• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାନବାଦ୍: ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ । ଖବରଟି ଏମିତି ଯେ, ଜଣେ ମହିଳା ନ୍ୟାୟ ପାଇଁ ନିଜ କୁନି ୩ ବର୍ଷର ଝିଅକୁ ଧରି ଦୁଆର ଦୁଆର ବୁଲୁଛନ୍ତି । ତେବେ କାହିଁକି ସେ ଏମିତି ଦୁଆର ଦୁଆର ବୁଲୁଛନ୍ତି । କ’ଣ ରହିଛି ଏହା ପଛର କାରଣ ? ତାଙ୍କର ଏପରି ଅବସ୍ଥା କିଏ କରିଛି ? ତାକୁ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ।

ତେବେ ମହିଳାଙ୍କ କହିବା କଥା, ତାଙ୍କ ସ୍ୱାମୀ କେଉଁ ଆଡ଼େ ଚାଲି ଯାଇଛନ୍ତି । ତାଙ୍କୁ ଖୋଜି ଖୋଜି ସେ ନୟାନ୍ତ ହେଲେଣି । ହେଲେ ତାଙ୍କ ଖୋଜ ଖବର କିଛି ମିଳୁନାହିଁ । ଏମିତିକି ତାଙ୍କ ଶ୍ୱଶୂର ଘର ଲୋକ ମଧ୍ୟ କିଛି କହୁ ନାହାନ୍ତି । ଓଲଟି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ରେ ଧୈୟା ନାଗ ନଗର ଅଞ୍ଚଳର ଜଣେ ଯୁବକ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ନିଜ ଆଙ୍ଗୁଳି କାଟି ମହିଳାଙ୍କ ମଥାରେ ଫିଲ୍ମ ଷ୍ଟାଇଲରେ ରକ୍ତର ସିନ୍ଦୂର ପିନ୍ଧାଇଥିଲେ । ହେଲେ କିଛି ଦିନର ସମ୍ପର୍କ ପରେ ହଠାତ୍‌ ତାଙ୍କ ସ୍ୱାମୀ କେଉଁ ଆଡ଼େ ଉଭାନ୍‌ ହୋଇଯାଇଛନ୍ତି । ଆଉ ମହିଳାଙ୍କ ପାଖରେ ୩ ବର୍ଷର ଝିଅକୁ ଛାଡ଼ି ଦେଇଯାଇଛନ୍ତି ।

ପରିବାର ଲୋକଙ୍କ ନିର୍ଯାତନା ପରେ ତାଙ୍କ ସ୍ୱାମୀ ଏକ ଭଡ଼ା ଘର ନେଇ ତାଙ୍କୁ ରଖିଥିଲେ । ସବୁଠାରୁ ବଡ଼ କଥା ହେଲା, ଗତ ସପ୍ତାହ ହେବ ତାଙ୍କ ସ୍ୱାମୀଙ୍କ ପତ୍ତା ମିଳୁନି । ସେ କହିଛନ୍ତି, ଶ୍ୱଶୂର ଘର ଲୋକେ ତାଙ୍କ ସ୍ୱାମୀଙ୍କ ବିବାହ ଅନ୍ୟତ୍ର କରିବେ ବୋଲି ସ୍ଥିର କରିଛନ୍ତି । ତେଣୁ ଏଥିପାଇଁ ତାଙ୍କ ସ୍ୱାମୀଙ୍କୁ କେଉଁଆଡ଼େ ଗାଏବ କରିଦେଇଛନ୍ତି ।

ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ନିଜ ସ୍ୱାମୀଙ୍କୁ ଖୋଜିବା ପାଇଁ ସେ ଶ୍ୱଶୂର ଘରକୁ ମଧ୍ୟ ଯାଇଥିଲେ । ହେଲେ ଶ୍ୱଶୂର ଘର ଲୋକ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପରେ ମହିଳା ଜଣକ ସ୍ଥାନୀୟ ପୋଲିସ ଷ୍ଟେସନରେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭରୁ ସମ୍ପର୍କ ସ୍ୱାଭାବିକ ନଥିଲା । ସେଥିରେ କୂହାଯାଇଛି ଯେ, ମହିଳା ଜଣକ ଏହି ଯୁବକଙ୍କୁ ବିବାହ କରିବାକୁ ଚାହୁଁନଥିଲେ । କିନ୍ତୁ ତାଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ସ୍ଥାପନ କରାଗଲା । ଏହାପରେ ବିବାଦରୁ ବର୍ତ୍ତିବା ପାଇଁ ଯୁବକ ଜଣକ ଫିଲ୍ମ ଷ୍ଟାଇଲ୍‌ରେ ଆଙ୍ଗୁଳି କାଟି ମହିଳାଙ୍କ ମଥାରେ ରକ୍ତ ସିନ୍ଦୂର ପିନ୍ଧାଇଥିଲେ ।

ଅଭିଯୋଗ ହୋଇଛି ଯେ, ଏହାପରଠାରୁ ଯୁବକ ଜଣକ ଲଗାତାର ଭାବେ ମହିଳାଙ୍କୁ ନିର୍ଯାତନା ଦେଇ ଆସୁଥିଲା । ଉଭୟଙ୍କ ମଧ୍ୟରେ ବିବାଦ ଏତେ ତୀବ୍ର ଥିଲା ଯେ, ମହିଳା ଜଣକ ନ୍ୟାୟ ପାଇଁ ପୂର୍ବରୁ ୩ ଥର ଥାନାରେ ଦ୍ୱାରସ୍ଥ ହୋଇସାରିଛନ୍ତି । ଫଳରେ ଯୁବକଙ୍କୁ ପୋଲିସ ତାଗିଦ୍‌ କରିଥିଲା । ପତ୍ନୀ ଓ ଝିଅର ଯତ୍ନ ନେବ ବୋଲି ଯୁବକ ଜଣକ ଥାନାରେ ଲିଖିତ ଭାବେ କହିଥିଲା । ଏହାପରେ କିଛି ଦିନ ପର୍ଯ୍ୟନ୍ତ ସ୍ଥିତି ସ୍ୱାଭାବିକ୍‌ ଥିଲା । ହେଲେ ହଠାତ୍‌ ଏବେ ମହିଳାଙ୍କ ସ୍ୱାମୀ କେଉଁଆଡ଼େ ଉଭାନ୍‌ ହୋଇଯାଇଛନ୍ତି ।