• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ AATS ବା ଆଣ୍ଟି-ଅଟୋ ଥେପ୍ଟ ସ୍କ୍ୱାଡ୍‌କୁ ମିଳିଛି ବଡ଼ ସଫଳତା । ଗାଡ଼ି ଚୋର ଗ୍ୟାଙ୍ଗ୍‌କୁ ଧରିଲା ଦିଲ୍ଲୀ ପୋଲିସ । ସାଉଥ୍‌ ଦିଲ୍ଲୀରେ ଅଚାନକ ରାତି ଅଧିଆ ଚଢ଼ାଉ କରି ଚୋରି ଗାଡ଼ି ଗୁଡ଼ିକୁ ଜବତ କରିବା ସହ ୪ ଜଣ ଚୋରଙ୍କୁ ଧରିଛି ପୋଲିସ । ପାଖାପାଖି ୫୦ରୁ ଅଧିକ ଦାମୀ ଗାଡ଼ି ଚୋରି କରି ସେମାନେ ତାର ପାର୍ଟ ଅଲଗା କରି ବିକ୍ରି କରିଥିବା ପୋଲିସ କହିଛି ।

ତେବେ ଏତେ ବଡ଼ ଚୋରି ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ପୁରା ଘଟଣାଟି ହେଲା ଏହି ଚୋରମାନଙ୍କର ଏକ ୫ ଜଣିଆ ଗ୍ୟାଙ୍ଗ ରହିଛି । ସେଥିରେ ଜଣେ ଗ୍ୟାଙ୍ଗ୍‌ ଲିଡର ବି ରହିଛି । ଏହି ଗ୍ୟାଙ୍ଗ୍‌ ଲିଡରର ଚିକିତ୍ସା ପାଇଁ ଚୋରି କରିଥିଲେ ୫୦ ରୁ ଅଧିକ ଦାମୀ ଗାଡ଼ି । ଉଦେଶ୍ୟ ଥିଲା ତାର ପାର୍ଟସ ଅଲଗା କରି ବିକ୍ରି କରିବେ । ଆଉ ଯାହା ଟଙ୍କା ମିଳିବ, ସେଥିରେ ଗ୍ୟାଙ୍ଗ ଲିଡରର ଚିକିତ୍ସା ଖର୍ଚ୍ଚ ବହନ କରିବେ । ଗ୍ୟାଙ୍ଗ୍‌ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।

ଏହି ଚୋରମାନେ ସାଉଥ୍‌ ଦିଲ୍ଲୀ, ସାଉଥ୍‌ ୱେଷ୍ଟ ଦିଲ୍ଲୀ ଏବଂ ୱେଷ୍ଟ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ଗାଡ଼ିଗୁଡ଼ିକୁ ଚୋରି କରିଥିବା ପୋଲିସ କହିଛି । ସେମାନେ ବାଛି ବାଛି କେବଳ ଦାମୀ ଗାଡ଼ି ବା ବିଳାସପୂର୍ଣ୍ଣ ଗାଡ଼ି ଚୋରି କରିଛନ୍ତି । ଏହି ଗ୍ୟାଙ୍ଗ୍‌ର ଏକ ଓୟାର ହାଉସ୍‌ ବି ରହିଛି । ସେଥିରେ କାମ କରୁଥିବା ୩ ଜଣ କର୍ମଚାରୀ ସଫିକ୍‌, ମଜିମ୍‌ ଏବଂ ରାମ ସଜୀବନ୍‌ ଏହି ଚୋରିରେ ସମ୍ପୃକ୍ତ । ସେମାନଙ୍କ ବ୍ୟତୀତ ଓୟାର ହାଉସ୍‌ର ମ୍ୟାନେଜର ଲକି ବି ଏଥିରେ ସମ୍ପୃକ୍ତ ବୋଲି ପୋଲିସ କହିଛି । ୪ ଜଣଙ୍କୁ ଗିରଫ କରି ପୋଲିସ ଏବେ ପଚରାଉଚରା କରୁଛି । ଅନ୍ୟପଟେ ଏହି ଚୋରିର ମାଷ୍ଟର ମାଇଣ୍ଡ ଆଶିଷ ଏବେ ମେଡିକାଲରେ ଚିକିତ୍ସିତ ହେଉଛି ।

ଲକି, ବୟସ ୩୬ । ଯିଏ କି ଓୟାର ହାଉସ୍‌ ସବୁ କଥା ବୁଝାବୁଝି କରେ । ତାର ସମ୍ପର୍କୟ ଭାଇ ହେଉଛି ଆଶିଷ । ସେ ଓୟାର ହାଉସର ବାହାର କଥା ବୁଝା ବୁଝି କରେ । କାର ଗୁଡ଼ିକ ଚୋରି କରିବା ପରେ ସାଉଥ୍‌ ଦିଲ୍ଲୀରେ ଥିବା ସେମାନଙ୍କ ଓୟାର ହାଉସ୍‌କୁ ଅଣାଯାଏ । ସେଠାରେ ସଫିକ୍‌ (୨୧) ଏବଂ ମଜିମ୍‌ (୨୫) ଗାଡ଼ି ଗୁଡ଼ିକର ପାର୍ଟସ ଖୋଲି ଅଲଗା ଅଲଗା କରିଥାନ୍ତି । ରାମ ସଜୀବନ୍‌ (୬୦) ଏହି ପାର୍ଟସ ଗୁଡ଼ିକୁ ନେଇ ବଜାରରେ କବାଡ଼ିଆ ଡିଲରକୁ ବିକ୍ରି କରିବାର କାମ କରିଥାଏ ।

ଆଖି ପିଛୁଳାକେ ଗାଡ଼ିର ଚିହ୍ନ ବର୍ଣ୍ଣ ହଜାଇବା ପାଇଁ ବା ଗାଡ଼ିକୁ ମାଟିରେ ମିଶାଇବା ପାଇଁ ସେମାନେ ବ୍ୟବହାର କରୁଥିଲେ ଅତ୍ୟାଧୁନିକ ଯନ୍ତ୍ରପାତି । ଯାହାକୁ ରେଡ୍‌ ପରେ ପୋଲିସ ଜବତ କରିଛି ।

ଦିଲ୍ଲୀର ଜଣେ ବାସିନ୍ଦାଙ୍କ ଟୋୟୋଟା ଇନୋଭା କ୍ରିଷ୍ଟା ଆନନ୍ଦ ନିକେତନ ଅଞ୍ଚଳର ଚୋରି ହୋଇଥିଲା । ଏନେଇ ସେ ଥାନାରେ ରିପୋର୍ଟ ମଧ୍ୟ ଲେଖିଥିଲେ । ଏହି ମାମଲାର ତଦନ୍ତ ଦାୟିତ୍ୱ AATSକୁ ହସ୍ତାନ୍ତର କରାଯାଇଥିଲା । ବିଭିନ୍ନ ସିସିଟିଭି ଆଧାରରେ ଘଟଣାର ଯାଞ୍ଚ କରି ପୋଲିସ ଏହି ଗ୍ୟାଙ୍ଗ୍‌ର ଟେର ପାଇଥିଲା । ଆଲିପୁରର ମାଖମେଲପୁର ଗାଁରେ ସେମାନଙ୍କର ଗୋଦାମ ବା ଓୟାର ହାଉସ ରହିଥିଲା ।

 

ଗତ ୧୭-୧୮ ତାରିଖ ରାତିରେ ପୋଲିସ ସେଠାରେ ଚଢ଼ାଉ କରିଥିଲା । ଏହି ସମୟରେ ସେମାନେ ଚୋରି ଗାଡ଼ି ଗୁଡ଼ିକର ପାର୍ଟସ ଅଲଗା କରୁଥିଲେ । ପୋଳିସ ସେମାନଙ୍କୁ ଗିରଫ କରିବା ସହ ଗାଡ଼ି ଗୁଡ଼ିକୁ ଜବତ କରିଥିଲା ।