• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଟଙ୍କା ଯିବା ପରେ କାନ୍ଦି କାନ୍ଦି ମହିଳାମାନେ କହୁଛନ୍ତି ଆମର ତ ଲକ୍ଷଲକ୍ଷ ଟଙ୍କା ଗଲା । ଆମେ କିଛି ଖାଇନୁ । କଣ କରିବୁ ? ହଠାତ୍‌ ଏମିତି କଥା ଶୁଣିବା ପରେ କିଛି ବୁଝାପଡିବନି । ଆଉ ମନରେ ପ୍ରଶ୍ନ ଆସିବ ମହିଳାଙ୍କଠାରୁ ଲକ୍ଷେ ଟଙ୍କା ନେଲା କିଏ?

ସଙ୍ଗୀନ...ସାଙ୍ଘାତିକ...ସ୍ୱାମୀ-ସ୍ତ୍ରୀ ମିଶି ମହିଳାଙ୍କୁ ଏମିତି ଚୂନା ଲଗାଇଛନ୍ତି ଯେ ଯାହାଲାଗି ଏବେ ସେମାନେ କାନ୍ଦୁଛନ୍ତି । ଢେଙ୍କାନାଳ କାମାକ୍ଷାନଗରରୁ ଏମିତି ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଜଣେ ଦମ୍ପତି ପ୍ରାୟ ୧୫ ଜଣ ମହିଳା ସଦସ୍ୟାଙ୍କୁ ଚୂନ ଲଗେଇ ଦେଇଛନ୍ତି । ହଜାରେ କି ଦୁଇହଜାର ନୁହେଁ ବରଂ ୧୫ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି କାମାକ୍ଷାନଗର ଥାନା ବିଜାଡିହ ଗାଁର ଦମ୍ପତି ମମତା ସାହୁ ଓ ଦୁଷ୍ମନ୍ତ ସାହୁ ।

କାମାକ୍ଷାନଗରରେ ଥିବା ଅର୍ଥ ଲଗାଣକାରୀ ବେସରକାରୀ ଫାଇନାନ୍ସ ସଂସ୍ଥାରୁ ମହିଳାମାନେ ଋଣ ଉଠାଇଥିଲେ । ବାସ୍‌ ଏହାର ଖବର ଥିଲା ଠକ ୪୨୦ ଦମ୍ପତିଙ୍କ ପାଖରେ । କେମିତି ମହିଳାଙ୍କଠାରୁ ଟଙ୍କା ଲୁଟ୍‌ କରିବେ ସେନେଇ ପୂରା ମାଷ୍ଟର ପ୍ଲାନ୍‌ କରିଥିଲେ ଏଇ ୪୨୦ ଦମ୍ପତି । ପ୍ରଥମେ ଛେନାପୋଡ଼ ଖୁଆଇଥିଲେ ପରେ ଥଣ୍ଡା ପାନୀୟ ଦେଇ ଫିଙ୍ଗର ପ୍ରିଣ୍ଟ ନେଇଥିଲେ । ପରେ ଲୁଟି ନେଇଥିଲେ ଲକ୍ଷଲକ୍ଷ ଟଙ୍କା । ସଂଘର ସଭାନେତ୍ରୀ ହୋଇଥିବାରୁ ଅନ୍ୟ ସଦସ୍ୟା ମାନଙ୍କର ସନ୍ଦେହ ବି ନଥିଲା ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ଟଙ୍କା ଲୁଟିବା ପରେ ଦମ୍ପତି ଗାଁ ଛାଡି ଫେରାର ହୋଇଥିଲେ । ହେଲେ ଫାଇନାନ୍ସ କର୍ମଚାରୀମାନେ ଗାଁରେ ପହଞ୍ଚିବା ପରେ ମହିଳାମାନେ ଜାଣିବାକୁ ପାଇଥିଲେ ସତ । ଏବେ ବାରମ୍ବାର ଟଙ୍କା ଲାଗି ଫାଇନାନ୍ସ କର୍ମଚାରୀମାନେ ପ୍ରେସର କରୁଥିବା ପରେ କେମିତି ଟଙ୍କା ଦେବେ ସେନେଇ ଚିନ୍ତାରେ ଗାଁ ମହିଳା । ସେପଟେ ପୂରା ଘଟଣାରେ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ଫାଇନାନ୍ସ କମ୍ପାନୀ ଗୁଡିକ ମହିଳା ଗ୍ରୁପ୍‌ ମଧ୍ୟରୁ ଜଣଙ୍କୁ ଟିମ ଲିଡର କରି ଅର୍ଥପ୍ରଦାନ କରୁଛନ୍ତି । ଯଦି ସେହି ଟିମ ଲିଡ଼ର ଟଙ୍କା ନେଇ ଫେରାର ହୁଏ ସେଥିପାଇଁ ଦାୟୀ କିଏ ?

 

  • Reported by:
  • Bidyadhar Baral