• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିଶା ନିବାରଣ କେନ୍ଦ୍ରରେ ନିଶାଡିଙ୍କ ନିଶା ଅଭ୍ୟାସ ଦୂର କରାଯାଏ । କେମିତି ନିଶା ତ୍ୟାଗ କରିବେ, ଏକ ଶୃଙ୍ଖଳିତ ପରିବେଶରେ ତାର ଶିକ୍ଷା ଦିଆଯାଏ । ହେଲେ ବାରିପଦାର ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରରେ ସୁଧାରିବା ନାଁରେ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ କେମିତି ନିର୍ଯାତନା ଦିଆଯାଉଥିଲା ତାର ଭିଡିଓ ସାମ୍ନାକୁ ଆସିଛି ଓ ଭାଇରାଲ ହେବାରେ ଲାଗିଛି । ସେପଟେ ଖବର ପ୍ରସାରଣ ପରେ ନିଶା ନିବାରଣ କେନ୍ଦ୍ର ମାଲିକ ଏବଂ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି ।

ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ଲାଷ୍ଟିକ ପାଇପ୍‌ରେ ମାଡ । ଜୋର ଜବରଦସ୍ତ ପାଦ ଚଟାଇଲେ ମାଲିକ । ସଭ୍ୟ ସମାଜ ଉପରେ ପ୍ରଶ୍ନ ଠିଆ କରୁଥିବା ଏହି ଭିଡିଓ ବାରିପଦାର । ଏକ ବେସରକାରୀ ନିଶା ନିବାରଣ କେନ୍ଦ୍ରର ଯେଉଁଠି ନିଶାଡିଙ୍କ ନିଶା ଅଭ୍ୟାସ ଦୂର କରାଯାଏ, ହେଲେ ନିଶା ନିବାରଣ ହାତରେ ପ୍ଲାଷ୍ଟିକ ପାଇପ୍ ଧରି ସାବାଡ଼ କରୁଛନ୍ତି କେନ୍ଦ୍ରର ମାଲିକ । ତାପୁଣି ଜଣେ ଭିନ୍ନକ୍ଷମଙ୍କୁ । କଥା କଥାକେ ଅଶ୍ଳିଳ ଭାଷାରେ ଗାଳି, ଅମାନୁଷିକ ଭାବେ ମାଡ଼।

କଥା ସେତିକିରେ ଅଟକିନି, ମଣିଷ ପଣିଆର ସବୁ ସୀମା ଡେଇଁ ଭିନ୍ନକ୍ଷମ ଯୁବକଙ୍କୁ ପାଦ ଚାଟିବାକୁ ବାଧ୍ୟ କରାଯାଇଛି । ଘଟଣାଟି ବର୍ଷେ ତଳର ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ନିଶା ନିବାରଣ କେନ୍ଦ୍ର ମାଲିକଙ୍କ ଯୁକ୍ତି, ନିଶାଡିଙ୍କୁ ସାବାଡ କରିବାକୁ ଏଭଳି କରିବାକୁ ପଡେ ।

ବାରିପଦାର ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀଙ୍କ ଅମାନୁଷିକ ନିର୍ଯାତନାର ଆଉ ଏକ ଫର୍ଦ୍ଦ । ନିଶା ଅଭ୍ୟାସ ସୁଧାରିବାକୁ ଆସିଥିବା ଅନ୍ତେବାସୀଙ୍କୁ ପ୍ଲାଷ୍ଟିକ ପାଇପରେ ନିର୍ଦ୍ଦୟ ଭାବେ ମାଡ଼ । ଅନ୍ୟ ଅନ୍ତେବାସୀଙ୍କ ସାମ୍ନାରେ ପଶୁଙ୍କ ଭଳି ପିଟୁଛନ୍ତି ମାଲିକ ଅବନୀ ପତି । ଭିଡିଓଟି ମଧ୍ୟ ବହୁ ପୁରୁଣା ହୋଇଥିବା ବେଳେ ଏବେ ଭାଇରାଲ ହେଉଛି ।

ତେବେ ଗଣାମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଥିଲା ବାରିପଦା ପୋଲିସ । ନିଶା ନିବାରଣ କେନ୍ଦ୍ରରେ ପହଁଚି ପଚରାଉଚରା କରିବା ପରେ ମାଲିକ ଅବନୀ ପତି ଏବଂ ସହଯୋଗୀ ପିତବାସ ରାଉଳଙ୍କୁ ଗିରଫ କରିଛି ପୋଲିସ । ଅବନୀଙ୍କ ନାଁରେ ପୂର୍ବରୁ ୬ଟି ମାମଲା ରହିଥିବା ପୋଲିସ କହିଛି । ସେପଟେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, ବେଆଇନ୍ ଭାବେ ଚାଲିଥିଲା ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ର ।

ପୂର୍ବରୁ ଏହି ନିଶା ନିବାରଣ କେନ୍ଦ୍ରରୁ ଜଣେ ଅନ୍ତେବାସୀଙ୍କ ମୃତଦେହ ମିଳିଥିବା ବେଳେ ମାଲିକ ଅବନୀ ପତିଙ୍କ ନିର୍ଯାତନା ସହିନପାରି ଅନେକ ଅନ୍ତେବାସୀ ଏଠାରୁ ଖସି ପଳାଇଛନ୍ତି । ଏବେ ନିର୍ଯାତନାର ଖବର ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଛତୁ ଫୁଟିଲା ଭଳି ଖୋଲିଥିବା ବେସରକାରୀ ନିଶା ନିବାରଣ କେନ୍ଦ୍ରରେ ଯାଂଚ୍ କରିବାକୁ ଦାବି ହୋଇଛି ।

ରିପୋର୍ଟର- ମାଣିକଲାଲ ପାଣି

ନିଶା ନିବାରଣ କେନ୍ଦ୍ରରେ ଅକଥନୀୟ ନିର୍ଯାତନା
ବାରିପଦାରେ ଦିବ୍ୟାଙ୍ଗ ଯୁବକଙ୍କୁ ନିସ୍ତୁକ ମାଡ଼
ଦିବ୍ୟାଙ୍ଗଙ୍କୁ ମାଲିକ ପାଦ ଚଟାଉଥିବା ଦୃଶ୍ୟ ଭାଇରାଲ
ଅଭିଯୁକ୍ତ ମାଲିକ ଓ ସହଯୋଗୀ ଗିରଫ
ବେଅାଇନ୍ ଚାଲୁଥିଲା କେନ୍ଦ୍ର: ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ