• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାମନଗର ଉପନିର୍ବାଚନ ସରିବାର ଦିନକ ପରେ ଭଦ୍ରକରେ ରାଜନୈତିକ ହିଂସା । ଗତକାଲି ବିଲମ୍ବିତ ରାତିରେ ତିହିଡିର ଏକ ପରିବାର ଉପରେ ଆକ୍ରମଣ । ଗୋଟିଏ ଗୋଷ୍ଠୀର ୩୦ରୁ ଅଧିକ ଲୋକ ଅତର୍କିତ ଭାବେ ଆକ୍ରମଣ କରିଛନ୍ତି । ଏଥିରେ ବାପା, ଝିଅ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଉପନିର୍ବାଚନରେ ଭୋଟ ଦେବାକୁ ନେଇ ହିଂସାକାଣ୍ଡ ହୋଇଥିବା ସୂଚନା ମିଳିଛି । ଏନେଇ ତିହିଡ଼ି ଥାନାରେ ଏତଲା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ବିଜେଡି କର୍ମୀମାନେ ଏହି ଆକ୍ରମଣ କରିଥିବା ଆହତ ବ୍ୟକ୍ତି ଅଭିଯୋଗ କରିଛନ୍ତି । ବିଜେପି ସପକ୍ଷରେ ଭୋଟ୍ ଦେବାକୁ ଯାଇଥିବାରୁ ଏପରି କାଣ୍ଡ ଭିଆଇଥିବା ସେମାନେ କହିଛନ୍ତି । ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ଆକ୍ରମଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ପ୍ରର୍ଥୀ ସୂର୍ଯ୍ୟବଂଶୀ ସୂରଜ । ମେଡିକାଲରେ ପୀଡ଼ିତ ପରିବାରଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କୌଣସି ରାଜନୈତିକ ଦଳ ଚାପରେ ନଆସି ପୋଲିସ ନିରପେକ୍ଷ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି ।  

ନିର୍ବାଚନ ପରର ହିଂସା । ଭିଡିଓ ଭାଇରାଲ ।

ଯେଉଁମାନଙ୍କୁ ଆକ୍ରମଣ କରାଯାଇଛି ସେମାନେ ବିଜେପିକୁ ସମର୍ଥନ କରୁଥିଲେ । ତେଣୁ ବିଜେଡି କର୍ମୀ ସେମାନଙ୍କୁ ଭୋଟ୍ ଦେବା ପାଇଁ ଯିବାକୁ ଧମକ ଦେଇଥିଲେ । ହେଲେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ନିଷ୍ପତ୍ତି ନେଇ ଭୋଟ୍ ଦେବାକୁ ଯାଇଥିଲେ ଉକ୍ତ ପରିବାର ଲୋକ । ଏସମ୍ପର୍କରେ ଖବର ପାଇବା ପରେ ସଂଘବନ୍ଧ ଭାବେ ଘରେ ପଶି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଘରେ ଥିବା ମହିଳାଙ୍କୁ ବି ଛାଡ଼ିନଥିଲେ । ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ବାପା, ଝିଅଙ୍କ ଚିକିତ୍ସା ଚାଲିଛି । ଏନେଇ ତିହିଡ଼ି ଥାନାରେ ଏତଲା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ବୋଡ଼କ ପଞ୍ଚାୟତ ଅଣ୍ଡରେଇରେ ମଧ୍ୟ ବିଜେଡି କର୍ମୀଙ୍କ ବର୍ବରତାର ଶିକାର ହୋଇଛନ୍ତି ଗାଁର ପିତାମ୍ବର ନାୟକ । ବିଲକୁ ଯାଉଥିବା ବେଳେ, ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରାଯାଇଛି । ଏପରକି ଆକ୍ରମଣ ପୂର୍ବ ଦିନ ରାତିରେ ତାଙ୍କୁ ବିଜେଡି କର୍ମୀ ମାନେ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ତାଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ସେପଟେ ଭଦ୍ରକ ଖପରପଦାରେ ବିଜେଡି ସରପଞ୍ଚଙ୍କ ପୁଅଙ୍କ ଦାଦାଗିରିର ଭିଜୁଆଲ ଭାଇରାଲ ହୋଇଛି । ପ୍ରଥମେ ଘର ଜାଳିଦେବା ପରେ, ମିଶନଶକ୍ତି ଗୃହରେ ଆଶ୍ରୟ ନେଇଥିବା ପରିବାରକୁ ସରପଞ୍ଚଙ୍କ ପୁଅ ମାଡ଼ ମାରିଥିବା ହୋଇଛି ଅଭିଯୋଗ । ଯାହାର ଭିଜୁଆଲ ଭାଇରାଲ ହୋଇଥିବା ବେଳେ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ସେପଟେ ଧାମନଗର ଉପନିର୍ବାଚନ ପରେ ହିଂସାକାଣ୍ଡ ନେଇ ବିଜେପି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ସେ କହିଛନ୍ତି, ଧାମନଗରରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ହୋଇଛି । କାଁ ଭାଁ କେଉଁଠି ହିଂସାକାଣ୍ଡ ଘଟିଛି । ଯେଉଁଠି ଗୁଣ୍ଡାଗର୍ଦ୍ଦି ହୋଇଛି ସେମାନେ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି । କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲେ ଆଇନ ଅନୁଯାୟୀ ଯାହା ହେବା କଥା ହେବ ।

ଗତ ତିନି ତାରିଖରେ ଧାମନଗର ଉପନିର୍ବାଚନ ଶେଷ ହୋଇଛି । ଆସନ୍ତାକାଲି ଏହାର ଫଳାଫଳ ପ୍ରକାଶ ପାଇବ । ତେବେ ଫଳାଫଳ ପ୍ରକାଶ ପାଇବାର ଦିନକ ପୂର୍ବରୁ ଏଭଳି ହିଂଶାକାଣ୍ଡ ଘଟିଛି । ଅନ୍ୟପକ୍ଷରେ କଡ଼ା ସୁରକ୍ଷା ଭିତରେ ଇଭିଏମ୍‌ଗୁଡ଼ିକୁ ରଖାଯାଇଥିବା ବେଳେ ଆସନ୍ତାକାଲି ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ୧୪ଟି ଟେବୁଲରେ, ୧୮ ରାଉଣ୍ଡରେ ଗଣତି ହେବ । ସରକାରୀ ଭାବେ ଏଥର ୬୮.୯୮ ପ୍ରତିଶତ ଭୋଟ୍ ହୋଇଛି ବୋଲି ଘୋଷଣା କରାଯାଇଛି । ଇଭିଏମ୍‌ରେ ଭୋଟ୍ ଗ୍ରହଣ ହୋଇଥିବାରୁ ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି ।

ଭୋଟ୍ ଗଣତି ଲାଗି ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏପଟେ ଗଣତି ପୂର୍ବରୁ ବଢିବାରେ ଲାଗିଛି ରାଜନୈତିକ ଦଳଙ୍କ ଉତ୍କଣ୍ଠା । ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଥିବାରୁ ଆଗୁଆ ଆକଳନ ସମ୍ଭବ ହେଉନି । ୨୦୧୯ରେ ବିଷ୍ଣୁ ସେଠୀ ଯେତିକି ଭୋଟ୍ ବ୍ୟବଧାନରେ ଜିତିଥିଲେ ଏଥର ତାଠୁ ଅଧିକ ଭୋଟ୍‌ରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଜିତିବେ ବୋଲି ଦଳ ବିଶ୍ୱାସ ରଖିଛି । ସେହିପରି ଶାସକ ବିଜେଡି ବି ଦଳୀୟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ନେଇ ଦୃଢୋକ୍ତି ପ୍ରକାଶ କରିଛି । ମାତ୍ର ଫଳ ଘୋଷଣା ଆଗରୁ ପରାଜୟ ସ୍ୱୀକାର କରିଛି କଂଗ୍ରେସ ।