକାଲି ସୁଦାମଙ୍କ ସାନଝିଅ ସରସ୍ୱତୀଙ୍କ ସ୍ୱାମୀ ମାଗୁରତ୍ନ ସେଠୀ ଇନଫୋସିଟି ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ ।

ତେବେ ଆଜି ସକାଳେ ସୁଦାମ, ଜ୍ୱାଇଁ ବିଜୟଙ୍କୁ ଦେଖି ଦୁଇ ଝିଅଙ୍କ ସମ୍ପର୍କରେ ପଚାରିବାବାବେଳେ ସେ କିଛି ଘରକରଣା ଜିନିଷ ଧରି ପଳାଇବାକୁ ଉଦ୍ୟମ କରିଥିଲେ । ଆଉ ସୁଦାମ ତାଙ୍କୁ ମାଡ଼ି ବସି ଧରିଥିଲେ । ପୋଲିସର ଭୟ ଦେଖାଇବା ପରେ ବିଜୟ ସବୁ ସତ ଓଗାଳିଥିଲା । ଗୁରୁବାର ରାତିରେ ପତ୍ନୀ ଗାୟତ୍ରୀ ଓ ଶାଳୀ ସରସ୍ୱତୀକୁ ଏକ ଧାରୁଆ ଅସ୍ତ୍ରରେ ବେକ ଓ ମୁଣ୍ଡକୁ ଚୋଟ ମାରି ହତ୍ୟାକରିଥିବା ମାନିଥିଲା । ଆଉ ତାପରେ ଖବର ପାଇ ପୋଲିସ ପହଞ୍ଚି, ୨ଟି ଯାକ ମୃତଦେହକୁ ଜବତ କରି ବିଜୟକୁ ଗିରଫ କରିଥିଲା ।

ହତ୍ୟାକାରୀ ବିଜୟର ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ । ସେ ଭୁବନେଶ୍ୱରରେ ଏସି ମେକାନିକ୍ ଭାବେ କାମ କରୁଥିଲା ପାରିବାରିକ କଳହରୁ ସେ ପତ୍ନୀ ଓ ଶାଳୀକୁ ହତ୍ୟା କରିଥିବା ମାନିଥିବା ପୋଲିସ୍ କହିଛି । ତାସହ ମୃତଦେହ ମିଳିଥିବା ଘରୁ ଏକ ହାତଲେଖା ଚିଠି ବି ମିଳିଛି, ଯେଉଁଥିରେ ତାକୁ ମାନସିକ ନିର୍ଯାତନା ଦିଆଯାଉଥିବା ବିଜୟ ଲେଖିଥିବା ନେଇ ପୋଲିସ୍ ସୂଚନା ଦେଇଛି ।

ତେବେ ଏଭଳି ଅଭିଯୋଗକୁ ମୃତା ଗାୟତ୍ରୀ ଓ ସରସ୍ୱତୀଙ୍କ ବାପା-ମାଆ ଆଦୌ ଗ୍ରହଣ କରୁନଥିବାବେଳେ ହତ୍ୟାକାରୀକୁ ଫାଶୀ ଦେବାକୁ ଦାବି କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ପଛର ରହସ୍ୟ ଭେଦିବା ସହଜ ହେବ ବୋଲି ପୋଲିସ୍ କହିଛି ।

ନିକଟରେ ମାହାଙ୍ଗା କୁସୁପୁରୁରେ ଜଣେ ସାନ ଭାଇ ନିଜ ବଡ଼ ଭାଇ, ଭାଉଜ ସହ ତାଙ୍କର ୨ ଝିଅ ଓ ଗୋଟିଏ ପୁଅକୁ ମିଶାଇ ୫ଜଣଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରିବା ଘଟଣା ମନରୁ ନଲିଭୁଣୁ ଏବେ ରାଜଧାନୀରେ ଦୁଇ ଦୁଇ ଜଣ ମହିଳାଙ୍କୁ ଜଘନ୍ୟ ହତ୍ୟା । ଘରୋଇ କଳିର କୁପରିଣତିକୁ ପୁଣି ସାମ୍ନାକୁ ଆଣିଛି ତେଣୁ ଏଠି ପ୍ରଶ୍ନ, କାହିଁକି ବାରମ୍ବାର ଘଟୁଛି ଏଭଳି ଘରୋଇ ହିଂସା ? କାହିଁକି ନିଜ ଲୋକଙ୍କୁ ବି ନୃଶଂସ ଭାବେ ହତ୍ୟା କରିବାକୁ ପଛାଉନି ଆତ୍ମୀୟ ? କଣ ଏହା ଏକ ବ୍ୟାଧିରେ ପରିଣତ ହେଲାଣି କି ?

ଭୁବନେଶ୍ୱରରୁ ସନ୍ତୋଷ ନାଏକଙ୍କ ସହ ଅତୂଲ୍ୟ ବାଉତ ଓ କଟକରୁ ପ୍ରଭାତ ବିଷୋୟୀଙ୍କ ରିପୋର୍ଟ