• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତର-ପଶ୍ଚିମ ଦିଲ୍ଲୀର ଶାହବାଦ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକ ଅତ୍ୟନ୍ତ ଅମାନୁଷିକ ହତ୍ୟାକାଣ୍ଡ ସଂଘଟିତ ହୋଇଛି । ୧୬ ବର୍ଷିୟ ନାବାଳିକା ପ୍ରେମିକାକୁ ୨୦ ଥର ଛୁରି ଭୁସିବା ପରେ ମୁଣ୍ଡକୁ ବାରମ୍ବାର ପଥରରେ‌ ଛେଚି ହତ୍ୟା କରିଛି ପ୍ରେମିକ । ଗତକାଲି ସର୍ବସମ୍ମୁଖରେ ଏହି ହତ୍ୟାକାଣ୍ଡ ହୋଇଥିଲେ ବି କେହି ନାବାଳିକା ଜଣଙ୍କୁ ବଞ୍ଚାଇବା ପାଇଁ ଆସିନଥିଲେ । ଆଉ ସେଇଥି ପାଇଁ ନିର୍ଭୟରେ ନାବାଳିକାକୁ ଲଗାତାର ସିମେଣ୍ଡ୍‌ ସ୍ଲାବ୍‌ରେ ଛେଚି ଚାଲିଥିଲା ଅଭିଯୁକ୍ତ । ଏହି ନିର୍ଦ୍ଦୟ ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସିଛି । ସେପଟେ ଅଭିଯୁକ୍ତ ସାହିଲ ଦିଲ୍ଲୀ ପୋଲିସ ନିକଟରେ ନିଜର ଅପରାଧ ସ୍ୱୀକାର କରିଛି ।

ଦିନେ ପ୍ରେମ କରୁଥିବା ନାବାଳିକାକୁ ବର୍ବର ଭାବରେ ହତ୍ୟା କରିବା ପରେ ମଧ୍ୟ ଏଥିରେ ସେ ଆଦୌ ଅନୁତପ୍ତ କି ଦୁଃଖୀ ନୁହେଁ ବୋଲି କହିଛି । ଦିଲ୍ଲୀ ପୋଲିସର ପଚରାଉଚରା ବେଳେ ସାହିଲ କହିଛି, ସେ ଘଟାଇଥିବା ଅପରାଧ ପାଇଁ ସେ ଅନୁତାପ କରୁନାହିଁ । ପ୍ରେମିକାକୁ ମାରିବା ସମୟରେ ସେ ଭୀଷଣ ରାଗିଯାଇଥିଲା । କାରଣ ନାବାଳିକା ଜଣକ ତାକୁ ଅନେକ ଦିନ ଧରି ଅଣଦେଖା କରୁଥିଲେ । ଝିଅଟି ସାହିଲ ସହ ବ୍ରେକଅପ୍ କରିବାକୁ ଚାହୁଁଥିଲା । ଆଉ ସେଥିପାଇଁ ସେ ସାହିଲ ଠାରୁ ଧୀରେ ଧୀରେ ଦୂରେଇ ଯିବାକୁ ଚେଷ୍ଟା କରୁଥିଲା । ଆଉ ଏହାକୁ ସହ୍ୟ ନକରିପାରି ଏପରି ଅମାନୁଷିକ କାଣ୍ଡ ଘଟାଇଛି ସାହିଲ ।

ପୋଲିସ୍‌ ସୂଚନା ଅନୁସାରେ, ପ୍ରେମିକା ସାକ୍ଷୀଙ୍କୁ ହତ୍ୟା କରିବା ପରେ ସାହିଲ ରୀତାଲା ଅଞ୍ଚଳରେ ଛୁରି ଫିଙ୍ଗି ଦେଇଥିଲା । ଆଉ ତା’ପରେ ବସ୍ ଧରି ବୁଲନ୍ଦଶହର ଚାଲିଯାଇଥିଲା । ରାତିସାରା ପଚରାଉଚରା ବେଳେ ସାହିଲ ପୋଲିସକୁ କହିଛି, ସେ ମୋ ସହିତ ସମ୍ପର୍କ ଶେଷ କରି ତାଙ୍କ ପୁରୁଣା ପ୍ରେମିକ ପାଖକୁ ଯିବାକୁ ଚାହୁଁଥିଲା ।

ପୂରା ହତ୍ୟାକାଣ୍ଡ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଅଭିଯୁକ୍ତ ସାହିଲର ମୃତ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତେବେ ହତ୍ୟାକାଣ୍ଡ ପୂର୍ବଦିନ ସେମାନଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ରବିବାର ସନ୍ଧ୍ୟାରେ ନାବାଳିକା ତାର ଜଣେ ବନ୍ଧୁଙ୍କ ପୁଅର ଜନ୍ମଦିନ ପାର୍ଟିକୁ ଯାଉଥିବା ବେଳେ ବାଟରେ ଅଭିଯୁକ୍ତ ସାହିଲ ଆକ୍ରମଣ କରିଥିଲା । ନାବାଳିକାର ବାପା କହିଛନ୍ତି, ମୋ ଝିଅର ହତ୍ୟାକାରୀକୁ କଠୋର ଦଣ୍ଡ ମିଳୁ ।