• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଭୁବନେଶ୍ୱର, କଟକ ପରେ ରାଞ୍ଚି, ସିମ୍ ବକ୍ସ ଗୁମର ଖୋଲିବାକୁ ଝାଡଖଣ୍ଡରେ କମିଶନରେଟ୍ ପୋଲିସ୍ । ସିମବକ୍ସ ରାକେଟର ଚେର ଖୋଜିବାକୁ ଓଡ଼ିଶା ସୀମା ଡେଇଁ ପଡୋଶୀ ଝାଡଖଣ୍ଡରେ କମିଶନରେଟ୍ ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍ । ସାଙ୍ଗରେ ସିମ୍ ବକ୍ସ କ୍ରାଇମର ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳ । 

ରାଞ୍ଚିର ମୌଲାନା ଆଜାଦ କଲୋନୀରେ ଥିବା ଗଳି ନମ୍ବର-୧୫ରେ ଚାରି ହାତର ଗଳି ଭିତରେ ଠିଆ ହୋଇଛି ୪ ମହଲା କୋଠା । ତାର ଟପ୍ ଫ୍ଲୋରରେ ବସିଥିଲା ସିମ୍ ବକ୍ସ ସେଟଅପ୍ । ଗୋଟିଏ କି ଦୁଇଟି ନୁହେଁ, ପାଞ୍ଚ ପାଞ୍ଚଟି ସିମ୍ ବକ୍ସ । ଯାହାକୁ ଇନଷ୍ଟଲ୍ କରିଥିଲା ବାଂଲାଦେଶୀ ରିଂ ମାଷ୍ଟର ଅସାଦ୍ଦୁର ଜମାନ । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଆଗରେ ସିମ୍ ବକ୍ସ ଆଣିବା ଠାରୁ ଲଗାଇବା ଯାଏଁ ସବୁ ଗୁମର ଖୋଲିଛି ରାଜୁ । ସେପଟେ ପୋଲିସର ନାକତଳେ ଜନବହୁଳ ଅଞ୍ଚଳରେ ଏଭଳି ସିମ୍ ବକ୍ସ ନେଟୱର୍କ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛି ଝାଡଖଣ୍ଡ ପୋଲିସ । 

ଘରୁ ସିମ୍ ବକ୍ସ ଜବତ କରିବା ସହ ମାଲିକଙ୍କୁ ଜେରା କରାଯାଇଛି । କିଏ, କେତେ ଥର ଏଠାକୁ ଆସିଛି, ପୂର୍ବରୁ ଅସାଦ୍ଦୁର କି ରାଜୁ ମଣ୍ଡଳକୁ ଏଠାରେ ଦେଖିଛନ୍ତି କି, ବିଦେଶୀ ସନ୍ଦିଗ୍ଧ ଘରକୁ ଆସିଥିଲେ କି, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିଛି ପୋଲିସ । ସେପଟେ ସିମ୍ ବକ୍ସ ଅପରେଟିଂ ଜାରି ରହିଥିବାରୁ ଦେଶଦ୍ରୋହ ରଚାଯିବା ନେଇ ଆଶଙ୍କା କରିଛି ଓଡ଼ିଶା ଓ ଝାଡଖଣ୍ଡ ପୋଲିସ ସହ ତଦନ୍ତରେ ସାମିଲ ଥିବା ରିଜର୍ଭ ବାଟାଲିୟନ୍ । ଜନଗହଳି ଅଂଚଳରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଚାଲିଥିଲେ ବି, ପାଖ ପଡୋଶୀ ଏହାର ଟିକିଏ ବି ଗନ୍ଧ ବାରିପାରିନଥିବା କହିଛନ୍ତି । 

ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣିଛି ପୋଲିସ । ଏହା ଭିତରେ ତିନି ଦିନ ମଧ୍ୟରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଏବଂ ଆଜି ରାଞ୍ଚିରୁ ମିଳିଛି ସିମ୍ ବକ୍ସ ସେଟଅପ୍ । ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ବି ବସିଛି ଆଉ ଏକ ସିମ୍ ବକ୍ସ । ପ୍ରଥମ ପର୍ଯ୍ୟାୟ  ରିମାଣ୍ଡ ସରିବା ପରେ ପୁଣି ରିମାଣ୍ଡ ଆବେଦନ କରି ରାଜୁ ମଣ୍ଡଳକୁ ସେଠାକୁ ନେବାକୁ ପୋଲିସର ଯୋଜନା ରହିଛି । ସେପଟେ ବାଂଲାଦେଶରେ ବସିଥିବା ମାଷ୍ଟର ମାଇଣ୍ଡ୍ ଅସାଦୁର୍ ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ୍ ପୋଲିସ । ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ଆସି ଭୁବନେଶ୍ୱର ପହଞ୍ଚିଥିବା ସୂଚନା ମିଳିଛି । 

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now