• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର(ରିପୋର୍ଟର-ଆଲୋକ ମହାନ୍ତି) : ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ଲୁଟ୍ ଟଙ୍କାରୁ ଫେରିଛି ଏବଂ ବ୍ଲକ୍ ହୋଇପାରିଛି ମାତ୍ର ଦେଢ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ଏହି ସାଇବର ଲୁଟେରା । ହେଲେ ଜାମତରା ଗ୍ୟାଙ୍ଗ ବେଶ ସକ୍ରିୟ ହୋଇ ଫ୍ରଡ୍ ଜାଲ ବିଛାବାରେ ଲାଗିଛି । ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସାଇବର ଲୁଟେରା ସଫଳ ହେଉଛନ୍ତି ନା ଆଉ କଣ ରହିଛି ଏହା ପଛରେ କାରଣ, ଆସନ୍ତୁ ଜାଣିବା..

ରାଜଧାନୀରେରେ ମାତିଛନ୍ତି ଅଦୃଶ୍ୟ ଲୁଟେରା । ଗୋଟିଏ ବର୍ଷରେ ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ୫ ସହରରୁ ଅପରେଟ ହେଉଛି ସାଇବର ଫ୍ରଡ । ଜାମତାରା ଗ୍ୟାଙ୍ଗ ବେଶି ସକ୍ରୀୟ ଥିବାର ଶୁଣିବାକୁ ମିଳିଛି । ଗତ ଫେବୃୟାରୀ ୧ରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ କେବଳ ରାଜଧାନୀ ଭୁବନେଶ୍ୱରରୁ ସାଇବର ଲୁଟେରା ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ରହିଛି । ସାଇବର ଫ୍ରଡଙ୍କ ଦ୍ୱାରା ଲୁଟି ନେଇଥିବା ଟଙ୍କାରୁ ମାତ୍ର ଫେରିଛି ୧ କୋଟି ୪୮ ଲକ୍ଷ ୧୧ହଜାର ୮୭୦ ଟଙ୍କା । ଫେରସ୍ତ ୯୧ ଲକ୍ଷ ୪୦ ହଜାର ଟଙ୍କା ହୋଇଥିବା ବେଳେ ବ୍ଲକ ହୋଇଛି ୫୬ ଲକ୍ଷ ୭୧ ହଜାର ଟଙ୍କା।

ଗୁଗୁଲ ମ୍ୟାପିଂର ତଥ୍ୟ କହୁଛି ୫ଟି ସହରରୁ ସାଇବର ଲୁଟେରା ଅପରେସନ ଚଳାଇଛନ୍ତି । ପଶ୍ଚିମବଙ୍ଗ, ଝାଡଖଣ୍ଡ, ଗୁଡଗା, ରାଜସ୍ଥାନ ଭରତପୁର, ବେଙ୍ଗାଲୁରୁରୁ ରହି ଫ୍ରଡରମାନେ ଭିନ୍ନ ଭିନ୍ନ ଟେକ୍‌ନିକରେ ଅପରେଟ କରୁଛନ୍ତି । ଭୁବନେଶ୍ୱରରୁ ଯେତେ ସାଇବର ଫ୍ରଡ୍ ହୋଇଛି, ସେଥିରୁ ସ୍ପଷ୍ଟ ଜଣାପଡୁଛି ରାଜଧାନୀରେ ଜାମତାରା ଗ୍ୟାଙ୍ଗ ବେଶ ସକ୍ରିୟ ରହିଛି । ତେବେ ବର୍ଷ କର ତଥ୍ୟ କହୁଛି ମାତ୍ର ୬୭ ମାମଲା ପୋଲିସ ରୁଜୁ କରିଥିବା ବେଳେ ୧୩ ଜଣ ସାଇବର ଫ୍ରଡର ଧରାପଡିଛନ୍ତି । ୟୁପିଆଇ ସମ୍ବଦ୍ଧୀୟ ଫ୍ରଡ ଅଧିକ ହୋଇଥିବା ବେଳେ ଗୃହ ବିଭାଗର ସାଇବର ସେଫରେ ଏକାଧିକ ନମ୍ବର ବ୍ଲକ ହୋଇଛି । ସେପଟେ ଏନି ଡେସ୍କ ମୋବାଇଲ ଆପ୍ଲିକେସନ ସମ୍ବନ୍ଧୀୟ ଫ୍ରଡ୍ ଟେକ୍‌ନିକରେ ଲୁଟର ଶିକାର ବେଶି ହେଉଛନ୍ତି ।

 

ଭୁବନେଶ୍ୱର ସାଇବର ଫ୍ରଡ୍‌ରେ ଗୋଟିଏ ବର୍ଷର ତଥ୍ୟ କହୁଛି ଯେ, କେବଳ ରାଜଧାନୀରୁ ଠକେଇ କଲ୍ ୨ ହଜାର ୮୭୨ ଆସିଥିବା ବେଳେ ଭୁବନେଶ୍ୱର ବାହାରୁ ଆସିଛି ୩ହଜାର ୫୦୦ ଠକେଇ କଲ୍ । ପ୍ରଶ୍ନ ଉଠୁଛି ଯେତିକି ଟଙ୍କା ଫ୍ରଡ୍ ହେଉଛି, ସେତିକି ଟଙ୍କା ନ ଫେରିବା ପଛରେ କାରଣ କଣ ରହିଛି । ସାଧନ ଏବଂ ଦକ୍ଷତାର ଅଭାବ ରହୁଛି କି ? ମାନବ ସମ୍ବଳ ସହ ନୂଆ ଟେକ୍ନୋଲୋଜିର ଉପଯୋଗ ହେଉ ନାହିଁ କି? ଅଦୃଶ୍ୟ ଲୁଟେରାଙ୍କ ପାଖରେ ପହଁଞ୍ଚିବା ତଦନ୍ତକାରୀ ଅଧିକାରୀ ଅଫିସର ଲାଗି କାଠିକର ପାଠ ହେଉଛି କି ? ନା ଲୋକଙ୍କ ଭିତରେ ସଚେତନତା ଅଭାବରୁ ଫ୍ରଡ୍ ବଢିଯାଇଛି । ଏନେଇ ସାଇବର ଏକ୍ସପର୍ଟ ପତିକ୍ରିୟା ରଖିଛନ୍ତି ।

ଓକାକ୍ ସିଇଓଙ୍କ ହ୍ୱାଟ୍ସଅପ୍ ହ୍ୟାକ୍ କରି ୭ ଲକ୍ଷ ଚଳୁ ପରେ ନିକଟରେ ହ୍ୟାକର୍ଙ୍କ ଟାର୍ଗେଟରେ ବରିଷ୍ଠ IPS ଅଧିକାରୀ ସୁଶାନ୍ତ ନାଥଙ୍କ ପତ୍ନୀ ମଧ୍ୟ ପଡିଛନ୍ତି । ସୁଶାନ୍ତ ନାଥଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୨ ବର୍ଷରେ ୧୦ ଲକ୍ଷ ଟଙ୍କା ଗାଏବ୍ କରିଛନ୍ତି ସାଇବର ଲୁଟେରା । ତେବେ ନୁଆ ୧୧ଟି ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ଗଠନ ହେଲେ ବଦଳିବ କି ସାଇବର ଫ୍ରଡର ଚିତ୍ର? ଏନେଇ ସାଧାରଣ ଲୋକଙ୍କ ମନରେ ଏକାଧିକ ପ୍ରଶ୍ନ ଉଠିବାରେ ଲାଗିଛି ।