• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଇବର ପର୍ଣ୍ଣ ଓ ମର୍ଫିଂ ଚକ୍ରବ୍ୟୁହରେ ଓଡ଼ିଶାର ମହିଳା । ମହିଳାଙ୍କ ଫଟୋ ଓ ଭିଡିଓକୁ ମର୍ଫିଂ କରି ସେମାନଙ୍କୁ ବ୍ଲାକମେଲ କରିବା ଲାଗି ସହଜ ବାଟ ବାଛିଛନ୍ତି ସାଇବର ଠକ । ଏଭଳି ମାମଲା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ହୋଇଥିବାରୁ ବଢିଛି ଉଦ୍‌ବେଗ । ସ୍ଥିତିକୁ ଉତ୍କଟ କରିଛି, ୨୦୧୮ରୁ ୨୦୨୧ ମଧ୍ୟରେ ଗୋଟିଏ  ବି ସାଇବର ଅପରାଧ ମାମଲାରେ କେହି ବି ଦୋଷୀସାବ୍ୟସ୍ତ ନହେବା । ତେବେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ସଂପର୍କିତ ସଚେତନତା ଦ୍ୱାରା ହିଁ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ପ୍ରଶାସକ ଓ ସାଇବର ବିଶେଷଜ୍ଞ ।

ଗତ ମାସରେ ଲୋନ୍ ଆପ୍‌ରେ ତଥ୍ୟ ଦେଇ ସାଇବର ମର୍ଫିଂର ଶିକାର ହୋଇଥିଲେ କଟକର ଜଣେ ଆଇନ ଛାତ୍ରୀ । ଦାବି ଅର୍ଥ ପୈଠ ନକରିବାରୁ ସାଇବର ଠକ ତାଙ୍କ ମୋବାଇଲ୍ ହ୍ୟାକ୍ କରିବା ସହ କଣ୍ଟାକ୍ଟ ଲିଷ୍ଟରେ ଥିବା ସମସ୍ତ ନମ୍ବରକୁ ମର୍ଫିଂ ହୋଇଥିବା ନଗ୍ନ ଫଟୋ ପଠାଇ ଦେଇଥିଲେ । ତେବେ ସାଇବର ପର୍ଣ୍ଣ ଓ ମର୍ଫିଂର ଶିକାର ହେବାରେ ଇଏ ରାଜ୍ୟର ପ୍ରଥମ ମହିଳା ନୁହଁନ୍ତି । କାରଣ ସାଇବର ପର୍ଣ୍ଣ ଓ ମର୍ଫିଂର ସଫ୍ଟ ଟାର୍ଗେଟ ହେଉଛନ୍ତି ଓଡ଼ିଶା ମହିଳା । ମହିଳାଙ୍କ ସାଇବର ପର୍ଣ୍ଣ, ମର୍ଫିଂ ଓ ଫେକ୍ ପ୍ରୋଫାଇଲ ନେଇ ଦେଶରେ ସର୍ବାଧିକ ମାମଲା ହୋଇଛି ଓଡ଼ିଶାରେ ।

NCRBର ସଦ୍ୟତମ ରିପୋର୍ଟରୁ ମିଳିଛି ଏମିତି ଉଦ୍‌ବେଗଜନକ ତଥ୍ୟ । ରିପୋର୍ଟ ଅନୁସାରେ ୨୦୨୧ରେ ଓଡ଼ିଶାରେ ଏସଂପର୍କିତ ୫୬୫ଟି ମାମଲା ରୁଜୁ ହୋଇଥିଲା । ଯାହାକି ଦେଶରେ ଦାୟର ୨ ହଜାର ୫୯୭ ମାମଲାର ୨୨ ପ୍ରତିଶତ । ଓଡ଼ିଶାରେ ରୁଜୁ ମାମଲାଗୁଡିକ ମଧ୍ୟରୁ ୩୦୧ଟି ସାଇବର ପର୍ଣ୍ଣୋଗ୍ରାଫି ସମ୍ବନ୍ଧିତ ହୋଇଥିବା ବେଳେ ୨୬୪ଟି ଫେକ୍ ପ୍ରୋଫାଇଲ ଓ ମର୍ଫିଂ ମାମଲା । ଏବେ ପ୍ରଶ୍ନ କେମିତି ଓ କାହିଁକି ସାଇବର ପର୍ଣ୍ଣର ଶିକାର ହେଉଛନ୍ତି ଓଡ଼ିଶାର ମହିଳା ? ପୋଲିସ ଓ ବିଶେଷଜ୍ଞଙ୍କ ମତରେ, ସଚେତନତା ଅଭାବ ହିଁ ଏହାର ମୁଖ୍ୟ କାରଣ ।

ଏପଟେ ଏଭଳି ଘଟଣା ପାଇଁ ସାମାଜିକ ଓ ଅର୍ଥନୈତିକ କାରଣକୁ ଦାୟୀ କରିଛନ୍ତି ସାମାଜିକ କର୍ମୀ । ଅନେକ କ୍ଷେତ୍ରରେ ଯୁବତୀ ଓ ମହିଳାଙ୍କୁ ଚାକିରି ଓ ବିବାହର ପ୍ରଲୋଭନ ଦେଖାଇ ଖଳ ପ୍ରକୃତିର ବ୍ୟକ୍ତି ସେମାନଙ୍କୁ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଜରିଆରେ ଶୋଷଣ କରିବାର ସହଜ ବାଟ ପାଇଛନ୍ତି । ତେଣୁ ପରିବାର ଓ ପୋଲିସ ପକ୍ଷରୁ ସଚେତନତା କରାଯିବା ସହ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଇଛନ୍ତି ।

ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ସାଇବର ଅପରାଧ ମାମଲା ୫.୫ ପ୍ରତିଶତ ବଢ଼ିଛି । ୨୦୨୦ରେ ରାଜ୍ୟରେ ୧ ହଜାର ୯୩୧ଟି ସାଇବର ଅପରାଧ ମାମଲା ହୋଇଥିବା ବେଳେ ୨୦୨୧ରେ ୨ ହଜାର ୩୭ରେ ରୁଜୁ ହୋଇଛି । ତେବେ ଉଦ୍‌ବେଗର ବିଷୟ ହେଉଛି ୨୦୧୮ରୁ ୨୦୨୧ ମଧ୍ୟରେ ଗୋଟିଏ ମାମଲାରେ ବି କେହି ଦୋଷୀସାବ୍ୟସ୍ତ ହୋଇନାହାନ୍ତି ।