• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜନ୍ମ କଲା ବାପା ହତ୍ୟା କଲା ପୁଅକୁ । ପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା । ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ । ବର୍ବର ଆଉ ବିଭତ୍ସ...ଯେତେ ନିନ୍ଦା କଲେ ମଧ୍ୟ କମ ହେବ । ୨୯ ବର୍ଷର ଭେଣ୍ତିଆ ପୁଅକୁ ମାରିବା ବେଳେ କେମିତି ହାତ ଥରିଲାନି ବାପାର । ନିଜ ପତ୍ନୀଙ୍କ ସହ ବାରମ୍ବାର ଝଗଡ଼ା କାରଣରୁ ପୁଅକୁ ମାରିବାକୁ ନିଷ୍ପତ୍ତି ନେଇଥିଲା ଅଭିଯୁକ୍ତ ବାପା ।

ସୂଚନା ଅନୁସାରେ ପାଖାପାଖି ତିନିରୁ ଚାରି ମାସ ତଳେ ଏହି ହତ୍ୟାକାଣ୍ତର ଯୋଜନା କରିଥିଲା ବାପା । ଅଭିଯୁକ୍ତ ରଙ୍ଗଲାଲର ବୟସ ୫୪ ବର୍ଷ । ଫେବୃଆରୀ ୬-୭ ରାତିରେ ଅପରାଧ କରିବା ପରେ ଦିଲ୍ଲୀ ଛାଡି ପଳାଇଥିଲା ରଙ୍ଗଲାଲ । ପରେ ଜୟପୁରରୁ ଗିରଫ କରିଥିଲା ପୋଲିସ ।

ତେବେ ପୁଅ ବାହାଘରର ମାତ୍ର କିଛି ଘଣ୍ଟା ପୂର୍ବରୁ ହତ୍ୟା କରାଯାଇଛି ବୋଲି ସୂଚନା ମିଳିଛି । ପେସାରେ ଜିମ୍ ପ୍ରଶିକ୍ଷକ ଥିବା ଗୌରବ ସିଙ୍ଘଲଙ୍କୁ ମୁହଁ ଓ ଛାତିରେ ୧୫ ଥର ଛୁରୀ ଭୁଷି ଅତି ଅମାନୁଷିକ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ବାପା । ଫେବୃଆରୀ ୭ ରେ ଦିନ ପ୍ରାୟ ୧୨.୩୦ ସମୟରେ ଗୌରବଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲା ପୋଲିସ । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ସାଉଥ ଦିଲ୍ଲୀ ଡିସିପି କହିଛନ୍ତି ଯେ ସିସିଟିଭି ଫୁଟେଜକୁ ତଦନ୍ତ କରାଯାଇଛି । ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିବା ବେଳେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ରହିଥିଲା ପରେ ତାଙ୍କୁ ଜୟପୁରରୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଏହା ଜଣାପଡିଛି ଯେ, ପତ୍ନୀ ଓ ପୁଅଙ୍କ ସହ ଅଭିଯୁକ୍ତ ପିତାର ସମ୍ପର୍କ ଭଲ ନଥିଲା । ଏହା ସହ ପତ୍ନୀଙ୍କୁ ଶିକ୍ଷା ଦେବା ନିମନ୍ତେ ସେ ଏହି ହତ୍ୟାକାଣ୍ତ ଭିଆଇଥିବା କହିଛି ।

ପୁଅକୁ ମାରିବା ପାଇଁ ୭୫ ହଜାର ଟଙ୍କାର ସୁପାରୀ ଦେଇ ଅନ୍ୟ ତିନି ଜଣଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲା ଅଭିଯୁକ୍ତ । ସୂଚନାନୁସାରେ, ହତ୍ୟା ପୂର୍ବଦିନ ରାତିରେ ବାପା-ପୁଅଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା, ଯେଉଁଥିରେ ଗୌରବ ତାଙ୍କ ପିତାଙ୍କୁ ଚାପୁଡ଼ା ମାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଜ ପୁଅକୁ ମାରି ଦେଇଥିଲା ବାପା । ଅନ୍ୟପଟେ ଅଭିଯୁକ୍ତ ଏହି କାର୍ଯ୍ୟ ପାଇଁ କୌଣସି ଅନୁତାପ କରିନଥିବା ଜଣା ପଡ଼ିଛି ।

ନିଜ ପୁଅର ଏପରି ବ୍ୟବହାର ପାଇଁ ସେ ଖୁବ ଅସନ୍ତୁଷ୍ଟ ଥିଲା । ପତ୍ନୀ ମଧ୍ୟ ସର୍ବଦା ପୁଅକୁ ହିଁ ସମର୍ଥନ କରୁଥିଲେ । ଏହା ହିଁ ତାକୁ ନିରାଶ କରିଥିଲା ବୋଲି କହିଛି ଅଭିଯୁକ୍ତ । ଏଣୁ ସେ ପ୍ରାୟ ତିନିରୁ ଚାରିମାସ ତଳେ ହତ୍ୟା ପାଇଁ ଯୋଜନା କରିଥିଲା ବୋଲି ପୋଲିସ କହିଛି । ପୋଲିସ ଗିରଫ କରିବା ବେଳେ ଅଭିଯୁକ୍ତ ନିକଟରୁ ୫୦ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରିଛି ।