• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୀମା ଟପୁଛି ବର୍ବରତା । ବଢ଼ୁଛି ଅପରାଧ । କମିଯାଉଛି ମଣିଷପଣିଆ । ରକ୍ଷକ ଯଦି ଭକ୍ଷକ ସାଜେ କହିବ ଅବା କାହାକୁ । ନିକଟରେ ମଣିପୁର ହିଂସା ଥମିନଥିବାବେଳେ ପୁଣି ଗୋଟିଏ ପରେ ଗୋଟିଏ ଛୋଟ ବଡ଼ ଅପରାଧ ସାମ୍‌ନାକୁ ଆସୁଛି । ଯାହା ସାଧାରଣ ଲୋକଙ୍କୁ ବେଶ୍‌ ପ୍ରଭାବିତ କରୁଛି ।

ବର୍ତ୍ତମାନ ସେହିପରି ଏକ ଘଟଣା ନଜରକୁ ଆସିଛି । ଖୋଦ୍‌ ଆଇନ୍‌ର ରକ୍ଷକ ପୋଲିସ ଓ ଜନପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହୋଇଛି । ଖାଲି ଯେ ଅଭିଯୋଗ ତାହାନୁହେଁ, ବିଧାୟକଙ୍କ ବିରୋଧରେ ଜୋତା ଚଟାଇବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ବ୍ୟକ୍ତି । ତାହାସହ ଜଣେ ପୋଲିସ ଅଧିକାରୀ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏପରି ଏକ ସଙ୍ଗୀନ ଅଭିଯୋଗ ଆସିଛି ଜୟପୁରରୁ । କଂଗ୍ରେସ ବିଧାୟକ ଗୋପାଳ ମୀନା ଏବଂ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରେ କୁହାଯାଇଛି କି, ବ୍ୟକ୍ତି ଜଣଙ୍କୁ ମାଡ଼ ମରାଯାଇଛି । ତାଙ୍କ ଉପରେ ପୋଲିସ ପରିସ୍ରା କରିବା ସହିତ ବିଧାୟକଙ୍କ ଜୋତା ଚାଟିବା ପାଇଁ କୁହାଯାଇଛି । ହେଲେ କେଉଁ କାରଣରୁ ଏପରି କାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ ।  ବିଧାୟକ ଓ ଜଣେ ବରିଷ୍ଠ ପୋଲିସ ଅଧିକାରୀ କାହିଁକି ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି ତାହାକୁ ନେଇ ତଦନ୍ତ ଜାରି ରହିଛି ।   

ଜୁନ୍‌ ୩୦ ତାରିଖରେ ଏହି ଘଟଣା ଘଟିଥିବାବେଳେ ବର୍ତ୍ତମାନ ଏହା ଲୋକ ଲୋଚନକୁ ଆସିଛି । ବ୍ୟକ୍ତିଜଣକ ଭୟଭୀତ ଥିବାରୁ ପୂର୍ବରୁ ଥାନାରେ ଅଭିଯୋଗ କରିନଥିଲେ । ହେଲେ ପରବର୍ତ୍ତୀ ସମୟରେ ଜୁଲାଇ ୨୭ ତାରିଖ ଦିନ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୀଡ଼ିତ ବ୍ୟକ୍ତି ଜଣଙ୍କ ବୟସ ୫୧ ବର୍ଷ । ସେ ଜୁଲାଇ ୩୦ ତାରିଖରେ କ୍ଷେତରେ କାମ କରିବା ବେଳେ ତାଙ୍କ ପରିବାରକୁ ପୋଲିସ ମାଡ଼ ମାରିଥିଲା । ମାଡ଼ ମାରିବା ପରେ ଏକ ଘର ଭିତରକୁ ତାଙ୍କ ପରିବାରକୁ ନେଇଯାଇଥିଲା । ବିଧାୟକ ଓ ପୋଲିସ ତାଙ୍କ ଫୋନ୍‌ ମଧ୍ୟ ଛଡ଼ାଇନେଇଥିଲେ । ପରେ ତାଙ୍କୁ ଧମକ ମଧ୍ୟ ଦେଇଥିବା ସେ କହିଛନ୍ତି ।

ଖାଲି ସେତିକି ନୁହେଁ, ଅଭିଯୋଗ ପରେ ମଧ୍ୟ ତାଙ୍କ ନିକଟକୁ ବହୁ ବାର ଧମକ ଅସିଛି । ହେଲେ ଏପରି ଏକ ସଙ୍ଗୀନ ଅଭିଯୋଗ ହେବାପରେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ଘଟଣାର ଅନୁସନ୍ଧାନ କରୁଛି ।