Advertisment

‘ଡିଜିଟାଲ୍ ଆରେଷ୍ଟ’କୁ ନେଇ ବଢୁଛି ଚିନ୍ତା, ମନ୍ କି ବାତ୍‌ରେ PM ମୋଦିଙ୍କ ଉଦବେଗ

ଡିଜିଟାଲ୍ ଆରେଷ୍ଟ ନାଁରେ ସାରା ଦେଶରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବି ସରକାର ଦୃଢ଼ ପଦକ୍ଷେପ ନେଉଥିବା ନେଇ ମନ କି ବାତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Digital Arrest

Digital Arrest

ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ । ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି। ଏବେ ଦେଶରେ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ଡିଜିଟାଲ୍ ଆରେଷ୍ଟ ଫ୍ରଡ୍‌କୁ ନେଇ ଉଦବେଗ ପ୍ରକାଶ ସହ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏଥିରୁ ବର୍ତ୍ତିବାର ଉପାୟ ବତାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବଡ଼ କଥା ହେଉଛି ଏତିକି ବେଳେ ସାମ୍ନାକୁ ଆସିଛି ସେଇ ସମାନ ଢଙ୍ଗରେ ଡିଜିଟାଲ୍ ଆରେଷ୍ଟର ଶିକାର ହୋଇ ତାଳଚେର ତହସିଲଦାର ୯୦ ହଜାର ଟଙ୍କା ହରାଇବାର ଖବର ।

Advertisment

ନଜର ପକାନ୍ତୁ ତାଳଚେରର ତହସିଲଦାର ରୋଜାଲିନ୍ ବେହେରା ତାଳଚେର ଥାନାରେ କରିଥିବା ଏ ଲିଖିତ ଅଭିଯୋଗ ଉପରେ । ଏଥିରେ ସେ ଦର୍ଶାଇଛନ୍ତି, ଗତ ୨୪ ତାରିଖରେ 'TRAI'ର ପରିଚୟ ଦେଇ ଏକ ଅଜଣା ଫୋନ୍ ନମ୍ବରରୁ ତାଙ୍କ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବରକୁ ପ୍ରଥମେ ଏକ କଲ୍ ଆସିଥିଲା । ପରେ ସିବିଆଇ ଅଫିସର କଥା ହେବେ କହି କଲଟିକୁ ଅନ୍ୟଜଣଙ୍କ ପାଖକୁ ଫରୱାର୍ଡ କରାଯାଇ ତାଙ୍କୁ ହ୍ବାଟସଆପ୍ ଭିଡିଓ କଲରେ ଆସିବାକୁ କୁହାଗଲା । ଏଥିସହ ତାଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରର ବିବିଧ ଅନୈତିକ କାର୍ଯ୍ୟ ଚାଲିଥିବା ଏବଂ ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇ ଆଧାର କାର୍ଡ ଲିଙ୍କରେ ୪ଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା କୁହାଯାଇଥିଲା ।

ବ୍ୟାଙ୍କ ଆକାଉଣ୍ଟ ଜରିଆରେ ମନି ଲଣ୍ଡ୍ରିଂର ପ୍ରମାଣ ମିଳିଥିବାରୁ ତୁରନ୍ତ ଏଥିରୁ ବର୍ତ୍ତିବାକୁ ଏକ ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଥିଲା । ଆଉ ତହସିଲଦାର ଆଗପଛ ନ ବିଚାରି ୟୁପିଆଇ ଲିଙ୍କରେ କ୍ଲିକ୍ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୮୯ ହଜାର ୫୦୦ ଟଙ୍କା କଟିଯାଇଥିଲା । ଏହା ପରେ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣି ତାଳଚେର ପୋଲିସରେ ଅଭିଯୋଗ କରିବା ପରେ ପୋଲିସ୍ ଏବେ ଘଟଣାର ତଦନ୍ତ କରୁଛି। ତେବେ କେଉଁ ପରିସ୍ଥିତିରେ ସେ ଅଜଣା ଲିଙ୍କକୁ କ୍ଲିକ୍ କଲେ, ସେ ନେଇ ତହସିଲଦାର ରୋଜାଲିନ୍‌ଙ୍କ ପ୍ରତିକ୍ରିୟା ମିଳିନାହିଁ ।

Advertisment

ଏଭଳି ଡିଜିଟାଲ୍ ଆରେଷ୍ଟ ଫ୍ରଡର କାହାଣୀ, କେବଳ ଆମ ରାଜ୍ୟ କିମ୍ବା ତାଳଚେର ତହସିଲଦାରଙ୍କ ଠାରେ ସୀମିତ ନାହିଁ । ଏମିତିକ ଗତ ମାସରେ ବର୍ଦ୍ଧମାନ ଟେକ୍ସଟାଇଲ୍ ଗ୍ରୁପର ଚେୟାରମ୍ୟାନ୍ ଏସ.ପି ଓସ୍ବାଲ୍ ମଧ୍ୟ ଅନୁରୂପ ଡିଜିଟାଲ୍ କଷ୍ଟଡିର ଶିକାର ହୋଇ ସାଇବର ଅପରାଧୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ତେବେ ଦିନକୁ ଦିନ ବଡ଼ ସମସ୍ୟା ଭାବେ ଉଭା ହୋଇଚାଲିଥିବା ଏ ଡିଜିଟାଲ୍ ଆରେଷ୍ଟ ଫ୍ରଡ୍ ପ୍ରସଙ୍ଗ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତରେ ସ୍ଥାନ ପାଇଛି । ଏନେଇ ଉଦବେଗ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ପ୍ରାବଧାନ ନାହିଁ ବୋଲି କହି ସ୍ପଷ୍ଟ କରିଛନ୍ତି କୌଣସି ସରକାରୀ ସଂସ୍ଥା ଫୋନ୍ କିମ୍ବା ଭିଡିଓ କଲରେ ଜେରା କରିନଥାନ୍ତି । ଧମକାନ୍ତି ନାହିଁ କି ଟଙ୍କା ମାଗନ୍ତିନାହିଁ । ଯେଉଁମାନେ ଏହା କରୁଛନ୍ତି ସେମାନେ ସମାଜର ଶତ୍ରୁ ବୋଲି କହି ଏଭଳି ଫ୍ରଡରୁ ବର୍ତ୍ତିବାକୁ ୩ଟି ସୂତ୍ର- ରୁକୋ, ସୋଚୋ, ଆକ୍ସନ ଲୋଆପଣାଇବାକୁ ବି ପରାମର୍ଶ ଦେଇଛନ୍ତି । କହିଛନ୍ତି -ଫ୍ରଡ୍ କଲ୍ ଆସିଲେ ଆତଙ୍କିତ ନହୋଇ ଧୈର୍ଯ୍ୟ ଧରନ୍ତୁ । ମୁକାବିଲା ଉପାୟ ଚିନ୍ତା କରନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ । ଯଦି ସମ୍ଭବ ହେଉଛି, ସ୍କ୍ରିନସଟ ନିଅନ୍ତୁ ଓ ରେକର୍ଡିଂ କରି ରଖନ୍ତୁ। ଫ୍ରଡ୍ କଲ ଆସିଲେ ୧୯୩୦କୁ କଲ୍ କରି ଜଣାନ୍ତୁ ।

ସେହିପରି ଡିଜିଟାଲ୍ ଆରେଷ୍ଟ ନାଁରେ ସାରା ଦେଶରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବି ସରକାର ଦୃଢ଼ ପଦକ୍ଷେପ ନେଉଥିବା ନେଇ ମନ କି ବାତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ବିଭିନ୍ନ ତଦନ୍ତକାରୀ ସଂସ୍ଥା ରାଜ୍ୟ ସରକାରମାନଙ୍କ ସହ ମିଳିତ ଭାବେ ଏ ଦିଗରେ କାମ କରୁଛନ୍ତି। ଏପରିକି ଏକ୍ଷେତ୍ରରେ ସମନ୍ବୟ ପାଇଁ ନ୍ୟାସନାଲ ସାଇବର୍ କୋ-ଅର୍ଡିନେସନ ସେଣ୍ଟର ପ୍ରତିଷ୍ଠା ସଂପର୍କରେ ବି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Mann Ki Baat Narendra Modi Cyber Crime Cyber Fraud
Advertisment
Advertisment