• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏ ମଣିଷ କେତେ ନିଷ୍ଠୁର । ଗର୍ଭବତୀଙ୍କ ପ୍ରତି ମଧ୍ୟ ରହୁନି ଦୟା ମାୟା । ଡିଜେ ସାଉଣ୍ଡ ବନ୍ଦ କରିବାକୁ କହିବାରୁ ଗର୍ଭବତୀଙ୍କୁ ମାରିଲେ ଗୁଳି । ନଷ୍ଟ ହୋଇଗଲା ଗର୍ଭ । ଏମିତି ଏକ ହୃଦୟ ବିଦାରକ ତଥା ଅମାନବିକ କାଣ୍ଡ ଘଟିଛି ଦେଶର ରାଜଧାନୀ ଦିଲ୍ଲୀରେ । କୁହାଯାଏ ଦିଲ୍ଲୀବାସୀଙ୍କ ଦିଲ୍‌ ବଡ଼ । ହେଲେ ଏଠି ଏଭଳି କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜଣେ ୩୦ ବର୍ଷିୟ ମହିଳା ରଞ୍ଜୁ । ଯିଏ କି ଗର୍ଭବତୀ ଥିଲେ । ତାଙ୍କ ପଡ଼ିଶା ଘରେ ରାତି ପ୍ରାୟ ୧୨ଟା ପରେ ହେବ ଡିଜେ ବାଜୁଥିଲା । ଫଳରେ ଅନ୍ୟମାନେ ବିରକ୍ତ ହେଉଥିଲେ । କେହି ଶୋଇପାରୁ ନଥିଲେ । ଗର୍ଭବତୀ ଜଣକ ସାହସ କରି ବାହାରକୁ ଆସିଲେ । ଆଉ କହିଲେ ଟିକେ ଡିଜେ ବନ୍ଦ କରିଦିଅ । ହେଲେ ଯାହା ଘରେ ଡିଜେ ବାଜୁଥିଲା, ସେ ଏଥିରେ ଉତ୍‌କ୍ଷିପ୍ତ ହୋଇ ସାଙ୍ଗଠୁ ବନ୍ଧୁକ ଛଡ଼ାଇ ମହିଳାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ମହିଳାଙ୍କ ବେକରେ ଯାଇ ବାଜିଥିଲା।

ଅଧିକ ପଢ଼ନ୍ତୁ: ଏ ମଣିଷ କେତେ ନିଷ୍ଠୁର ! ବୟସ ଅଧିକ ହେଲା ବୋଲି ବୃଦ୍ଧାଙ୍କୁ ରାସ୍ତା କଡ଼ରେ ଫିଙ୍ଗିଦେଲା, ଦେଖନ୍ତୁ ଭିଡିଓ..

ଏହି ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଗୁଳିମାଡ଼ରେ ଗୁରୁତର ମହିଳାଙ୍କୁ ତୁରନ୍ତ ନିକଟସ୍ଥ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ମହିଳାଙ୍କ ଗର୍ଭ ନଷ୍ଟ ହେବା ସହ ସେ ଏବେ କଥା କହିବା ଅବସ୍ଥାରେ ନାହାନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁଳି କରିଥିବା ବ୍ୟକ୍ତି ହରିସକୁ ଗିରଫ କରିବା ସହ ତାର ବନ୍ଧୁ ଅମିତ, ଯିଏ କି ବନ୍ଧୁକ ଦେଇଥିଲା, ତାକୁ ମଧ୍ୟ ପୋଲିସ ଗିରଫ କରିଛି । ଏହି ଘଟଣା ରାତି ପ୍ରାୟ ୧୨ଟା ପରେ ଘଟିଛି । ୧୨.୧୫ ସମୟରେ ସ୍ଥାନୀୟ ଅଞ୍ଚଳର ଲୋକ ପିସିଆର୍‌ ଭ୍ୟାନ୍‌କୁ ଯୋଗାଯୋଗ କରିଥିଲେ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା, ଦିଲ୍ଲୀର ସିରାଶପୁର ଅଞ୍ଚଳରେ ଘଟିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ସାଲିମାର ବାଗ୍‌ ସ୍ଥିତ ମାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଳାରେ ଗୁଳି ବାଜୁଥିବାରୁ ପୋଲିସ ମହିଳାଙ୍କ ବୟାନ ରେକର୍ଡ କରାଯାଇ ପାରିନାହିଁ । କିନ୍ତୁ ମହିଳାଙ୍କ ନଣନ୍ଦଙ୍କ ବୟାନ ରେକର୍ଡ କରାଯାଇଛି । ସେ ଏହି ପୁରା ଘଟଣା ସମ୍ପର୍କରେ ପୋଲିସ ନିକଟରେ ବୟାନ ଦେଇଛନ୍ତି । ରବିବାର ରାତିରେ ଏହି ଘଟଣା ଘଟିଥିବା ସେ କହିଥିଲେ ।

ଖାଲି ସେତିକି ନୁହେଁ ଗୁରୁତର ରଞ୍ଜୁଙ୍କ ମାଆ ସନ୍ଧ୍ୟା ଦେବୀ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେବା ସହ ରଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ବିପଦମୁକ୍ତ ନଥିବା କହିଛନ୍ତି । ଏମିତିକି ରଞ୍ଜୁଙ୍କ ଗର୍ଭ ନଷ୍ଟ ହେବା କଥା ମଧ୍ୟ ସେ କହିଥିଲେ । ରଞ୍ଜୁଙ୍କ ଅନେକ ସର୍ଜରୀ କରାଯାଇଛି । ତାଙ୍କର ତିନୋଟି ସନ୍ତାନ ରହିଛି ।

ପୋଲିସ କହିଛି ଯେ, ଦୁଇ ଅଭିଯୁକ୍ତ ହରିସ ଏବଂ ଅମିତଙ୍କ ବିରୋଧରେ ବିଭିନ୍ନ ସଂଗୀନ ଦଫା ଲଗାଯିବା ସହ ମାମଲା ରୁଜୁ କରାଯାଇଛି । ହରିସ ଜଣେ ଡେଲିଭରୀ ବୟ ହୋଇଥିବା ବେଳେ ଅମିତ ଏକ ମୋବାଇଲ ରିପାୟାରିଂ ଦୋକାନ ଚଳାନ୍ତି । ଅନ୍ୟପଟେ ରଞ୍ଜୁଙ୍କ ସ୍ୱାମୀ ଜଣେ ଶ୍ରମିକ । ସେ ବିହାରରୁ ଆସି ଏଠାରେ ପରିବାର ସହ ଘର ଭଡ଼ା ନେଇ ରହୁଛନ୍ତି ।