• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବହୁଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ମାମଲା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଲାଙ୍ଗିର କଣ୍ଟାବାଞ୍ଜି ଜେଲ୍‌ରେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କିନ୍ତୁ ଏହା ଆତ୍ସହତ୍ୟା ନା ଆଉ କିଛି ଷଡ଼ଯନ୍ତ୍ର, ସେନେଇ ପ୍ରଶ୍ନ ଉଠୁଛି । ଏହାରି ମଧ୍ୟରେ ଗୋବିନ୍ଦ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ । 

ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ । ନିଶ୍ଚିତ ଭାବେ ଜେଲ୍ କର୍ମଚାରୀଙ୍କ ଅବହେଳା ରହିଛି କହିଛନ୍ତି DIG । ସେ କହିଛନ୍ତି ନିଶ୍ଚିତ ଭାବେ ଅବହେଳା ରହିଛି, ନହେଲେ ମୂଲ୍ୟବାନ ଜୀବନ ଯାଇନଥାନ୍ତା । ରିପୋର୍ଟ ମିଳିଲା ପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ: ଦିନେ ପ୍ରତିଶୋଧ ପରାୟଣ ହୋଇ ଜୀବନ ନେଇଥିଲା, ଆଜି ନିଜେ ଜୀବନ ହାରିଦେଲା

ଆଜି ସକାଳେ ଜେଲ୍ ଭିତରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଝୁଲନ୍ତା ଅବସ୍ଥାରେ ଗୋବିନ୍ଦଙ୍କୁ ଉଦ୍ଧାର କରାଯାଇଥିଲା । କଣ୍ଟାବାଞ୍ଜି ମେଡିକାଲ୍‌ରେ ଭର୍ତ୍ତି ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ମିଳିଥିବା ସୂଚନା ମୁତାବକ, ଆଜି ହିଁ କୋର୍ଟରେ ହାଜର ହୋଇଥାନ୍ତେ ଗୋବିନ୍ଦ । ହେଲେ ତାପୂର୍ବରୁ ତାଙ୍କ ଆତ୍ମହତ୍ୟା ଏବେ ଅନେକ ପ୍ରଶ୍ନ ଛାଡ଼ିଛି ।

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାକୁ ନେଇ ସନ୍ଦେହ ପ୍ରକାଶ କଲେ ବିରୋଧୀ ବିଜେପି ଓ କଂଗ୍ରେସ । ଜେଲ୍‌ରେ ଗୋବିନ୍ଦ ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଛି । ଜେଲ୍ ଭିତରେ ଏତେ ସୁରକ୍ଷା ଥିବା ସତ୍ତ୍ୱେ ସେ କିପରି ଆତ୍ମହତ୍ୟା କଲେ ବୋଲି ପ୍ରଶ୍ନ କରିଛି ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ଗୋବିନ୍ଦ ସାହୁ । ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା ଏହି ମାମଲାରେ ସଂପୃକ୍ତି ଅଭିଯୋଗ ରହିଛି । ତେଣୁ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବାକୁ ଏସବୁ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଗୋବିନ୍ଦ ସାହୁ ମନ୍ତ୍ରୀଙ୍କ ପାଖରେ ନରମ ପଡ଼ିଯିବାରୁ ତାଙ୍କ ଉପରେ ବ୍ୟବସ୍ଥା ଗରମ ପଡ଼ିଥିବା ସେ ଦୋହରାଇଛନ୍ତି ।

ସେପଟେ ଗୋବିନ୍ଦ ସାହୁ ମୃତ୍ୟୁ ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ଗୋବିନ୍ଦଙ୍କ ମୃତ୍ୟୁ ଘଟିବାରୁ ମମିତା ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମମିତା ମାମଲାରେ ଗୋବିନ୍ଦ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି । ଯେଉଁମାନେ ଗୋବିନ୍ଦଙ୍କୁ ମୁକ୍ତି ପାଇଁ କଥା ଦେଇଥିଲେ, ସେମାନେ ଏବେ ହାତ ଛାଡ଼ିଦେଲେ । ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ସନ୍ଦେହ ଉପୁଜୁଛି । ତେଣୁ ସିବିଆଇ ତଦନ୍ତ ହେଲେ ସବୁ ରହସ୍ୟରୁ ପରଦା ହଟିବ ବୋଲି କହିଛନ୍ତି ସାଲୁଜା । ସେପଟେ କୋର୍ଟରେ ମାମଲା ବିଚାରଧୀନ ଥିବା କହି ଏଡ଼ାଇ ଯାଇଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।