• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟାଟା ପାୱାର କଲ୍ ସେଣ୍ଟର ନାଁରେ ସାଇବର ଠକେଇ । ମେସେଜ୍ ଲିଙ୍କ୍ ଉପରରେ କ୍ଳିକ୍ ପରେ ଯନ୍ତ୍ରୀଙ୍କ ଆକାଉଣ୍ଟରୁ କଟିଲା ୧ ଲକ୍ଷ ୪ ହଜାର । ଟାଟା ପାୱାର ନାଁରେ ଘରର ବିଦ୍ୟୁତ୍ କନେକ୍ସନ କାଟି ଦିଆଯିବାର ଟେକ୍ସଟ୍ ମେସେଜ୍ ସହ ଭୟ ଦେଖାଇ କୌଶଳ କ୍ରମେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କାର ସାଇବର ଠକେଇ ହୋଇଛି । ବ୍ରହ୍ମପୁର ମହାନଗର ନିଗମର ଜଣେ ଆସିଷ୍ଟାଣ୍ଟ ନିର୍ବାହୀ ଯନ୍ତ୍ରୀଙ୍କ ଆକାଉଣ୍ଟରୁ ଲୁଟ୍ ହୋଇଛି ଅର୍ଥ । ତେବେ ମୋବାଇଲକୁ ଏଭଳି ମେସେଜ୍ ଲିଙ୍କ ଆସିଲେ, ତାହାକୁ କ୍ଲିକ୍ ନ କରିବାକୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସପି

ବ୍ରହ୍ମପୁରରେ ଗତ ୫ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ଆସିଷ୍ଟାଣ୍ଟ ଏକଜିକ୍ୟୁୟଟିଭ ଇଞ୍ଜିନିୟର ଏମ୍. ନାଗେଶ୍ୱର ରାଓଙ୍କ ମୋବାଇଲକୁ ଆସିଥିଲା ଏକ ଅଜଣା ନମ୍ବରରୁ ମେସେଜ୍ । ସେଥିରେ ଲେଖାଥିଲା ଆପଣଙ୍କ ବିଦୁ୍ୟତ ଲାଇନ୍ ବିଚ୍ଛିନ୍ନ କରି ଦିଆଯିବ । କାରଣ ପୂର୍ବ ମାସର ବିଲ୍ ଅପଡେଟ୍ ହୋଇନି । ଏଥିପାଇଁ ଏକ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଦିଆଯାଇଥିଲା ପରାମର୍ଶ ।

ସେହି ନମ୍ବରରେ କଲ୍ କରିବାରୁ ଅପର ପାର୍ଶ୍ୱରୁ ଜଣେ ଯୁବକ ନିଜକୁ ଟାଟା ପାୱାର କଲ୍ ସେଣ୍ଟର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଟାଟା ପାୱାର ଆପରୁ ତାଙ୍କ ମୋବାଇଲ ନମ୍ବର ଡିଲିଟ୍ ହୋଇଥିବାରୁ ବିଲ୍ ଦେଖାଉନି । ତେଣୁ ବିଦ୍ୟୁତ କାଟରୁ ବର୍ତ୍ତିବା ପାଇଁ ତାଙ୍କ ମୋବାଇଲକୁ ପଠାଇଥିଲେ ଏକ ମେସେଜ୍ ସହ ଲିଙ୍କ୍ ଲିଙ୍କକୁ ଅନ୍ କରି ପ୍ରୋସେସିଂ ଚାର୍ଜ ନାଁରେ ୨୦ଟଙ୍କା ପଠାଇବାକୁ କହିଥିଲେ ସାଇବର ଲୁଟେରା । ପରେ ପରେ ମାତ୍ର ୫ମିନିଟରେ ନାଗେଶ୍ୱରଙ୍କ ଆକାଉଣ୍ଟରୁ କଟି ଯାଇଥିଲା ୧ ଲକ୍ଷ ୪ ହଜାର ଟଙ୍କା ।

ଏନେଇ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି ଏମ. ନାଗେଶ୍ୱର ରାଓ । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛି । ଏପଟେ ଏସପି କହିଛନ୍ତି, ଲିଙ୍କ୍ କ୍ଲିକ କରିବାରୁ ତାଙ୍କ ମୋବାଇଲରେ ଏକ ଆପ୍‌ ଡାଉନଲୋଡ ହୋଇଥିଲା । ମୋବାଇଲର ରିମୋଟ୍ ଆକ୍ସେସ୍‌ ନେଇ ଠକେଇ ହୋଇଥିବା ବ୍ରହ୍ମପୁର ଏସପି କହିଛନ୍ତି । ତାସହ ମୋବାଇଲ, ସୋସିଆଲ ମିଡିଆରେ ଅଜଣା ନମ୍ବରରୁ ମେସେଜ୍ କିମ୍ବା ଲିଙ୍କ୍ ଆସିଲେ କ୍ଲିକ୍ ନ କରିବାକୁ ପରାମର୍ଶ ଦେଇଛନ୍ତି ଏସପି । ତାସହ କିଭଳି ସାଇବର ଲୁଟେରାଙ୍କ ନିକଟରୁ ବର୍ତ୍ତିବେ ସେନେଇ ଟି୍ପସ ରଖିଛନ୍ତି ସାଇବର ଏକ୍ସପର୍ଟ ।