• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ସାଇବର ଥାନାରେ ନାହାନ୍ତି କର୍ମଚାରୀ

  • ଖସିଯାଉଛନ୍ତି ବଡ଼ ଅପରାଧୀ

ରାଜ୍ୟରେ ସାଇବର ଠକେଇର ବୁଢିଆଣୀ ଜାଲ ଲମ୍ବିବାରେ ଲାଗିଛି। ଭୁବନେଶ୍ୱରର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଠକିଛନ୍ତି ସାଇବର ଲୁଟେରା । ସେପଟେ ବ୍ରହ୍ମପୁରରେ ଦୁଇ ଜଣ ସାଇବର୍ ଫ୍ରଡର ଶୀକାର ହୋଇଛନ୍ତି। ରାଜ୍ୟରେ ସାଇବର ଠକେଇ ଓ ଅର୍ଥନୈତିକ ଅପରାଧ ରୋକିବାକୁ ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ୧୧ଟି ନୂଆ ସାଇବର ଥାନାର ଉଦଘାଟନ କରିଥିଲେ। ତେବେ ଭିତ୍ତିଭୂମି ନଥାଇ ତରବରିଆ ଭାବେ ସେସବୁ ଥାନା ଖୋଲିଦିଆ ଯାଇଥିବା ଅଭିଯୋଗ ହୋଇଛି।

ରାଜ୍ୟର ସବୁଠାରୁ ବଡ଼ ସାଇବର ଠକେଇ....ପୂର୍ବତନ ସେନା ଅଧିକାରୀଙ୍କ ଠାରୁ ୯୫ ଲକ୍ଷ ଟଙ୍କା ଠକିଦେଲେ ଲୁଟେରା। ଭୁବନେଶ୍ୱରରେ ରହୁଥିବା ଜଣେ ପୂର୍ବତନ ସେନା ଅଧିକାରୀ ୨୦୧୧ ଜାନୁଆରୀରେ ଅନଲାଇନରେ ୬ ଲକ୍ଷ ଟଙ୍କାର ବୀମା କରିଥିଲେ। ଏହାପରେ ୨୦୧୫ ଅଗଷ୍ଟରେ ତାଙ୍କ ପାଖକୁ ଆସିଥିଲା ସିରିଜ୍ କଲ୍। ରିଜର୍ଭ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ତ ଆଉ କିଏ ଆୟକର ବିଭାଗ ଓ ଅର୍ଥ ମନ୍ତ୍ରାଳୟ ଅଧିକାରୀ ଭାବେ ପରିଚୟ ଦେଇ ଟଙ୍କା ଜମା କରିବାକୁ କହିଥିଲେ । କୁହାଯାଇଥିଲା ଟଙ୍କା ଜମା ନକଲେ ଏଜେଣ୍ଟ୍ ବୋନସ୍ ମିଳିବନି। ହେଲେ ସେବେଠାରୁ ଠକିଚାଲିଥିଲେ ସାଇବର ଠକ। ଆଉ ଏହାର ଟେର୍ ପାଇପାରିନଥିଲେ ପୂର୍ବତନ ସେନା ଅଧିକାରୀ ଜଣକ।

ସେହିପରି ଇ-କମର୍ସ ସାଇଟରୁ ଜିନିଷ କିଣି ଅନଲାଇନ୍ ପେମେଣ୍ଟ କରି ହଟହଟା ହୋଇଛନ୍ତି ବ୍ରହ୍ମପୁରର ବିପିନ ବିହାରୀ ମହାପାତ୍ର। ତାଙ୍କ ଆକାଉଣ୍ଟରୁ ୫୨ଟି ଟ୍ରାଞ୍ଜାକସନରେ ଠକେଇ ହୋଇଛି ଲକ୍ଷେ ୪୮ ହଜାର ଟଙ୍କା। ସାଇବର ଠକ ଗୁଗୁଲ ପେ’ରେ ଟଙ୍କା ଠକେଇ କରିଥିବା ଜଣାପଡିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଏତେ ସବୁ ଟ୍ରାଞ୍ଜାକସନ୍ ହେଉଥିଲେ ବି ତାଙ୍କ ପାଖକୁ ଆସିନଥିଲା ଗୋଟିଏ ବି ମେସେଜ୍ କି ଓଟିପି। ଗଂଜାମ ଜିଲ୍ଲା ପୋଲସରାର ବିଜୟ କୁମାର ସାମନ୍ତରାଙ୍କ କାହାଣୀ ବି ସମାନ। ଆଖି ପିଛୁଳାକେ ତାଙ୍କ ଆକାଉଣ୍ଟରୁ ଉଡିଯାଇଛି ୩ଲକ୍ଷ ୪୦ ହଜାର ଟଙ୍କା। ପାଖରେ ଏଟିଏମ୍ କାର୍ଡ କି ସ୍ମାର୍ଟ ଫୋନ୍ ନାହିଁ। ବ୍ୟାଙ୍କ ଫର୍ମ ପୂରଣ କରି ସେ ଟଙ୍କା ଉଠାନ୍ତି। ତେବେ ସାଇବର ଠକ ୟୁପିଆଇ ପେମେଣ୍ଟ ଜରିଆରେ ଟଙ୍କା ଠକେଇ କରିଥିବା ଜଣାପଡିଛି।

ରାଜ୍ୟରେ ସାଇବର ଠକେଇ ଓ ଅର୍ଥନୈତିକ ଅପରାଧ ରୋକିବାକୁ କିଛି ଦିନ ତଳେ ୧୧ଟି ନୂଆ ସାଇବର ଥାନା ଖୋଲିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ନୂଆ ସାଇବର ଥାନାରେ ୧୫୪ ଜଣ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିଯୁକ୍ତ ହେବେ ବୋଲି ବିଜ୍ଞପ୍ତି ବି ପ୍ରକାଶ ପାଇଥିଲା। କଟକ କାଫଲା ବଜାରରେ ଖୋଲିଛି ସ୍ୱତନ୍ତ୍ର ସାଇବର ଥାନା। ଏଠି ଜଣେ ଥାନା ଅଧିକାରୀ, ଦୁଇ ଜଣ ସବ ଇନ୍ସପେର ଓ ୫ ଜଣ କନଷ୍ଟେବଲ ନିଯୁକ୍ତ ହୋଇଛନ୍ତି। ତେବେ ଥାନାଟି ଏଯାଏଁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି। ସାଇବର ଏକ୍ସପର୍ଟଙ୍କ ଦ୍ୱାରା ଟ୍ରେନିଂ ନେଇସାରିଛନ୍ତି ଆଇଆଇସି। ହେଲେ ଅନ୍ୟ କର୍ମଚାରୀ ଏଯାଏଁ ପ୍ରଶିକ୍ଷଣ ନେଇନାହାଁନ୍ତି । ସେହିପରି କୋରାପୁଟ ପୋଲିସ ମୁଖ୍ୟାଳୟରେ ଖୋଲିଥିଲା ଅର୍ଥନୈତିକ ଅପରାଧ ଓ ସାଇବର ଥାନା। ଗତ ଡିସେମ୍ବର ୨୯ରେ ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ।

ତେବେ ବର୍ତ୍ତମାନ ଯାଏ ଥାନାରେ ନିଯୁକ୍ତ ହୋଇନାହାଁନ୍ତି ସମସ୍ତ କର୍ମଚାରୀ। ଜିଲ୍ଲାରେ ପୋଷ୍ଟାଲ ଘୋଟାଲା, ଅନଲାଇନ ଠକେଇ, ଫେସବୁକ୍ ହ୍ୟାକିଂ ଭଳି ଘଟଣା ବଢୁଥିବାବେଳେ ଥାନାରେ ଲାଗିନି ଅତ୍ୟାଧୁନିକ ମେସିନ୍ । ସାଇବର୍ ଏକ୍ସପର୍ଟ ବି ନାହାନ୍ତି। ତେବେ ଏସ୍ପି କହିଛନ୍ତି, ଖୁବଶୀଘ୍ର ଆସିବେ ଏକ୍ସପର୍ଟ। ସେପଟେ ମୟୂରଭଂଜରେ ପର୍ଯ୍ୟାପ୍ତ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ହୋଇଥିଲେ ବି ଏଯାଏଁ ପୃଥକ ଭାବେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲିପାରିନି। ବର୍ତ୍ତମାନ ସାଇବର ଥାନା ଚାଲିଛି ଏସପିଙ୍କ କାର୍ଯ୍ୟାଳୟରେ। ଆଉ ଏସପି କହିଛନ୍ତି, ସାଇବର ଥାନା ପାଇଁ ଜମି ଚିହ୍ନଟ ହୋଇଛି, ଖୁବଶୀଘ୍ର ନୂଆ କୋଠା ତିଆରି ହେବ।

ବାରିପଦାରୁ ମାଣିକଲାଲ ପାଣି, କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା, ବ୍ରହ୍ମପୁରରୁ ଜଗନ୍ନାଥ ସାହୁ, କଟକରୁ ଦେବାଶିଷ ମହାନ୍ତିଙ୍କ ସହ ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ