• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆମ୍‌ ଆଦମୀ ପାର୍ଟି ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ କଲେ କନ୍‌ମ୍ୟାନ୍‌ ସୁକେଶ । ମଙ୍ଗଳବାର ସୁକେଶ ଅଭିଯୋଗ କରିଛନ୍ତି ଯେ, ସେ ଆମ୍‌ ଆଦମୀ ପାର୍ଟିକୁ ୬୦ କୋଟି ଟଙ୍କା ଦେଇଛନ୍ତି । ସୁକେଶଙ୍କ ଓକିଲ ଅନନ୍ତ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ସୁକେଶଙ୍କ ବୟାନ ନିଆଯାଇଛି । ଏହି ବୟାନ ଉପରେ ତଦନ୍ତ କରାଯିବା ଉଚିତ୍‌ ।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ । ସୁକେଶଙ୍କ ସହ ଜଡ଼ିତ ଏହି ମନି ଲଣ୍ଡ୍ରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ(Jacqueline Fernandez) ମଧ୍ୟ ଫସିଛନ୍ତି।

ହାଇ ପ୍ରୋଫାଇଲ୍ ଲୋକ ଏବଂ ସେଲିବ୍ରିଟିଙ୍କଠାରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ସେ ବର୍ତ୍ତମାନ ଦିଲ୍ଲୀର ମାଣ୍ଡୋଲି ଜେଲରେ ରହିଛନ୍ତି । ଏହାପୂର୍ବରୁ ତାଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଥିଲା । କିନ୍ତୁ ବାରମ୍ବାର ମୃତ୍ୟୁ ଧମକ ଦର୍ଶାଇ ଜେଲକୁ ବଦଳାଇବାକୁ ଅନୁରୋଧ କରିବା ପରେ ତାଙ୍କୁ ମାଣ୍ତୋଲି ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଖୋଲୁଛି ସୁକେଶଙ୍କ ଠକେଇ ସାମ୍ରାଜ୍ୟର ଗୁମର

ଦିଲ୍ଲୀର ଶାସକ ଦଳ ଆପ୍‌, ୬୦ କୋଟି ଟଙ୍କା ନେଇଥିବା ଦାବି କରିଛନ୍ତି ଖୋଦ୍‌ ସୁକେଶ । ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୂର୍ବରୁ ଗୋଟିଏ ପରେ ଗୋଟିଏ ଚିଠି ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଲେଖି ନାନା ପ୍ରକାରର ଅଭିଯୋଗ କରିଥିଲେ । ସେ ଏକ ଚିଠିରେ ଲେଖିଥିଲେ ଯେ, ଆମ୍ ଆଦମୀ ପାର୍ଟି (ଆପ୍‌)ର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ 'ପ୍ରୋଟେକ୍ସନ ମନି' ଭାବରେ ୧୦ କୋଟି ଟଙ୍କା ଦେଇଛନ୍ତି । ଏହାସହ ସେ ଚିଠିରେ ଆହୁରି ମଧ୍ୟ ଲେଖିଥିଲେ ଯେ, ତାଙ୍କୁ ଜେଲରେ ମାରି ଦେବାକୁ ଧମକ ଦିଆଯାଉଛି ।

ଅନ୍ୟପଟେ କେବଳ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନୁହନ୍ତି ବରଂ ଆପ୍‌ ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ଶିଶୁ କଲ୍ୟାଣ ନାଁରେ ସୁକେଶଙ୍କଠାରୁ ଟଙ୍କା ନେଇଛନ୍ତି । ଏନେଇ ମଧ୍ୟ ଚିଠିରେ ଦର୍ଶାଇଛନ୍ତି ସୁକେଶ । ତେବେ ନିକଟ ଅତୀତରେ ଲେଖିଥିବା ଚିଠିରେ ସୁକେଶ କହିଛନ୍ତି ଯେ, ସତ୍ୟେନ୍ଦ୍ର ଜୈନ ଏବଂ କେଜ୍ରିୱାଲଙ୍କ ଜଲଦି ମୁଖା ଖୋଲିବି । ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଚିଠି ଲେଖିବାକୁ କେହି ଚାପ ପକାଇ ନାହାଁନ୍ତି ଏବଂ ସେ ନିଜ ଇଚ୍ଛାରେ ଏହାକୁ ଲେଖିଛନ୍ତି ।