• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟେକ୍ନୋଲୋଜି ଯୁଗରେ ଅଧିକାଂଶ କାମ ଗୋଟିଏ କ୍ଲିକ୍‌ରେ ହୋଇଯାଉଛି । ପାଣି ବିଲ୍‌ ଠାରୁ ଆରମ୍ଭ କରି ଇନସ୍ୟୁରାନ୍ସ ପ୍ରିମିୟମ୍‌ ଭରିବା ସବୁ କିଛି ଏବେ ସହଜ । କାମ ସିନା ସହଜ ହୋଇଯାଇଛି, ହେଲେ ସାଇବର୍‌ ଠକେଇ ମଧ୍ୟ ବଢ଼ିଚାଲିଛି । କେତେବେଳେ OTP ସେୟାର ପାଇଁ ହେଉ କିମ୍ବା ପାସୱାର୍ଡ ଜରିଆରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ହେଲେ ନିକଟରେ ରାଜଧାନୀ ଦିଲ୍ଲୀରେ ସାଇବର ଅପରାଧର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ଏକ ସୁରକ୍ଷା ଏଜେନ୍ସି ଚଳାଉଥିବା ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଲା, ମିସ୍ କଲ ଜରିଆରେ ହ୍ୟାକର୍ସ ଏହି ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଉଡ଼ାଇ ନେଇଯାଇଛନ୍ତି ।

ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି, ନଭେମ୍ବର ୧୩ରେ ଏକ ଅଜ୍ଞାତ ନମ୍ବରରୁ ତାଙ୍କ ପାଖକୁ ଏକ କଲ ଆସିଥିଲା । ପ୍ରଥମେ ସେ ଫୋନ୍‌ ଉଠାଇ ଥିଲେ, ହେଲେ ଆରପଟୁ କେହି କିଛି କହିନଥିଲେ । ତା’ପରେ ଫୋନ୍‌ କଟିଯାଇଥିଲା । ହେଲେ କିଛି ସମୟରେ ଆରମ୍ଭ ହୋଇଯାଇଥିଲା ମିସ୍ କଲ୍ ଗେମ୍‌ । ବାରମ୍ବାର ଆସିଲା କଲ୍ ପରେ କଲ୍‌ । ସେ ତିନ-ଚାରି ଥର କଲ୍‌ ରିସିଭ୍‌ କରିଥିଲେ, କିନ୍ତୁ କେହି ଉତ୍ତର ଦେଇ ନଥିଲେ । ତେବେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଏପରି ମିସ୍ କଲ ପ୍ରକ୍ରିୟା ଜାରି ରହିଥିଲା ।

ଅଧିକ ପଢ଼ନ୍ତୁ: ସୁନ୍ଦରୀ ଯୁବତୀ ଯୋଗାଇଦେବେ କହି ଲୁଟିଲେଣି ସାଇବର ଲୁଟେରା..

ଏହାର କିଛି ସମୟ ପରେ ତାଙ୍କ ପାଖକୁ ଏକ ମେସେଜ ଆସିଲା । ଆଉ ସେ ଜାଣିବାକୁ ପାଇଲେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ କେହି ଉଠେଇ ନେଇଛି । ପୀଡିତ ଜଣକ କହିଛନ୍ତି, ସେ କାହା ସହିତ କୌଣସି ପ୍ରକାର ଓଟିପି ସେୟାର କରିନାହାଁନ୍ତି । ଅନ୍ୟପକ୍ଷରେ ଏହି ଅଜବ ମାମଲାରେ ଡିସିପି ସାଇବର ସେଲ୍ ପକ୍ଷରୁ କୁହାଯାଇଛି, ପୀଡିତାଙ୍କ ଫୋନକୁ ଓଟିପି ଆସିଥିଲା, କିନ୍ତୁ ଫୋନ୍ ହ୍ୟାକ୍ ହୋଇଥିବା କାରଣରୁ ସେ ଜାଣିପାରିନଥିଲେ । ଆଉ ଓଟିପି ହ୍ୟାକର ପାଖକୁ ପହଞ୍ଚି ଯାଇଥିଲା ।

ଜଣେ ଅଧିକାରୀ କହିଛନ୍ତି, ଏହି ଉପାୟରେ ସାଇବର ଠକମାନେ ମୋବାଇଲ୍ ଫୋନ୍ ଉପଭୋକ୍ତାଙ୍କ ସହ ଯୋଗାଯୋଗ କରନ୍ତି ଏବଂ ସେମାନଙ୍କୁ ସିମ୍ କାର୍ଡ ସକ୍ରିୟ କରିବାକୁ କୁହନ୍ତି । ଥରେ ତାଙ୍କ କଥା ମାନି ସିମ୍‌ କାର୍ଡ ଆକ୍ଟିଭ୍‌ କରିବା ମାତ୍ରେ ଫୋନ୍‌ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯାଏ । ବର୍ତ୍ତମାନ ସେହି ବ୍ୟକ୍ତି ପୋଲିସ ନିକଟରେ ଅଭିଯୋଗ କରିଥିବା ବେଳେ ପୋଲିସ ଏହାର ଯାଞ୍ଚ କରୁଛି ।