ସାଇବର ଲୁଟେରାଙ୍କୁ ପାନେ ଦେଲେ, ଫେରି ପାଇଲେ ଟଙ୍କା

ସାଇବର ଲୁଟେରାଙ୍କୁ ଚୂନ ଲଗାଇ ଦେଲେ ଏଇ ଯୁବକ। ଫୋନ୍‌ କରି ୫ ମିନିଟ୍‌ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍‌...ଫେରି ପାଇଲେ ୨୨ ହଜାର ଟଙ୍କା।

Man Checkmates Fraudster

ଚାଲାଖି ଦେଖାଇ ସାଇବର ଲୁଟେରାଙ୍କୁ ଚୂନା ଲଗାଇଲେ ଯୁବକ । ଠକଙ୍କଠାରୁ ନେଇ ଆସିଲେ ୨୨ ହଜାର ଟଙ୍କା । ୫ ମିନିଟ୍‌ରେ ଖେଳ ଖତମ୍‌ । ଆପଣମାନେ ସଭିଏଁ ଦେଖିଥିବେ ଲୁଟେରାମାନେ ସାଧାରଣ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ଛଳନା ଦେଖାଇ ଟଙ୍କା ଲୁଟ୍‌ କରିନିଅନ୍ତି । କିନ୍ତୁ ଏହି କ୍ଷେତ୍ରରେ ଯୁବକ ଜଣକ ଓଲଟା ଲୁଟେରାଙ୍କୁ ଚୂନା ଲଗାଇଛନ୍ତି ଓ ନିଜର ଟଙ୍କା ମଧ୍ୟ ଫେରସ୍ତ ପାଇଛନ୍ତି ।

ଦିନକୁ ଦିନ ବଢିବାରେ ଲାଗିଛି ସାଇବରକ୍ରାଇମ । ନିଇତି ହଜାର ହଜାର ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ହେଲେ ଜଣେ ଯୁବକ ଏମିତି କାମ କରିଛନ୍ତି ଯେ ସାଇବର ଲୁଟେରା ବି ୟାଙ୍କ ଜାଲରୁ ବର୍ତ୍ତିପାରିନାହାନ୍ତି । ଆଉ ନିଜର ଝାଳବୁହା ଧନକୁ ଫେରିପାଇଛନ୍ତି । ପ୍ରଥମେ ଯୁବକଙ୍କୁ ଫୋନ୍‌ କରି ଇଆଡୁ ସିଆଡୁ ଅନେକ ପ୍ରଶ୍ନ କରି ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ନମ୍ବର ଜାଣି ୨୨ ହଜାର ଟଙ୍କା ଲୁଟ୍‌ କରିଥିଲେ ସାଇବର ଲୁଟେରା ।

ଆକାଉଣ୍ଟରୁ ଟଙ୍କା କଟିବା ପରେ ଚିନ୍ତାରେ ଥିଲେ ଯୁବକ । କଣ କରିବେ ଆଉ କେମିତି କରିବେ ସେନେଇ କିଛି ବୁଦ୍ଧିବାଟ ଦିଶୁନଥିଲା ତାଙ୍କୁ। ହେଲେ ନିଜସ୍ୱ ଉଦ୍ୟମରେ ବାରମ୍ବାର କଲ କରିଥିଲେ ସାଇବର ଲୁଟେରାଙ୍କୁ । ଖାଲି ଏତିକି ନୁହେଁ ବରଂ ସେମାନଙ୍କ ବ୍ୟାଙ୍କ ଡିଟେଲ୍ସର ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ନିଜର ଝାଳବୁହା ଟଙ୍କାକୁ ଫେରିପାଇଥିଲେ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।

ସୂଚନା ମୁତାବକ ଯୁବକଙ୍କ ଦରମା ପାଇବା ପରେ ସେ ୟୁପାଇ ମାଧ୍ୟମରେ ଘରକୁ ଟଙ୍କା ପଠାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ତ୍ରୁଟି କାରଣରୁ ଟଙ୍କା ପଠାଇ ପାରିନଥିଲେ । ସେଥିପାଇଁ ସେ ଫୋନ୍‌ପେ’ ର କଷ୍ଟମର୍‌ କେଆରକୁ ଫୋନ କରିଥିଲେ । କଲ୍‌ କରିଥିବା ନମ୍ବରଟି କେଆର୍‌କୁ ଲାଗିବା ବଦଳରେ ସାଇବର ଲୁଟେରାଙ୍କ ପାଖକୁ ଲାଗିଯାଇଥିଲା । ଲୁଟେରାମାନେ ସମାଧାନ କରିବା ଆଳରେ ଯୁବକଙ୍କର ଆକାଉଣ୍ଟ ନଂ, ୟୁପିଆଇ ନମ୍ବର ମାଗିଥିଲେ । ଏହାପରେ ଯୁବକ ଜଣକ ସାଙ୍ଗମାନଙ୍କ ଜରିଆରେ ଜାଣିପାରିଲେ କି ଲୁଟେରାମାନେ ତାଙ୍କୁ ଠକିବା ପାଇଁ ପ୍ରହସନ କରୁଛନ୍ତି । କିନ୍ତୁ ଯୁବକ ଜଣକ ଚାଲାଖି ଦେଖାଇ ଲୁଟେରାଙ୍କ ସହ ଛଳନା କରି ନିଜ ଆକାଉଣ୍ଟରେ ଥିବା ଟଙ୍କାକୁ ନିଜ ସାଙ୍ଗ ଆକାଉଣ୍ଟକୁ ପଠାଇ ଦେଇଥିଲେ । ତାପରେ ସାଇବର ସେଲ୍‌ ଯାଇ ଏନେଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

ରିପୋର୍ଟର- ଭୁବନେଶ୍ୱରରୁ ଆଲୋକ ମହାନ୍ତି