• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀରୁ ପୁଣି ଆସିଲା ଛାତି ଥରାଇ ଦେଲା ଭଳି ଘଟଣା । ଜଣେ ବାପା ନିଜର ଚାରି ଝିଅଙ୍କ ସହ ମିଶି କରିଛି ଆତ୍ମହତ୍ୟା । ଏକଥା ସହଜରେ ବିଶ୍ୱାସ ହେଉନଥିଲେ ବି ସତ । କୁହାଯାଉଛି ୪ ଜଣ ଯାକ ଝିଅ ଦିବ୍ୟାଙ୍ଗ ଥିଲେ । ଶୁକ୍ରବାର ସକାଳେ ଏକ ଭଡାଘରୁ ପୋଲିସ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି । ବାପା ହେଉଛନ୍ତି ୫୦ ବର୍ଷିୟ ହିରାଲାଲ । ସେ ବିହାରର ମୂଳ ବାସିନ୍ଦା । କିନ୍ତୁ ପରିବାର ସହିତ ରଙ୍ଗପୁରୀ ଗାଁର ଏକ ଭଡା ଘରେ ରହୁଥିଲେ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ହିରାଲାଲ ଜଣେ ବଢ଼େଇ । ସେ କାଠ କାମ କରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ ପତ୍ନୀ କ୍ୟାନ୍‌ସର ରୋଗରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ପତ୍ନୀଙ୍କ ମୃତ୍ୟୁ ପରେ ଗତ ବର୍ଷେ ହେବ ୪ ଝିଅଙ୍କ କଥା ହୀରାଲାଲ ହିଁ ବୁଝୁଥିଲେ । ୪ ଝିଅ ହେଲେ ୧୮ ବର୍ଷର ଝିଅ ନୀତୁ, ୧୫ ବର୍ଷର ନୀଶି, ୧୦ ବର୍ଷିୟା ନୀରୁ ଏବଂ ୮ ବର୍ଷର ନୀଧି ।

ଝିଅମାନେ ଦିବ୍ୟାଙ୍ଗ ହୋଇଥିବାରୁ ସେମାନେ ଚଲାବୁଲା କରିବାକୁ ଅସମର୍ଥ ଥିଲେ । ଯେଉଁଥିପାଇଁ ହିରାଲାଲ ସବୁବେଳେ ଚିନ୍ତିତ ଥିଲେ । ପତ୍ନୀଙ୍କ ମୃତ୍ୟୁ ପରେ ସେ ଅଧିକ ଚିନ୍ତିତ ହେବାକୁ ଲାଗିଲେ। ତେବେ ପୋଲିସକୁ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍ ମିଳିନାହିଁ।

ସିସିଟିଭି ଫୁଟେଜରେ ବ୍ୟକ୍ତି ଜଣକ ୨୪ ତାରିଖରେ ଘର ଭିତରକୁ ଯାଉଥିବାର ଦେଖାଯାଇଛି । ଏହା ପରେ ଘରର କବାଟ ଭିତର ପଟରୁ ବନ୍ଦ ହୋଇଯାଇଥିଲା। ଚାରି ଝିଅଙ୍କ ମଧ୍ୟରୁ ଜଣଙ୍କୁ ଦେଖାଯାଉନଥିଲା, ଜଣେ ଚାଲିପାରୁନଥିଲା । ଅନ୍ୟମାନଙ୍କ ବିଷୟରେ ପୋଲିସ ତଥ୍ୟ ସଂଗ୍ରହ କରୁଛି । ମୃତଦେହ ପାଖରୁ ପୋଲିସ କିଛି ପାଉଚ୍ ଜବତ କରିଚି ।

ଛାନଭିନ୍‌ କରୁଛି ପୋଲିସ

ଶୁକ୍ରବାର ସକାଳ ୧୦ଟାରେ ଦିଲ୍ଲୀ ପୋଲିସ ଏନେଇ ସୂଚନା ପାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘର କବାଟ ବନ୍ଦ ଥିବା ଜାଣିବାକୁ ପାଇଥିଲା । ତାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିଥିଲେ । ତାପରେ ପୋଲିସ ଘର ଭିତରେ ପଶିଥିଲା । ପରିବାରର ପାଞ୍ଚ ଜଣଙ୍କ ମୃତଦେହ ଘରେ ପଡ଼ିଥିଲା । ପାଖରେ ଖୋଲା ପ୍ୟାକେଟ୍‌ ମଧ୍ୟ ପଡ଼ିଥିଲା । ଏହା ବ୍ୟତୀତ କୋଠରୀର ଡଷ୍ଟବିନ୍‌ରେ ଟେଟ୍ରା ପ୍ୟାକ୍ ଜୁସ୍‌ ଏବଂ ପାଣି ବୋତଲ ପାଇଥିଲା ପୋଲିସ ।

ଦିଲ୍ଲୀ ପୋଲିସ, ଦିଲ୍ଲୀ FSL, ସିବିଆଇ FSL ଏବଂ ସଫଦରଜଙ୍ଗ ଡାକ୍ତରଖାନାର ଡାକ୍ତରଙ୍କ ଦ୍ୱାରା ତଦନ୍ତ କରାଇଥିଲା। ଦିଲ୍ଲୀ ପୋଲିସ କହିଛି ଯେ ପ୍ରାରମ୍ଭିକ ଅନୁସନ୍ଧାନରୁ ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ ଏକକାଳିନ ପୂରା ପରିବାର ଏଭଳି ଏକ ବଡ଼ ପଦକ୍ଷେପ କାହିଁକି ନେଲା, ସେନେଇ କୌଣସି ସୂଚନା ନାହିଁ । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।

ଏମାନେ କେତେ ଦିନ ହେବ ଏହି ଯୋଜନା କରୁଥିଲେ ? ପ୍ରଥମେ ବାପା ଝିଅମାନଙ୍କୁ ବିଷ ଦେବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି କି ? ଏମିତି ଅନେକ ଦିଗରୁ ତଦନ୍ତ କରାଯାଉଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପୂରା ମାମଲା ପଛର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ କହିଛି ।

ଚାରି ଝିଅଙ୍କ ପେଟ ଏବଂ ବେକରେ ନାଲି କାଲାୱା ବନ୍ଧା ହୋଇଥିଲା । ସମସ୍ତଙ୍କ ମୃତଦେହ ଘରର ପ୍ରଥମ ରୁମ୍‌ର ଡବଲ୍‌ବେଡ୍ ଉପରେ ପଡ଼ିଥିଲା । ଦ୍ୱିତୀୟ ରୁମ୍‌ରେ ହିରାଲାଲଙ୍କ ମୃତଦେହ ମିଳିଥିଲା । ଆଉ ସମସ୍ତଙ୍କ ପାଟିରୁ ଧଳା ଫେଣ ବାହାରୁଥିଲା।

ପତ୍ନୀଙ୍କ ମୃତ୍ୟୁ ପରେ ହୀରାଲାଲ ଭାଙ୍ଗିପଡ଼ିଥିଲେ

ପତ୍ନୀଙ୍କ ମୃତ୍ୟୁ ପରେ ହୀରାଲାଲ ଅତ୍ୟନ୍ତ ଭାଙ୍ଗିପଡ଼ିଥିଲେ । ସେ ସକାଳେ କାମକୁ ଯାଉଥିଲା, କିନ୍ତୁ ଏହାପୂର୍ବରୁ ଝିଅମାନଙ୍କ ପାଇଁ ରୋଷେଇ କରି ଯାଉଥିଲା । ଦିନ ସାରା ଯେମିତି ସେମାନଙ୍କର କିଛି ଅସୁବିଧା ନହୁଏ, ସେନେଇ ସବୁ କାମ କରି ଯାଉଥିଲା । ଆଉ ସନ୍ଧ୍ୟାରେ କାମରୁ ଫେରି ପ୍ରଥମେ ଝିଅ ମାନଙ୍କ କଥା ବୁଝୁଥିଲା । ସେମାନଙ୍କ କାମ ସରିଲେ ନିଜ କଥା ବୁଝୁଥିଲା । ଗୋଟିଏ ପଟେ ଘର ଚଳାଇବା ଦାୟିତ୍ୱ, ଅନ୍ୟପଟେ ଚାରି ଭିନ୍ନକ୍ଷମ ଝିଅଙ୍କ ଦାୟିତ୍ୱ । ଯେଉଁଥିପାଇଁ ହିରାଲାଲ ଭାଙ୍ଗିପଡ଼ୁଥିଲେ । ସେ ଏତେ ସବୁ କାମକୁ ଏକା କରିବାକୁ ଆଉ ସମର୍ଥ ହୋଇପାରୁନଥିଲେ । ଶେଷରେ ନିଜ ଝିଅମାନଙ୍କ ସହିତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now