• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜଣେ ନିରୀହ ବ୍ୟକ୍ତିଙ୍କ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିବ, ଡାକ୍ତରଙ୍କ ମାନବିକତା ଉପରେ ପ୍ରଶ୍ନ ଉଠାଇବେ ଆପଣ । ଆଉ କହିବେ ଯାହାଙ୍କୁ ଆମେ ଦ୍ୱିତୀୟ ଭଗବାନ ବୋଲି କୁହନ୍ତି ସିଏ ଏମିତି କେମିତି କହିପାରିଲେ? ଶିକ୍ଷିତ ନଥିବାରୁ ଚିକିତ୍ସା ନକରି ଫେରାଇ ଦେଲେ ? ଏମିତି ଘଟଣା କେଉଁଠି ହୋଇଛି? କେବେ ହୋଇଛି? ଏମିତି ଅନେକ ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଥିବ । ହେଲେ ପ୍ରକୃତ ଘଟଣା ଜାଣିବା ପରେ ଉଡିଯିବ ହୋସ୍‌ । ଆଉ କହିବେ ଏମିତି ଡାକ୍ତରଙ୍କ ବିରୋଧରେ ତୁରନ୍ତ ହେଉ କାର୍ଯ୍ୟାନୁଷ୍ଠାନ ।

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରୁ ସାମ୍ନାକୁ ଆସିଛି ଏମିତି ଘଟଣା । ଯେଉଁଠି ଜଣେ ଆଦିବାସୀ ଲୋକର ଚିକିତ୍ସା ନକରି ତୁମର ଡେଟ୍‌ ସରିଗଲାଣି, ଘରକୁ ଯାଅ କହି ଫେରାଇ ଦେବା ପରି ସାଙ୍ଘାତିକ ଅଭିଯୋଗ ଆସିଛି । ଯାହାକୁ ନେଇ ପୂରା ଜିଲ୍ଲାରେ ଏବେ ଚର୍ଚ୍ଚା ।

ଜିଲ୍ଲାର ବରଦାପାଳ ପଂଚାୟତର ହେସଲଗୁଠ ସାହି । କାହିଁ କେତେ କାଳରୁ ଘର କରି ରହୁଛନ୍ତି ଶଙ୍କର ମୁଣ୍ଡା । ପରିବାର କହିଲେ ସ୍ତ୍ରୀ ଓ ୬ ଟି ପିଲା । ପର ଘରେ ମୂଲ ଲାଗିଲେ ଘରେ ଚୁଳି ଜଳେ । ଯେତିକି ରୋଜଗାର ହୁଏ ସେତିକିରେ ପୂରା ପରିବାର ଚଳେ । ହେଲେ ତାଙ୍କ ହସଖୁସିର ସଂସାର ଉପରେ ସତେ ଯେମିତି କାହାର ନଜର ଲାଗିଗଲା । ହଠାତ୍‌ ଶଙ୍କରଙ୍କ ଦେହ ଖରାପ ହେଲା । ଦେହ , ହାତ , ଗୋଡ ସବୁ ଶୁଖିଯିବା ସହ ପେଟ ଫୁଲିଗଲା... ନିଶ୍ୱାସ ପ୍ରଶ୍ଵାସ ନେବା ବି କଷ୍ଟ ହେଲା ।

ଦିନ ଯେତିକି ଗଡୁଥିଲା ଶଙ୍କରଙ୍କର ଯନ୍ତ୍ରଣା ବି ସେତିକି ବଢୁଥିଲା । ପେଟରେ ଭୋକ ଥିଲେ ବି ଯନ୍ତ୍ରଣା କାରଣରୁ ଖାଇପିଇ ପାରୁନଥିଲେ ସେ । ଆଉ ଏହାରି ଭିତରେ ଯନ୍ତ୍ରଣା ଏତେ ଅଧିକ ବଢିଥିଲା ଯେ ନିଜ ଚାଷ ଜମିକୁ ୨ ହଜାର ଟଙ୍କାରେ ବନ୍ଧା ପକାଇ ମେଡିକାଲ ଯାଇଥିଲେ ଶଙ୍କର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବାରୁ ଆଶା ଥିଲା ଏଇଠି ଭଲ ହୋଇ ଘରକୁ ଫେରିବେ...ହେଲେ ସବୁ ଆଶା ତାଙ୍କର ଆଶାରେ ହିଁ ରହିଗଲା । ଡାକ୍ତର ଚିକିତ୍ସା କରିବେ କଣ ବରଂ ତୁମର ଡେଟ୍‌ ସରିଗଲାନି, ଘରକୁ ଯାଅ କହି ଫେରାଇ ଦେଲେ ।

ଚିକିତ୍ସା ନହୋଇ ଘରକୁ ଆସିବା ପରେ ଶଙ୍କରଙ୍କର ଯନ୍ତ୍ରଣା ବଢିଯାଇଛି । ଚିକିତ୍ସା ତ ପାଇଲେ ନାହିଁ ବରଂ କେମିତି ଭଲ ହେବ ସେହି କଥା ଚିନ୍ତା କରି ଗୁଣିଆର ଶରଣ ପଶିଲେ । କୁକୁଡା ବଳି ଦେଲେ, ମନ୍ତ୍ରୁରା ପାଣି ପିଇଲେ । ହେଲେ ଦେହ ଭଲ ହେବା ପରିବର୍ତ୍ତେ ଅଧିକ ଖରାପ ହେଲା । ଏବେ ବଡ ଯନ୍ତ୍ରଣାରେ ଦିନ କାଟୁଛନ୍ତି ଶଙ୍କର । ସେପଟେ ପୂରା ଘଟଣା ଜାଣିବା ପରେ ଡାକ୍ତରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ମୋହନ ମାଝୀ ଦାବି କରିଥିବା ବେଳେ ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାରିନାହିଁ ।

 

  • Reported by:
  • PRANAYA PANI